THE BYAPINI

ମହାମାରୀ ମୁକାବିଲାର ମହାନାୟକ

Get real time updates directly on you device, subscribe now.

ପ୍ରାକୃତିକ ବିପର୍ୟ୍ୟୟକୁ ଅତି ପାଖରୁ ଦେଖିଛନ୍ତି ।ପ୍ରାକୃତିକ ବିପର୍ୟ୍ୟୟର ସଫଳ ମୁକାବିଲା କରିଛନ୍ତି । ଆଉ ଏବେ ମହାମାରୀ ଭଳି ବିପର୍ୟ୍ୟୟର ମୁକାବିଲା ପାଇଁ ଦେଶକୁ ବାଟ ଦେଖାଉଛନ୍ତି । ଗତ ଦୁଇ ଦଶନ୍ଧି ମଧ୍ୟରେ ଦେଶରେ ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲାର ସବୁଠାରୁ ବଡ ଚେହେରା ଭାବେ ଉଭା ହୋଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏବେ ମହାମାରୀ ମୁକାବିଲା ପାଇଁ ଦେଶ ଆପଣାଉଛି ନବୀନଙ୍କ ଫର୍ମୁଲା । ଗତବର୍ଷ ନବୀନଙ୍କ କୋଭିଡ ପରିଚାଳନା ପୂରା ଦେଶ ପାଇଁ ଉଦାହରଣ ସୃଷ୍ଟି କରିଥିଲା । ଟ୍ରେସିଂ ଠାରୁ ଟ୍ରିଟମେଣ୍ଟ, ଅସ୍ଥାୟୀ ମେଡିକାଲ ଠାରୁ ଆରମ୍ଭ କରି ପଞ୍ଚାୟତସ୍ତରରୁ ସରପଞ୍ଚଙ୍କ ଦ୍ୱାରା କୋଭିଡ ପରିଚାଳନା କରାଇ ବେଶ ବାହାବା ସାଉଁଟିଥିଲେ ନବୀନ । ନବୀନଙ୍କ କୋଭିଡ ପରିଚାଳନା ମଡେଲକୁ ଦେଶରେ ଲାଗୁ କରି କରୋନାକୁ ନିୟନ୍ତ୍ରଣକୁ ଅଣାଯାଇପାରିଥିଲା ।

