‘ସଂକ୍ରମଣ ବଢୁଛି ଟିକା ଦିଅ’
ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଦୂର ହେଉନି ଟିକାର ଅଭାବ । ରାଜ୍ୟରେ ଅଧାରୁ ଅଧିକ ଟିକାକରଣ କେନ୍ଦ୍ର ଟିକା ଅଭାବରୁ ବନ୍ଦ ହୋଇଯାଇଛି । ଆଜି ପୁଣିଥରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଟିକା ପାଇଁ ପୁଣି ଚିଠି ଲେଖିଛନ୍ତି । ୧୦ ଦିନ ପାଇଁ ୨୫ ଲକ୍ଷ କୋଭିସିଲ୍ଡ ଟିକା ଯୋଗାଇବାକୁ ଅନୁରୋଧ କରିଛନ୍ତି ।
ସଂକ୍ରମଣ ବେଳେ ସଂଜୀବନୀ ଅଭାବ । ରାଜ୍ୟରେ କୋଭିଡ୍ ଟିକାର ସ୍ୱଳ୍ପ ପରିମାଣ ଓ ଅନିୟମିତ ଯୋଗାଣ ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ସୁଦ୍ଧା ରାଜ୍ୟକୁ ୫୦ ଲକ୍ଷ ୭୯ ହଜାର ୬୫୦ କୋଭିଡ୍ ଟିକା ଯୋଗାଇ ଦିଆଯାଇଛି । ତା ଭିତରୁ ୪୫ ଲକ୍ଷ ୪୨ ହଜାର ୮୭୦ ଡୋଜ୍ କୋଭିସିଲ୍ଡ ହୋଇଥିବାବେଳେ ବାକି ୫ ଲକ୍ଷ ୩୬ ହଜାର ୭୮୦ ହେଉଛି କୋଭାକ୍ସିନ। ତେବେ ବର୍ତ୍ତମାନ ଟିକାକରଣ କେନ୍ଦ୍ରରେ କୋଭିସିଲ୍ଡ ଟିକା ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟରେ ପ୍ରତ୍ୟେକ ଦିନ ୩ ଲକ୍ଷ ଟିକାକରଣ କ୍ଷମତା ରହିଛି । ଟିକାର ଅଭାବ ଯୋଗୁଁ କିନ୍ତୁ ଟିକାଦାନ କେନ୍ଦ୍ରରେ ଯୋଜନା ମୁତାବକ ଟିକାକରଣ ହେଇପାରୁନାହିଁ । ତେଣୁ ତୁରନ୍ତ ୧୦ ଦିନ ପାଇଁ ୨୫ ଲକ୍ଷ କୋଭିସିଲ୍ଡ ଟିକା ଦେବାକୁ ନବ ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠିଲେଖି ଜଣାଇଛନ୍ତି ।