କିଏ କାହାର ବି-ଟିମ୍?
ବିଧାନସଭାର ଶୀତକାଳୀନ ଅଧିବେଶନ ଧୋଇଗଲା ପରୀକୁ ନ୍ୟାୟ ଦେବା ଦାବିରେ । ସ୍ୱାଭାବିକ ଭାବେ ଯେତେବେଳେ ଏକ ବ୍ୟବସ୍ଥା ବିଫଳ ହୁଏ, ପୋଲିସ ପ୍ରଶାସନ ଉପରୁ ଭରସା ତୁଟିଯାଏ ସେତେବେଳେ ବିଧାନସଭାରେ ସ୍ୱର ପ୍ରତିଫଳନ ହେବା ସ୍ୱାଭାବିକ କଥା ଏବଂ ଏହା ଉଚିତ ମଧ୍ୟ । ସାଧାରଣ ଲୋକଟିର ସ୍ୱର ଯେତେବେଳେ ଜନ ପ୍ରତିନିଧି ସାଜନ୍ତି, ସେତେବେଳେ ଗଣତାନ୍ତ୍ରିକ ଏହି ବ୍ୟବସ୍ଥା ଉପରେ ଗର୍ବ ଆସେ । ହେଲେ ଆଜିର ଦିନରେ ନ୍ୟାୟ ଦେବା ପାଇଁ ଲଢେଇ କରୁ କରୁ ଯେତେବେଳେ କଥା ରାଜନୈତିକ ମାଇଲେଜ ନେବା ପର୍ଯ୍ୟନ୍ତ ପହଁଚିଯାଏ, ସେତେବେଳେ ସାଧାରଣ ଲୋକ କେବଳ ଦର୍ଶକ ସାଜିଥାନ୍ତି । ଆଉ ସବୁ କିଛି ହରାଇ ବସିଥିବା ଏକ ପରିବାରକୁ ନେଇ ରାଜନୈତିକ ଗୋଟିଚାଳନା ଆରମ୍ଭ ହୋଇଯାଏ ।
କଂଗ୍ରେସ ଆଉ ବିଜେପି ମିଳିତ ଭାବେ ସରକାର ଉପରେ ଚାପ ସୃଷ୍ଟି କରି ପରୀ ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ । ପ୍ରଥମେ କ୍ରାଇମବ୍ରାଂଚ ତଦନ୍ତ ଆଉ ପରେ ଏସଆଇଟି ଗଠନ ହେଲା । କଂଗ୍ରେସ କହିଲା ଏହା ଆମର ବିଜୟ, କାରଣ ଏସଆଇଟି ତଦନ୍ତ ପାଇଁ ଦଳ ଦାବି କରୁଥିଲା । ହେଲେ ବିଜେପି କିନ୍ତୁ ଥିଲା ନଛୋଡବନ୍ଧା । ଦଳର ଦାବି ଥିଲା ଅରୁଣ ସାହୁଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ସିବିଆଇ ତଦନ୍ତ ଦାବି । ଯେଉଁ କଥାଟି ଅବୁଝା ହୋଇ ରହିଗଲା, ତାହା ହେଲା ବିଜେପି ପରୀକୁ ନ୍ୟାୟ ଦେବାକୁ ଉଦ୍ୟମ କରୁଥିଲା ନା ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ହିଁ ଏକମାତ୍ର ଉଦ୍ଦେଶ୍ୟ ଥିଲା?
ଶୀତକାଳୀନ ଅଧିବେଶନରେ ଯେତେବେଳେ ପରୀ ତାତି ବଢୁଥିଲା ସେତେବେଳେ ବିଜେପି ଆଉ କଂଗ୍ରେସ ମଧ୍ୟରେ କଳି ମଧ୍ୟ ବେଶ ଜମୁଥିଲା । ପରୀ ମାମଲାରେ କାହାର ବିଜୟ ହେଲା ଆଉ କାହାର ପରାଜୟ ତାକୁ ନେଇ ବୟାନର ପାହାଡ ତିଆରି ହୋଇଥିଲା । ଆରୋପ ପ୍ରତ୍ୟାରୋପର ଧାରା ସରକାର ବଦଳରେ ନିଜ ନିଜ ଭିତରେ ଚାଲିଥିଲା । କଂଗ୍ରେସର ଅଭିଯୋଗ ଥିଲା ବିଜେଡି ବଂଚାଇବାକୁ ଯାଇ ବିଜେପି ଗୃହ ଚଲାଇ ଦେଉନାହିଁ । ଆଉ ବିଜେପିର ଅଭିଯୋଗ କଂଗ୍ରେସ ବିଜେଡିର ବି-ଟିମ୍ ହୋଇ କାମ କରୁଛି । ଇଏ ବଡ ରୋଚକ କଥା ଯେ ଜଣେ ନାବାଳିକା ନିଖୋଜ ଆଉ ମୃତ୍ୟୁ ମାମଲାରେ ନ୍ୟାୟ ପ୍ରଦାନ କରିବାକୁ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ଆରମ୍ଭ କରିଥିବା ଉଦ୍ୟମ ନିଜ ନିଜ ଭିତରେ କାଦୁଅ ଫିଙ୍ଗାଫିଙ୍ଗି ହୋଇ ସରିଗଲା ।
ଏହି ପୁରା ଘଟଣା କ୍ରମରେ କିଏ କଣ ପାଇଲା ଯେତିକି ଅନୁଶୀଳନ ହେବା କଥା ନୁହେଁ, ତାଠାରୁ ଅଧିକ ମହତ୍ୱ ରଖୁଛି ପରୀକୁ ନ୍ୟାୟ ଦେବାକୁ ଆମ ବ୍ୟବସ୍ଥା ସଫଳ ହୋଇପାରିବ କି ନାହିଁ ।