ଏବେ ପୁଣିଥରେ ମହାମାରୀ ସଙ୍କଟ ଉଗ୍ର ରୂପ ଧାରଣ କରିଥିବା ବେଳେ ନବୀନଙ୍କ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତି ପୁଣିଥରେ ତାଙ୍କୁ ମହାମାରୀ ଲଢେଇର ମହାନାୟକ ଭାବେ ସାମ୍ନାକୁ ଆଣିଛି । କାରଣ ଗୋଟିଏ ପଟେ ମହାମାରୀ ନିଆଁ ଭଳି ବ୍ୟାପୁଥିବା ବେଳେ ଅନ୍ୟପଟେ ନେତାଙ୍କ ପ୍ରଚାରରେ ଜମୁଥିଲା ହଜାର ହଜାର ଲୋକଙ୍କ ଭିଡ । ସାମାଜିକ ଦୂରତାର ନାରା ଦେଉଥିବା ନେତା ଶହ ଶହ ଲୋକଙ୍କୁ ଏକାଠି ହେବାର ସୁଯୋଗ ଦେଉଥିଲେ । ମହାମାରୀ ମୁକାବିଲା ନୁହେଁ ବରଂ ନିର୍ବାଚନ ବିଜୟ ସତେ ଯେମିତି ସବୁ ଦଳ ଓ ନେତାଙ୍କର ପ୍ରାଥମିକତା ପାଲଟିଥିଲା । କିନ୍ତୁ ଅନ୍ୟପଟେ ନବୀନ ଯେଉଁ ନିଷ୍ପତି ନେଇଥିଲେ ତାହା ପୂରା ଦେଶରେ ଉଦାହରଣ ସୃଷ୍ଟି କରିଥିଲା । ଲୋକଙ୍କ ଜୀବନ ବଡ, ନିର୍ବାଚନ ରାଲି ନୁହେଁ । ମହାମାରୀ ମୁକାବିଲା ପାଇଁ ଏହି ମନ୍ତ୍ର ଦେଶବାସୀଙ୍କ ଆଗରେ ରଖିଥିଲେ ନବୀନ । ପିପିଲି ଉପ-ନିର୍ବାଚନରେ ଦଳ କୌଣସି ପ୍ରଚାର କିମ୍ବା ରାଲି କରିବନି ବୋଲି ନିଷ୍ପତି ନେବା ସହ ଅନ୍ୟ ଦଳର ନେତା ଓ ନିର୍ବାଚନ କମିଶନର ଏ ବାବଦରେ ତର୍ଜମା କରିବାର ଆବଶ୍ୟକତା ବୋଲି ନବୀନ କହିଥିଲେ । ବୋଧହୁଏ ନବୀନ ଜାଣି ସାରିଥିଲେ ନିର୍ବାଚନ ପ୍ରଚାରରେ ହଜାର ହଜାର ଲୋକଙ୍କ ଭିଡ ଆଗକୁ କେଉଁଭଳି ପରିସ୍ଥିତି ସୃଷ୍ଟି କରିବ । ସେଥିପାଇଁ ତ ପ୍ରଚାରରେ ପୂର୍ଣ୍ଣଚ୍ଛେଦ ପକାଇ ମହାମାରୀ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଥିଲେ ନବୀନ । ଆଉ ଏହାର କିଛି ଘଣ୍ଟା ମଧ୍ୟରେ ହିଁ ନିର୍ବାଚନ ପ୍ରଚାରକୁ ନେଇ ବଡ ନିଷ୍ପତି ନେଇଥିଲେ ନିର୍ବାଚନ କମିଶନ । ଏପରିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜକୁ ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବାକୁ ନିଷ୍ପତି ନେଇଥିଲେ । ଯାହା ଦର୍ଶାଉଥିଲା ନବୀନଙ୍କ ଆହ୍ୱାନର ପ୍ରଭାବ ପୂରା ଦେଶ ଉପରେ ପଡିଥିଲା ।
ପ୍ରଚାର ବନ୍ଦ କରିଦେବା ପରେ ଯେ ସଙ୍କଟ ଟଳିଗଲା ତାହା ଭାବି ଚୁପ୍ ବସିବା ମୁଡରେ ନଥିଲେ ନବୀନ । ପୂରା ଦେଶରେ କରୋନା ରୋଗୀଟିଏ ଅକ୍ସିଜେନ ପାଇଁ ଅଣନିଶ୍ୱାସୀ ହୋଇପଡୁଥିଲା ସେତେବେଳେ ଅକ୍ସିଜେନ ରୂପକ ସଞ୍ଜିବନୀ ଦେଇ ସଙ୍କଟମୋଚକ ସାଜିଛନ୍ତି ନବୀନ । ଏହାଛଡା ଦ୍ୱିତୀୟ ଲହରର ସଂକ୍ରମଣକୁ ଦେଖି ରାଜ୍ୟରେ ଆଗୁଆ ସପ୍ତାହାନ୍ତ ସଟଡାଉନ, ନାଇଟକର୍ଫ୍ୟୁ ଭଳି ନିଷ୍ପତି ନେଇଛନ୍ତି ନବୀନ । ଏହାଛଡା ଅନ୍ୟରାଜ୍ୟ ଭଳି ଯେପରି କରୋନା ରୋଗୀଙ୍କ ପାଇଁ ଅକ୍ସିଜେନର ଅଭାବ ନହୁଏ ସେଥିପାଇଁ ଅକ୍ସିଜେନ ଉତ୍ପାଦନ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ କରୋନା ସଂକ୍ରମିତଙ୍କ ପାଇଁ ବେଡ ସଂଖ୍ୟା ବୃଦ୍ଧି କରିବା ସହ ସର୍ବାଧିକ ବେଡକୁ ଯେପରି ଅକ୍ସିଜେନ ସୁବିଧା ପହଞ୍ଚିପାରିବ ସେଥିପ୍ରତି ନଜର ରଖିବାକୁ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ସରକାରଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ, ଯେଉଁଥିପାଇଁ ରାଜ୍ୟର ସମସ୍ତ ଲୋକଙ୍କୁ ମାଗଣା ଟୀକା ଦେବାକୁ ନିଷ୍ପତି ନେଇଛନ୍ତି ନବୀନ । ଏବେ କରୋନା ଟିକା ସିଧାସଳଖ ରାଜ୍ୟ ସରକାର ଉତ୍ପାଦନ କରୁଥିବା ସଂସ୍ଥାଠାରୁ କିଣି ରାଜ୍ୟବାସୀଙ୍କୁ ମାଗଣାରେ ଦେବେ । ତେବେ ପ୍ରତିଟି ବିପର୍ୟ୍ୟୟକୁ ଅତି ସରଳ ଢଙ୍ଗରେ ମୁକାବିଲା କରିବାରେ କେମିତି ମାହିର ହେଲେ ନବୀନ । ଏହାପଛରେ ରହିଛି ୨ ଦଶନ୍ଧି ପୂର୍ବର କାହାଣୀ ।

