THE BYAPINI

ଅପରାଜିତା ଭୁଲିଗଲେ, ଧର୍ମେନ୍ଦ୍ର ଶୁଭେଚ୍ଛା ଦେଲେ?

Get real time updates directly on you device, subscribe now.


ପଦ୍ମ ଦଳର ରାଜ୍ୟ ପ୍ରଭାରୀଙ୍କୁ ଭୁଲିଗଲେ କି ଭୁବନେଶ୍ୱର ସାଂସଦ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା ଓ ଶୁଭକାମନା ଟ୍ୱିଟ୍ ପରେ ଏଭଳି ଏକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଧର୍ମେନ୍ଦ୍ରଙ୍କ ଏହି ଟ୍ୱିଟ୍ କାହା ପାଇଁ ଥିଲା ଏବଂ ଭୁବନେଶ୍ୱର ସାଂସଦ ଓ ରାଜ୍ୟ ପ୍ରଭାରୀଙ୍କ ସହ ଏହି ଟ୍ୱିଟର ସମ୍ପର୍କ ବା କଣ ସେ ବାବଦରେ ଜାଣିବାକୁ ହେଲେ ଧର୍ମେନ୍ଦ୍ରଙ୍କ ଟ୍ୱିଟର ପେଜରୁ ୨୨ ତାରିଖର ଟ୍ୱିଟ୍ ଖେଳାଇବାକୁ ପଡିବ । ଯେଉଁଥିରେ ରାଜ୍ୟ ବିଜେପିର ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଆଉ ଧର୍ମେନ୍ଦ୍ରଙ୍କ ଏହି ଟ୍ୱିଟ୍ ସାମ୍ନାକୁ ଆସିବା ପରେ ଅପରାଜିତାଙ୍କ ଟ୍ୱିଟର ପେଜ ଖୋଜିବା ଆରମ୍ଭ କରିଥିଲେ ରାଜନୀତିରେ ରୁଚି ରଖୁଥିବା ଲୋକେ । କିନ୍ତୁ ଅପରାଜିତାଙ୍କ ଟ୍ୱିଟର ପେଜରେ ପୁରେନ୍ଦେଶ୍ୱରୀଙ୍କ ପାଇଁ ସେଭଳି କୌଣସି ଜନ୍ମଦିନ ଶୁଭେଚ୍ଛାର ପୋଷ୍ଟ ଦେଖିବାକୁ ମିଳିନଥିଲା । ଆଉ ଏହାକୁ ନେଇ ଏବେ ଏକ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।

କିଛି ମାସ ପୂର୍ବେ ଭୁବନେଶ୍ୱର ସାଂସଦ ଓ ରାଜ୍ୟ ପ୍ରଭାରୀଙ୍କ ଭିତରେ କିଭଳି ସୁସମ୍ପର୍କ ରହିଥିଲା ସେ ବାବଦରେ ଆମେ ପାଠକଙ୍କୁ ଅବଗତ କରିଥିଲୁ । ପୁରନ୍ଦେଶ୍ୱରୀ ପ୍ରଭାରୀ ଦାୟିତ୍ୱ ନେଉ ନେଉ ତାଙ୍କୁ ଏକା ଏକା ଦିଲ୍ଲୀରେ ଭେଟିବା ଓ ପ୍ରଥମ ଓଡ଼ିଶା ଗସ୍ତ ସମୟରେ ପ୍ରଭାରୀଙ୍କ ପାଖେ ପାଖେ ରହିବା କେଉଁଠି ନା କେଉଁଠି ସଂକେତ ଦେଉଥିଲା ଯେ, ପୁରନ୍ଦେଶ୍ୱରୀଙ୍କ ନିକଟତର ହେଉଛନ୍ତି ଅପରାଜିତା । କାରଣ ପୁରନ୍ଦେଶ୍ୱରୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମୟରେ ରାଜ୍ୟ ବିଜେପିର ପୋଷ୍ଟରବୟ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଖିବାକୁ ମିଳିନଥିଲା । ପ୍ରଭାରୀ ଆସିବେ, ଆଉ ପ୍ରଧାନ ବାବୁ ଆସିବେନି ଏକଥାକୁ ସହଜରେ ଗ୍ରହଣ କରିପାରୁନଥିଲେ ବିଜେପିର ଟାଣୁଆ ଗୋଷ୍ଠୀ । ଯାହା ସଂକେତ ଦେଉଥିଲା ପୁରନ୍ଦେଶ୍ୱରୀଙ୍କ ଗୁଡବୁକରେ ବୋଧହୁଏ ନାହାନ୍ତି ଧର୍ମେନ୍ଦ୍ର । ଆଉ ଏହାର ଝଲକ ମଧ୍ୟ ପରବର୍ତ୍ତୀ ସମୟରେ ଦେଖିବାକୁ ମିଳିଥିଲା । ପିପିଲି ପାଇଁ ପ୍ରାର୍ଥୀ ଚୟନ ଚାଲିଥିବା ବେଳେ ମଧ୍ୟ ମୁକୁଙ୍କ ଦର୍ଶନ ମିଳିନଥିଲା । କିନ୍ତୁ ଅନ୍ୟପଟେ ପ୍ରଭାରୀଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ଅପରାଜିତା ଦଳରେ ନିଜର ପତିଆରା ବଢାଉଥିବା ଚର୍ଚ୍ଚା ହେଉଥିଲା ।

