THE BYAPINI

ମୁର୍ଦ୍ଦାର ପାଲଟୁଛି ମଣିଷ…

Get real time updates directly on you device, subscribe now.

ଆଖି ଖୋଲିଲେ ମୃତ୍ୟୁ, ଆଖି ବୁଜିଲେ ମଶାଣୀ… ମାଳ ମାଳ ଶବ, ମୃତ୍ୟୁର ବିଭୀଷିକା । ମହାମାରୀ ପାଇଁ ସବୁଠି ହାହାକାର, ଶବର ସତ୍କାର ପାଇଁ ଚିତ୍କାର । ବଞ୍ଚିଥିବା ବେଳେ ଜୀବନ ପାଇଁ ସଂଗ୍ରାମ, ପ୍ରାଣ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ । ଆଉ ମଲା ପରେ ବି ଶବ କରେ ସଙ୍ଘର୍ଷ । ଦାହ ସଂସ୍କାର ପାଇଁ ଧାଡି କରେ ପ୍ରାଣ ନଥିବା ହାଡମାଂସର ଶରୀର । ଯାହା ଦେଖି ନଥିଲା ମଣିଷ, ତାହା ଦେଖାଉଛି ମହାମାରୀ । କରୋନାର ଦ୍ୱିତୀୟ ଦଫାରେ ଏତେ ଦାରୁଣ ଦୁଃଖ ଦେଶ ସାମ୍ନା କରୁଛି ତାହା ଶବ୍ଦରେ କହିବା ସମ୍ଭବନୁହେଁ । କରୋନା ପାଇଁ କହିବାକୁ ଗଲେ ଦେଶରେ ଏକ ପ୍ରକାର ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ।

ଏଠି ଅକ୍ସିଜେନର ଅଭାବ, ଏଠି ଔଷଧର ଅଭାବ । ଶବ ପାଇଁ ସ୍ଥାନର ଅଭାବ । ଏଇ ଅଭାବ ପାଇଁ ଆଖିବୁଜେ ମଣିଷ, ଆଉ ଆଖି ବୁଜିବା ପରେ ବି ମୁର୍ଦ୍ଦାରର ପିଛା ଛାଡେନି ଅଭାବପଣ । ସଂକ୍ରମିତ ଶବକୁ ସିନା ମଶାଣୀରେ ଖାଲି ଜାଳି ଦିଆଯାଏ କିନ୍ତୁ ସଂସ୍କାର ପାଇଁ ଅଭାବରେ ରହେ ଶବ । ମଲା ପରେ ମଣିଷକୁ ଛୁଇଁପାରେନି ସମ୍ପର୍କୀୟ । ଆତ୍ମୀୟସୋଜନଙ୍କ କାନ୍ଧରେ ବି ଶବ ଶ୍ମଶାନ ଯାଇପାରେନି । ନିଜ ପୁଅ ହାତରୁ ମୁଖାଗ୍ନୀ ପାଏନି ମଣିଷ । ପିପିଇ କିଟ୍ ପିନ୍ଧା ପର ଲୋକ ମୁହଁରେ ଗୁଞ୍ଜି ଦିଅନ୍ତି ନିଆଁର ପିଣ୍ଡୁଳା । ରୀତିନୀତିର ଅଭାବରେ ଦିଖଣ୍ଡ କାଠରେ ତରଳି ଯାଏଁ ଶବର ଶରୀର । ସଂକ୍ରମିତ ବୋଲି ଅଭାବପଣ ନେଇ ଅତୃପ୍ତ ହୋଇ ପାଉଁଶ ପାଲଟେ ଶବ । ଦେଶର ବିଭିନ୍ନ ରାଜ୍ୟର ସ୍ଥିତି ଏବେ ଏମିତି । କରୋନା ପାଇଁ ମଣିଷ କେଉଁ ପରିସ୍ଥିତିରେ ଗତି କରୁଛି ତାହା କେବଳ ଆସୁଥିବା ଚିତ୍ର ହିଁ ବୟାନ କରୁଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏମିତି କିଛି ଛବି ଯାହା ଛାତି ଥରାଇ ଦେବ । କେଉଁଠି ମଶାଣୀର ମାଳମାଳ ଜୁଳି ପାଇଁ ରାତିର କିଟମିଟ ଅନ୍ଧାର ଆଲୋକିତ ହେଉଛି । କେଉଁଠି ଜୁଇ ଜଳୁଛି ଯେ ଜଳୁଛି, ଶବ ସରୁନି, ଜୁଇ ଲିଭୁନି । ପୁଣି କେଉଁଠି ହସ୍ପିଟାଲ ବେଡର ଅଭାବ ପାଇଁ ରୋଗୀ ହନ୍ତସନ୍ତ ହେଉଛନ୍ତି । ଗୁରୁତର ରୋଗୀଙ୍କ ପାଇଁ ବେଡ ମିଳୁନି । ଗୋଟିଏ ପରେ ଗୋଟିଏ ମେଡିକାଲ ବୁଲୁଛନ୍ତି, ନିରାଶ ହେବା ଛଡା ଆଉ କିଛି ମିଳୁନି । ସାଧାରଣ ଲୋକ ତ ଦୂରର କଥା ନେତା, ମନ୍ତ୍ରୀ, ଆଇଏଏସ ଅଧିକାରୀଙ୍କୁ ବି ବେଡ୍ ମିଳୁନି । ସମସ୍ତଙ୍କର କରୋନା ପାଇଁ କୁହାନାଳ ପରିସ୍ଥିତି । ଆଉ ଯେଉଁଠି ବେଡ୍ ମିଳୁଛି ସେଠି ଅକ୍ସିଜେନର ଅଭାବ । ଲୋକେ ଏତେ ଆକ୍ରାନ୍ତ ହେଉଛନ୍ତି ଯେ ଗୋଟିଏ ବେଡରେ ୨ ଜଣଙ୍କୁ ଚିକିତ୍କା କରାଯାଉଛି । ଆଇସିୟୁର ଅଭାବ, ଅକ୍ସିଜେନର ଅଭାବ, ବେଡ୍ ବି ଅଭାବ । ଅଭାବ ଅଭାବ ଭିତରେ କେମିତି ଭୂତାଣୁ ସହ ଲଢାଯିବ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ସେପଟେ କରୋନା ଲଢେଇରେ ରାଜନୀତି କମୁନି । ଟୀକା କୁହନ୍ତୁ କି ଅକ୍ସିଜେନ । ସବୁଥିରେ ଅଭାବ ପରିଲକ୍ଷିତ ହୋଇଥିବା ବେଳେ ରାଜନୀତିରେ କିନ୍ତୁ ଲୋକଙ୍କ ପାଇଁ ସବୁ ମହଜୁଦ ରହିଛି ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ବଡ ବଡ ମନ୍ତ୍ରୀ ସମସ୍ତେ ସବୁକିଛି ଠିକଠାକ ଥିବା କହୁଛନ୍ତି । କିନ୍ତୁ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି… ଆଉ ଏସବୁ ଭିତରେ ମଶାଣୀ, ମରଶରୀର, ଅବ୍ୟବସ୍ଥାର ଚିତ୍ର ସମସ୍ତଙ୍କୁ ବ୍ୟଥିତ କରୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.