ଓଡିଶା ରାଜନୀତିରେ କିଏ କାହାର ବି-ଟିମ୍ ଏହାକୁ ନେଇ ଅନେକ ବାର ଅନୁଶୀଳ ହୋଇଛି । ୨୦୧୭ ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନରେ କଂଗ୍ରେସକୁ ଦୁଇ ନମ୍ବରରୁ ତିନି ନମ୍ବରକୁ ଠେଲି ରାଜ୍ୟରେ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଥିଲା ବିଜେପି । କୁହାଗଲା ଏହି ସମୟରେ କଂଗ୍ରେସର ଭୋଟ ବିଜେପି ଆଡକୁ ଚାଲିଗଲା । ୨୦୧୯ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଲା । ଭୋଟ ପ୍ରତିଶତରେ ଆଉ ଆସନରେ ଉଭୟ ଜାଗାରେ ବିଜେପି କଂଗ୍ରେସ ଠାରୁ ଆଗରେ ରହିଲା । ଏହାର ଅର୍ଥ କଣ ବିଜେପି କଂଗ୍ରେସ ବି-ଟିମ୍? ରାଜନୀତିରେ କାହାର ଶକ୍ତି ବଢିବ ଆଉ କାହାର ଶକ୍ତି କମିବ, ତାହା ଭୋଟରଙ୍କ ଉପରେ ନିର୍ଭର କରେ । ଲୋକଙ୍କ ପାଇଁ ଯିଏ ଚିନ୍ତା କରିବ, ସିଏ ଲୋକଙ୍କ ଭିତରେ ରହିବ ଏହାହିଁ ଗଣତନ୍ତ୍ରର ସବୁଠାରୁ ରୋଚକ ଦିଗ ।
ହେଲେ ବିଜେପି ଯେଉଁ ଦିଗଟି ସବୁବେଳେ ଚର୍ଚ୍ଚାକୁ ଆଣୁଛି ତା ହେଲା ବିଜେପୁର, ପାଟକୁରା, ବାଲେଶ୍ୱର ଭଳି ଉପ-ନିର୍ବାଚନ ଗୁଡିକରେ କଂଗ୍ରେସ ତାର ସତ୍ତା ହରାଇ ବସିଲା, ଯାହାଫଳରେ ବିଜେଡି ଏସବୁ ଆସନରେ ବାଜିମାତ୍ କରିଥିଲା । କଂଗ୍ରେସ ତାର ଭୋଟ ବ୍ୟାଙ୍କ ବିଜେଡି ପାଖରେ ସମର୍ପି ଦେବାରୁ ଶାସକ ଦଳ ସହଜରେ ବାଜି ମାରିଥିଲା ବୋଲି ବିଜେପି ଲଗାତର ଭାବେ ଅଭିଯୋଗ କରିଆସୁଛି । ତେଣୁ ଏହି ଉକ୍ତିକୁ ଯଦି ବିଶ୍ୱାସ କରାଯାଏ, ତେବେ କଣ କଂଗ୍ରେସ ବିଜେଡିର ବି-ଟିମ୍ କି?
ସାରା ଭାରତରେ ଯେଉଁ ଧାରା ଦେଖିବାକୁ ମିଳୁଛି ସେଥିରେ କଂଗ୍ରେସ ଦୁର୍ବଳ ହେଉଛି ଆଉ ବିଜେପି ତାର ଶକ୍ତି ବଢାଇ ଚାଲିଛି । କଂଗ୍ରେସର ନେତା ବିଜେପିରେ ସାମିଲ ହେଉଛନ୍ତି । ଏହାର ଅର୍ଥ କଣ ବିଜେପି କଂଗ୍ରେସର ବି-ଟିମ୍? ତେଣୁ ଯେଉଁ ଯୁକ୍ତି ଆଧାରରେ ବିଜେପି ଚେଷ୍ଟା କରୁଛି କଂଗ୍ରେସ ଓ ବିଜେଡିର ସଂପର୍କକୁ ସାମ୍ନାକୁ ଆଣିବାକୁ ତାହା ଏତେ ମାତ୍ରାରେ ଗ୍ରହଣୀୟ ହେଉନାହିଁ । ବରଂ ଯଦି ନିଜ ଶକ୍ତି ବଢାଇ ଦଳ ବିଜେଡିକୁ ଆହୁରି କଡା ଟକ୍କର ଦେବାକୁ ଚେଷ୍ଟା କରନ୍ତା ତେବେ ରାଜ୍ୟ ରାଜନୀତି ଆହୁରି ରୋଚକ ମୋଡକୁ ଆସିଯାନ୍ତା ।
ବିଧାନସଭାର ଗୃହ ଭିତରେ କିଏ କାହାର ବି-ଟିମ୍ ତାକୁ ଉପସ୍ଥାପନ କରିବାକୁ ଯାଇ କଂଗ୍ରେସ ଆଉ ବିଜେପି ଦଳ ଯେତିକି ସମୟ ଆଉ ଶକ୍ତି ଅପଚୟ କରିଛନ୍ତି, ସେତିକିରେ ଯଦି ସାଧାରଣ ଲୋକଟିଏର ଏକ ବଡ ସମସ୍ୟାର ସାମାଧାନ ହୋଇପାରନ୍ତା, ତେବେ ରାଜ୍ୟ ରାଜନୀତିର କାୟା ବଦଳିବାର କୈାଣସି ଆଶଙ୍କା ରୁହନ୍ତାନି ।