THE BYAPINI

ଅଲବିଦା ଅମଜାଦ…

Get real time updates directly on you device, subscribe now.

ସଂକ୍ରମଣ ଫାଶରେ ସାମ୍ବାଦିକ । କରୋନାରେ ଆଖି ବୁଜିଲେ ପୁଣି ଜଣେ ସାମ୍ବାଦିକ । ଭୂତାଣୁ ତାର ଭୟାବହତା ବଜାର ରଖିଥିବା ବେଳେ ସାଧାରଣ ଲୋକଙ୍କ ସହ ଜଣେ ପରେ ଜଣେ କରୋନା ଯୋଦ୍ଧାଙ୍କ ଜୀବନ ନେଉଛି । ଆଉ ଏବେ ପୁଣି ଜଣେ କରୋନା ଯୋଦ୍ଧା କୋଭିଡ ଯୁଦ୍ଧ ଲଢୁ ଲଢୁ ହାରିଯାଇଛନ୍ତି । ଦୁନିଆକୁ ସବୁଦିନ ପାଇଁ ଅଲବିଦା କହିଛନ୍ତି ବରିଷ୍ଠ ସାମ୍ବାଦିକ ଅମଜାଦ ବାଦଶାହା । କରୋନାରେ ଆକ୍ରାନ୍‌ତ ହୋଇ ଆଖିବୁଜିଛନ୍ତି ସାମ୍ବାଦିକ ଅମଜାଦ । ଝାରସୁଗୁଡାର ଯୁବ ଓ ଜଣାଶୁଣା ସାମ୍ବାଦିକ ଅମଜାଦଙ୍କ ରବିବାର ସାଢେ ୪ଟାରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୪ ବର୍ଷ ବୟସ ହୋଇଥିଲା ।

ତେବେ ଗତ ଏପ୍ରିଲ ୭ରେ କରୋନାରେ ଆକ୍ରାନ୍ତ ହୋଇଥିଲେ ଅମଜାଦ । ପଜିଟିଭ ଚିହ୍ନଟ ପରେ ନିଜ ଫେସବୁକ ପେଜରେ ସୂଚନା ଦେଇଥିଲେ । ଆଉ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଟେଷ୍ଟ କରିବାକୁ କହିଥିଲେ । କରୋନା ସଂକ୍ରମିତ ହେବା ପରେ ତାଙ୍କୁ ପ୍ରଥମେ ଝାରସୁଗୁଡା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଜଟିଳ ହେବାରୁ ପରବର୍ତ୍ତୀ ସମୟରେ ରାଉରକେଲା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ଆଉ ଶେଷରେ କରୋନା ସହ ଲଢେଇ କରୁ କରୁ ତାଙ୍କର ପ୍ରାଣବାୟୁ ଉଡିଯାଇଛି ।

ସେପଟେ ଅମଜାଦଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଛନ୍ତି ପରିବାର ଲୋକେ । ସ୍ୱାମୀଙ୍କ ମୃତ୍ୟୁ ପରେ ଏବେ ସ୍ତବ୍ଧ ହୋଇଛନ୍ତି ସ୍ତ୍ରୀ । ଦୁଇଟି ପିଲା ବାପ ଛେଉଣ୍ଡ ହୋଇଛନ୍ତି । ଗତ ଦେଢମାସ ହେବ ତାଙ୍କର ପୁଅଟିଏ ହୋଇଥିଲା । ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଥିଲେ କି ମୋ ପୁଅକୁ ୪୫ ଦିନ ପୂରିଲା ବୋଲି । ପୁଅଝିଅଙ୍କୁ ନେଇ ବେଶ ଖୁସିଥିଲେ ଅମଜାଦ । ହେଲେ କରୋନା ତାଙ୍କ ଖୁସିରେ କାଳି ବୋଳିଦେଲା । ଆଉ ଶେଷରେ ସେପାରିକୁ ପଠାଇଦେଲା ।

