ଫେରାର କରିଥିଲେ ବନ୍ଧା ହେଲେ
କଟକ ଏସସିବିରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ପୋଲିସର କାର୍ୟ୍ୟାନୁଷ୍ଠାନ । ଫେରାର ହେବା ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରାଯାଇଛି। ୨ ଅଭିଯୁକ୍ତ ସମ୍ବଲପୁର ଜେଲ ଓ୍ବାର୍ଡର ଏବଂ ହାଇଦରର ସୁରକ୍ଷା ଦାୟିତ୍ବରେ ଥିବା କନଷ୍ଟେବଲ ମହମ୍ମଦ ମୌସିମଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ଏସ୍ସିବିରେ ହାଇଦର ଚିକିତ୍ସିତ ହେଉଥିବା ବେଳେ ସୁରକ୍ଷା ଦାୟିତ୍ବରେ ଥିଲେ କନଷ୍ଟେବଲ ମହମ୍ମଦ ମୌସିମ । ଏହା ପୂର୍ବରୁ ହାଇଦରକୁ ଖସାଇବାରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।
ଗ୍ୟାଙ୍ଗଷ୍ଟର ହାଇଦର ଧରାପଡିବା ପରେ ଏବେ ଆକ୍ସନ ମୋଡରେ ପୋଲିସ । ଫେରାର ହେବା ଘଟଣାରେ କିଏ କିଏ ସାମିଲ ଥିଲେ ସେନେଇ ଜୋରଦାର ଦଦନ୍ତ ଆରମ୍ଭ କରିଛି । ହାଇଦର ଫେରାର୍ ମାମଲାରେ ପୋଲିସ ଏବେ ସୁଦ୍ଧା ୭ ଜଣଙ୍କୁ ଗିରଫ କଲାଣି । ହାଇଦରକୁ ଫେରାର କରାଇବାରେ ସମ୍ବଲପୁର ଜେଲ ଓ୍ବାର୍ଡର ଏବଂ ହାଇଦରର ସୁରକ୍ଷା ଦାୟିତ୍ବରେ ଥିବା କନଷ୍ଟେବଲ ମହମ୍ମଦ ମୌସିମଦୁହିଁଙ୍କ ଭୂମିକା ଥିବା ପୋଲିସ କହିଛନ୍ତି ।ଏପ୍ରିଲ୍ ୧୦ ତାରିଖରେ ଗ୍ୟାଙ୍ଗଷ୍ଟର ହାଇଦର କଟକ ଏସସିବିର ସର୍ଜରୀ ୱାର୍ଡ କ୍ୟାବିନରୁ ଫେରାର୍ ହୋଇଯାଇଥିଲା ।
ହାଇଦର ଫେରାର ପରେ କଟକ କମିଶନରେଟ୍ ପୋଲିସ ପକ୍ଷରୁ ୬ ଗୋଟି ଟିମ୍ ବିଭିନ୍ନ ରାଜ୍ୟରେ ରେଡ୍ କରିଥିଲା । ଶେଷରେ ୧୫ ତାରିଖ ରାତିରେ ବାଇକରେ ଯାଉଥିବା ବେଳେ ତେଲଙ୍ଗାନାରେ ହାଇଦରକୁ ମାଡ଼ି ବସିଥିଲା ପୋଲିସ । ୧୬ରେ ବିମାନ ଯୋଗେ ଭୁବନେଶ୍ୱର ଆଣିବା ପରେ କୋର୍ଟର ହାଜର କରାଯାଇଥିଲା । ହାଇଦରକୁ ୭ ଦିନ ଲାଗି ରିମାଣ୍ଡରେ ନେବାକୁ ପୋଲିସକୁ କୋର୍ଟ ଅନୁମତି ଦେଇଥିଲେ । ତେବେ ୧୭ ତାରିଖରେ ରିମାଣ୍ଡ ଆରମ୍ଭ ପୂର୍ବରୁ ହାଇଦରର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା ।