‘ତୁରନ୍ତ ବାତିଲ କର ପରୀକ୍ଷା’
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ମାଟ୍ରିକ୍ ବୋର୍ଡ ପରୀକ୍ଷା ବାତିଲ ହୋଇଥିବା ବେଳେ ଯୁକ୍ତ ୨ ପରୀକ୍ଷାକୁ ବାତିଲ ପାଇଁ ଦାବି କରିଛନ୍ତି ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ୪ ଦିନ ତଳେ ପରୀକ୍ଷା ବନ୍ଦ ଦାବିରେ ଧାରଣା ଦେଇଥିବା ବେଳେ ଆଜି ପୁଣି ଏକାଠି ହୋଇଛନ୍ତି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ । ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଏକାଧିକ କଲେଜର ଛାତ୍ରଛାତ୍ରୀ ଏକାଠି ହୋଇ ପରୀକ୍ଷା ବାତିଲ ଦାବିରେ ଅଡି ବସିଛନ୍ତି ।
ମାଟ୍ରିକ ପରୀକ୍ଷା ବାତିଲ ପରେ ପ୍ଲସ୍ ଟୁ ପରୀକ୍ଷା ବାତିଲ ଦାବିରେ ଗତ ୨୨ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ । ହେଲେ ସେତେବେଳେ ମନ୍ତ୍ରୀ ପିଲାମାନଙ୍କୁ କହିଥିଲେ ଯେ, ସେମାନେ ପାଠପଢାରେ ମନୋନିବେଶ କରନ୍ତୁ । ସ୍ଥିତି ସ୍ୱାଭାବିକ ହେଲେ ପରୀକ୍ଷା ହେବ । ହେଲେ ଏ ଯାଏ ପରୀକ୍ଷା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବାରୁ ପୁଣି ଥରେ ଆନ୍ଦୋଳନାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। କରୋନା ଯୋଗୁଁ ଯେମିତି ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଛି ଠିକ୍ ସେହିପରି ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି ।
ଯୁକ୍ତ ୨ ପରୀକ୍ଷାକୁ ନେଇ ଏଯାବତ୍ ତାରିଖ ସ୍ଥିର ହୋଇପାରୁନି। ସେଥିପାଇଁ ଆଗକୁ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀ ଅସୁବିଧା ସମ୍ମୁଖୀନ ହେବେ । ଏହାସହ ୧୦୦ ଦିନରେ ସମସ୍ତ କୋର୍ସ ପଢିହେବ ନାହିଁ ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।