୨୦୦୫ ମସିହାରେ ଇଟିଭିରୁ ସାମ୍ବାଦିକତାର କ୍ୟାରିୟର ଆରମ୍ଭ କରନ୍ତି ଅମଜାଦ । ପରେ ପରେ ବିଭିନ୍ନ ଚାନେଲ, ପତ୍ର ପତ୍ରିକାରେ କାମ କରିଛନ୍ତି । ପରିବେଶ ସୁରକ୍ଷା ଓ ଡେଭଲପମେଣ୍ଟାଲ ରିପୋର୍ଟିଂରେ ତାଙ୍କର ଖ୍ୟାତି ଥିଲା ଅନେକ । ତେବେ ବର୍ତ୍ତମାନ ସେ ସୋସିଓକ୍ରାଟ ଏବଂ ଏନଏଫଟିଭିରେ କନସଲଟିଂ ଏଡିଟର ଭାବେ କାମ କରୁଥିଲେ । ଭାରି ମେଳାପି, ମିଷ୍ଟଭାଷୀ, ପରୋପକାରୀ ଥିଲେ ଅମଜାଦ । ସମସ୍ତଙ୍କ ସହ ଭଲ ସମ୍ପର୍କ ଥିଲା । ସେଇଥିପାଇଁ ତ ତାଙ୍କ ଦେହାନ୍ତ ପରେ ପୂରା ଶୋକରେ ବୁଡିଛି ସାମ୍ବାଦିକତା ଜଗତ । ତାଙ୍କ ମୃତ୍ୟୁ ମିଡିଆ ଶିଲ୍ପ ପାଇଁ ଏକ ଅପୂରଣୀୟ କ୍ଷତି ।

ପୂର୍ବରୁ କରୋନା ସେମିତି ଜଣେ ଲୋକପ୍ରିୟ ସାମ୍ବାଦିକଙ୍କ ଜୀବନ ନେଇଛି । ଗତବର୍ଷ ନଭେମ୍ବର ମାସରେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ କରୋନାରେ ଦେହାନ୍ତ ହୋଇଥିଲା । ନ୍ୟୁଜ ୧୮ର ରିପୋର୍ଟର ଭାବେ କାର୍ଯ୍ୟ କରୁଥିବା ପ୍ରବୀର ପ୍ରଧାନ କରୋନା ସହ ଦୀର୍ଘ ଦିନ ହେବ ଲଢେଇ କରି କରି ହାରିଯାଇଥିଲେ । ପ୍ରବୀରଙ୍କ ପରଲୋକ ପୂର୍ବରୁ ସେହି କରୋନାରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ତେବେ ପ୍ରବୀରଙ୍କ ପରିବାରକୁ ଇତିମଧ୍ୟରେ ସରକାର ୧୫ ଲକ୍ଷ ଟଙ୍କା ସହାୟତା ଦେଇଥିବା ବେଳେ ଏବେ ଆଉଜଣେ ଲୋକପ୍ରିୟ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ଲଗାତାର ୪ ସାମ୍ବାଦିକଙ୍କ ମୃତ୍ୟୁ ପରେ ସଂକ୍ରମଣ ସମ.ରେ ସାମ୍ବାଦିକତା କରିବା, ଖବର ସଂଗ୍ରହ କରିବା ବଡ ଆହ୍ୱାନ ପାଲଟିଛି । କେମିତି ସୁରକ୍ଷିତ ରହି ଖବର ସଂଗ୍ରହ କରିହେବ ତାହା ବଡ ଚାଲେଞ୍ଜ ପାଲଟିଛି । ଖବର କଲା ବେଳେ ସମସ୍ତେ ନିଜ ଜୀବନକୁ ସୁରକ୍ଷିତ ରଖି କର୍ତ୍ତବ୍ୟ ସମ୍ପାଦନ କରନ୍ତୁ ।

Get real time updates directly on you device, subscribe now.

Leave A Reply

Your email address will not be published.