ସଂକଟ ମୋଚକ ନବୀନ
କରୋନା ମହାମାରୀ ଦ୍ୱିତୀୟ ପର୍ଯ୍ୟାୟ ଦେଶରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଦେଶରେ ବିଭିନ୍ନ ରାଜ୍ୟରେ ଦେଖାଦେଇଛି ଅମ୍ଲଜାନ ସମସ୍ୟା । ଦିଲ୍ଲୀରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଜୀବନ ବଂଚାଇବାକୁ ସଂଘର୍ଷ କରୁଛନ୍ତି ରୋଗୀ । ଏପରି ସଂକଟ ସମୟରେ ଦିଲ୍ଲୀକୁ ସହାୟତାର ହାତ ବଢାଇବ ଓଡିଶା । ଦିଲ୍ଲୀକୁ ଅକ୍ସିଜେନ ପଠାଇବ ଓଡିଶା । ଦିଲ୍ଲୀରେ ଏପରି ବିପତି ସମୟରେ ସଂକଟ ମୋଚକ ସାଜିବେ ନବୀନ ।
ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସାମ୍ବାଦିକ ସମ୍ମିଳନୀ କରି ଅମ୍ଲଜାନ ପାଇଁ ଓଡିଶାକୁ ପ୍ରଶଂସା କରିଛନ୍ତି ।ଓଡ଼ିଶାରୁ ବିମାନ ଯୋଗେ ଦିଲ୍ଲୀକୁ ଅକ୍ସିଜେନ ଆସିବା ନେଇ କହିଛନ୍ତି କେଜ୍ରିୱାଲ । ବିଭିନ୍ନ ରାଜ୍ୟରୁ ଆସୁଥିବା ଅକ୍ସିଜେନ ଗାଡି ଗୁଡିକ ଦିଲ୍ଲୀରେ ପହଞ୍ଚିପାରୁନି । କାରଣ ଗାଡି ଗୁଡିକୁ ବିଭିନ୍ନ ରାଜ୍ୟରେ ଅଟକାଯାଉଛି । ଯାହା ଫଳରେ ଠିକ୍ ସମୟରେ ଅକ୍ସିଜେନ ପହଞ୍ଚି ନପାରିବାରୁ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି । ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି କେଜ୍ରିୱାଲ । ଏଭଳି ବିପତ୍ତି ସମୟରେ ଏକାଠି ହୋଇ ଲଢିବା ବଦଳରେ ଯଦି ରାଜ୍ୟ ଗୁଡିକ ପରସ୍ପରକୁ ସହଯୋଗ ନ କରନ୍ତି ତେବେ ଦେଶ ବଞ୍ଚିବନି । ତେଣୁ ସମସ୍ତ ରାଜ୍ୟଗୁଡିକୁ ପରସ୍ପରକୁ ସହଯୋଗ କରିବାକୁ ଅପିଲ୍ କରିଛନ୍ତି କେଜ୍ରିୱାଲ ।
ଏହା ସହ କେଜରିୱାଲ କେନ୍ଦ୍ର ଓ ଦିଲ୍ଲୀ ହାଇକୋର୍ଟକୁ ମଧ୍ୟ ପ୍ରଶଂସା କରିଛନ୍ତି । ଦିଲ୍ଲ ୀରେ ଅକ୍ସିଜେନ ଅଭାବକୁ ପୂରଣ କରିବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି । ଦିଲ୍ଲୀରେ ଅତ୍ୟଧିକ ମାତ୍ରାରେ ଅକ୍ସିଜେନ ପହଚାଂଇବାକୁ କେନ୍ଦ୍ର ସରକାର ବିଭିନ୍ନ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହାସହ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅନ୍ୟ ରାଜ୍ୟକୁ ଯାହା ବି ସହାୟତା ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ । ଯଦି ଦିଲ୍ଲୀ ପାଖରେ ଅଧିକ ଔଷଧ ରହିଛି ଓ ରୋଗୀ କମ ଅଛନ୍ତି ତେବେ ଅନ୍ୟ ରାଜ୍ୟକୁ ଔଷଧ ପଠାଇବ ଦିଲ୍ଲୀ ସରକାର । କାରଣ ଏବେ ସବୁ ରାଜ୍ୟ ପରସ୍ପରକୁ ସହଯୋଗ କରିବା ସହ ଏକାଠି ହୋଇ ଲଢିଲେ ହିଁ ଦେଶ ମହାମାରୀ ସଙ୍କଟରୁ ରକ୍ଷା ପାଇବ । ଏବେ ଦିଲ୍ଲୀରେ ଅକ୍ସିଜେନର ପ୍ରବଳ ମାତ୍ରାରେ ଅଭାବ ଦେଖିବାକୁ ମିଳୁଥିବା ବେଳେ କେହି ରୋଗୀ ଯେପରି ଅକ୍ସିଜେନ ଅଭାବରୁ ମୃତ୍ୟୁ ବରଣ ନ କରନ୍ତି ସେଥିପାଇଁ ମିଶନ ମୋଡରେ କାମ କରୁଛନ୍ତି କେଜ୍ରିୱାଲ ସରକାର ।