କିନ୍ତୁ ମାସ କେଇଟା ଭିତରେ ପଦ୍ମ ଦଳର ପଲିଟିକ୍ସରେ ବଡ ଧରଣର ହଲଚଲ ହୋଇଥିବା ଦଳୀୟ ମହଲରୁ ଆଭାସ ମିଳିଛି । ଦଳରେ ଏକାଧିକ ଗୋଷ୍ଠୀକୁ ନେଇ ପୁରନ୍ଦେଶ୍ୱରୀ ବେଶ ଅସନ୍ତୁଷ୍ଟ ଥିବା ଜଣାପଡିଛି । ଯେହେତୁ ଧର୍ମେନ୍ଦ୍ରଙ୍କ କ୍ୟାମ୍ପକୁ ଅଧିକ ନେତାଙ୍କ ସମର୍ଥନ ରହିଛି ତେଣୁ ଏହି କ୍ୟାମ୍ପକୁ ନେଇ ଆଗକୁ ବଢିବାକୁ ପୁରନ୍ଦେଶ୍ୱରୀ ଏକପ୍ରକାର ମନବଳାଇଥିବା କୁହାଯାଉଛି । ଯାହା ଅପରାଜିତାଙ୍କୁ ବଡ ଝଟକା ଦେଇଛି । ରାଜ୍ୟରେ ଅପରାଜିତାଙ୍କର ଲୋକପ୍ରିୟତା ରହିଥିଲେ ମଧ୍ୟ ସାଙ୍ଗଠନିକ ଦୃଷ୍ଟିରୁ ଧର୍ମେନ୍ଦ୍ର ପୂରା ଦଳକୁ ନିଜ ଅକ୍ତିଆରରେ ରଖିଥିବାରୁ ପ୍ରଧାନ ବାବୁଙ୍କ କ୍ୟାମ୍ପ ଉପରେ ପୁରନ୍ଦେଶ୍ୱରୀ ଭରସା କରୁଥିବା ଚର୍ଚ୍ଚା ହେଉଛି । ଏହାଛଡା ପାର୍ଟି ଲାଇନରେ ନ ରହି ଅପରାଜିତା ନିଜ ଷ୍ଟାଇଲରେ କାମ କରିବା ପୁରନ୍ଦେଶ୍ୱରୀଙ୍କୁ ପସନ୍ଦ ଆସୁନାହିଁ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଭୁବନେଶ୍ୱର ସାଂସଦଙ୍କୁ ସଙ୍ଗଠନରୁ ସାଇଡଲାଇନ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ନେଇ ଆମ ବ୍ୟାପିନି ପ୍ରତିନିଧିଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏପରିକି ଅପରାଜିତାଙ୍କ କ୍ୟାମ୍ପ ଆଡକୁ ମୁହାଁଇଥିବା ନେତାଙ୍କୁ ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ଆଡକୁ ଆଣିବା ପଛରେ ପୁରନ୍ଦେଶ୍ୱରୀଙ୍କ ପ୍ରଚ୍ଛନ୍ନ ହାତ ଥିବା ଚର୍ଚ୍ଚା ହେଉଛି । ଯେଉଁଥିରେ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନାଁ ସବୁଠୁ ଅଧିକ ଚର୍ଚ୍ଚାରେ । କାରଣ କିଛି ମାସ ପୂର୍ବରୁ ଭୁବନେଶ୍ୱର ସାଂସଦଙ୍କ ଶିବିର ଆଡକୁ ସମ୍ବିତ ମୁହାଁଉଥିବା ନେଇ ଦଳୀୟ ମହଲରେ ଖବର ଘୂରି ବୁଲୁଥିଲା । କିନ୍ତୁ ଏବେ ସମ୍ବିତ ଏକପ୍ରକାର କେନ୍ଦ୍ରମନ୍ତ୍ରୀଙ୍କ କ୍ୟାମ୍ପରେ ଏଣ୍ଟ୍ରି ମାରି ସାରିଲେଣି । କେନ୍ଦ୍ରମନ୍ତ୍ରୀଙ୍କ ସହ ବୁଲି ପ୍ରଚାର କରିବା ଓ ଧର୍ମେନ୍ଦ୍ରଙ୍କୁ ନିଜର ନେତା ବୋଲି ଅଭିହିତ କରି ସମ୍ବିତ ଏଭଳି ସଂକେତ ଦେଇସାରିଛନ୍ତି । ଏପରିକି ଧର୍ମେନ୍ଦ୍ରଙ୍କ ପରେ ପରେ ସମ୍ବିତ ମଧ୍ୟ ସମାନ ଶୈଳୀରେ ପୁରନ୍ଦେଶ୍ୱରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀର୍ଘ ଜୀବନ କାମନା କରିଛନ୍ତି ।