ନବୀନଙ୍କ ରାଜନୈତିକ କ୍ୟାରିୟରକୁ ବର୍ଷ କେଇଟା ବିତିନଥିଲା, ଓଡ଼ିଶାକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିଲା ୧୯୯୯ର ମହାବାତ୍ୟା । ଉପକୂଳ ଓଡ଼ିଶାର ଚିତ୍ର ବଦଳି ଯାଇଥିଲା । ଆଉ ସେତେବେଳେ ଏହି ପ୍ରାକୃତିକ ବିପର୍ୟ୍ୟୟର ବିଭୀଷିକା ଦେଖିଥିଲେ ନବୀନ । ପ୍ରାକୃତିକ ବିପର୍ୟ୍ୟୟ କେତେ ଯେ ସାଂଘାତିକ ହୋଇପାରେ ତାହା ସେବେ ଅନୁଭବ କରି ସାରିଥିଲେ ନବୀନ । ଆଉ ୨୦୦୦ ମସିହାରେ ଯେତେବେଳେ ନବୀନ ଶାସନ କ୍ଷମତାରେ ବସିଲେ, ସେତେବେଳେ ଆରମ୍ଭ କରିଥିଲେ ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା ପାଇଁ ରଣନୀତି । କାରଣ ଭୌଗଳିକ ଦୃଷ୍ଟି କୋଣରୁ ପ୍ରତିବର୍ଷ ଓଡ଼ିଶା କିଛି ନା କିଛି ପ୍ରାକୃତିକ ବିପର୍ୟ୍ୟୟକୁ ସାମ୍ନା କରୁଥିଲା । ଆଉ ଏହାର ମୁକାବିଲା କରାନଗଲେ ପ୍ରତିବର୍ଷ ଓଡ଼ିଶାକୁ ଏଭଳି ବୀଭିଷିକା ସହିବାକୁ ପଡିବ ବୋଲି ଜାଣି ସାରିଥିଲେ ନବୀନ । ବିପର୍ୟ୍ୟୟକୁ ଅତି ପାଖରୁ ଦେଖିବା ସହ ବୁଝି ସାରିଥିଲେ ନବୀନ । ତେଣୁ ବିପର୍ୟ୍ୟୟର ମୁକାବିଲା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ ନବୀନ । ଜିରୋ କାଜୁଆଲିଟି, ଏହି ମନ୍ତ୍ର ସହ ବିପର୍ୟ୍ୟୟର ମୁକାବିଲା ଆରମ୍ଭ କଲେ ନବୀନ । ଦୀର୍ଘ ଦୁଇ ଦଶନ୍ଧି ଶାସନ ଗାଦିରେ ବସିବା ଭିତରେ ଓଡ଼ିଶା ଫନି, ଫାଇଲିନ, ହୁଡହୁଡ, ଅମ୍ଫାନ, ବନ୍ୟା ଭଲି ପ୍ରାକୃତିକ ବିପର୍ୟ୍ୟୟକୁ ସାମ୍ନା କରିଛି । କିନ୍ତୁ ପୂର୍ବଭଳି ଏହି ପ୍ରାକୃତିକ ବିପର୍ୟ୍ୟୟ ଓଡ଼ିଶାର ମେରୁଦଣ୍ଡକୁ ଭାଙ୍ଗିପାରିନି । ବରଂ ସାହସର ଏହାକୁ ସାମ୍ନା କରିଛି ନବୀନ ସରକାର । ପ୍ରାକୃତିକ ବିପର୍ୟ୍ୟୟରେ ଯେପରି କାହାର ଜୀବନ ନ ଯାଉ ସେଥିପାଇଁ ଲୋକଙ୍କୁ ଆଗୁଆ ସତର୍କ କରିବା ସହ ସୁରକ୍ଷାକବଚ ସାଜି ଛିଡା ହୋଇଛନ୍ତି ସରକାର । ଆଉ ଏଭଳି ଲଗାତାର ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା କରୁ କରୁ ପୂରା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ । ଯେଉଁଥିପାଇଁ ବିଶ୍ୱର ବିଭିନ୍ନ ଦେଶ ମଧ୍ୟ ନବୀନଙ୍କ ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା ଷ୍ଟାଇଲକୁ ବେଶ ପସନ୍ଦ କରିଛନ୍ତି । ଆଉ ଏବେ ଯେତେବେଳେ ମହାମାରୀ ଦେଶ ସମେତ ପୂରା ବିଶ୍ୱକୁ କବଳିତ କରିଛି ସେତେବେଳେ ଏହାର ମୁକାବିଲା ପାଇଁ ନବୀନ ଦେଇଛନ୍ତି ଗୁରୁମନ୍ତ୍ର । କାରଣ ନବୀନ ଦେଖିଛନ୍ତି ପ୍ରାକୃତିକ ବିପର୍ୟ୍ୟୟର ଭୟଙ୍କର ପରିଣତି । ତେଣୁ ସେଭଳି ସ୍ଥିତି ଯେପରି ନ ଉପୁଜୁ ସେଥିପାଇଁ ନବୀନ ଆଗୁଆ ନେଇଥାନ୍ତି ବଡ ନିଷ୍ପତି । ଯାହାକୁ ପରବର୍ତ୍ତୀ ସମୟରେ ପୂରା ଦେଶ ଆପଣାଇଥାଏ ।

Get real time updates directly on you device, subscribe now.

Leave A Reply

Your email address will not be published.