ପତିଆରା ଲଢେଇ ଭିତରେ ପୁରନ୍ଦେଶ୍ୱରୀଙ୍କ ପାଇଁ ଜଣକ ପରେ ଜଣେ ନେତା ଅପରାଜିତାଙ୍କ କ୍ୟାମ୍ପ ଛାଡିବା ଚର୍ଚ୍ଚା ହେଉଛି । ଯାହା ଅପରାଜିତାଙ୍କ ପାଇଁ ବୋଧହୁଏ ଅସହ୍ୟ ହୋଇପଡିଛି । ନଚେତ ପ୍ରଭାରୀ ଦାୟିତ୍ୱ ପାଇବା ପରେ ପୁରନ୍ଦେଶ୍ୱରୀଙ୍କୁ ଦିଲ୍ଲୀରେ ଏକା ଭେଟୁଥିବା ଅପରାଜିତା ଜନ୍ମଦିନରେ ଶୁଭେଚ୍ଛା ଟିଏ ଜଣାଇବାକୁ ଭୁଲିଗଲେ ବା କିପରି? ନା ଜାଣିଶୁଣି ଜନ୍ମଦିନର ଶୁଭେଚ୍ଛା ନ ଜଣାଇ ପୁରନ୍ଦେଶ୍ୱରୀଙ୍କ ଟିମରୁ ନିଜକୁ ଦୂରେଇ ନେଇଛନ୍ତି ଅପରାଜିତା । କାରଣ ଯେଉଁଠି ଧର୍ମେନ୍ଦ୍ର ସ୍ପେଶାଲ ଗ୍ରାଫିକ୍ସ ଫଟୋ ଦେଇ ଶୁଭେଚ୍ଛା ଜଣାଉଛନ୍ତି ସେଠାରେ ଅପରାଜିତା ଚୁପ୍ ରହିବା କେଉଁଠି ନା କେଉଁଠି ସୂଚାଉଛି ଯେ, ପୁରନ୍ଦେଶ୍ୱରୀ ଓ ଅପରାଜିତାଙ୍କ ମଧ୍ୟରେ ପୂର୍ବଭଳି ଆଉ ସବୁ କିଛି ଠିକ୍ ନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.