ମେ୧ନୁହେଁ ୩ରୁ ହେବ କି ଟିକାକରଣ?
କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଆସନ୍ତା ମେ ପହିଲାରୁ ୧୮ରୁ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ମାଗଣା ଟିକା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଅଥାର୍ତ କୋଭିଡ ଟିକା ପାଇଁ ଜନସାଧାରଣଙ୍କୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ପଡିବନି । କିନ୍ତୁ ମେ ପହିଲାରୁ ଟିକାକରଣ ହୋଇପାରିବ କି ନାହିଁ ତାହାକୁ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି । ମେ ପହିଲାରୁ ନୁହେଁ ବରଂ ମେ ୩ରୁ ଏହି ମାଗଣା ଟିକାକରଣର ଶୁଭାରମ୍ଭ ହୋଇପାରେ । ଆଉ ଏହା ପଛର କାରଣ ହେଉଛି ରାଜ୍ୟ ସରକାର ଘୋଷଣା କରିଥିବା ସପ୍ତାହାନ୍ତ ସଟଡାଉନ ।
ଆସନ୍ତା ମେ ପହିଲା ଶନିବାରରେ ପଡୁଛି । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଶନିବାର ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ତେଣୁ ଏହି ସମୟରେ ୧୮ରୁ ୪୫ ବର୍ଷ ବୟସ୍କ ପାଇଁ ମାଗଣା ଟିକାକରଣର ଶୁଭାରମ୍ଭ ହୋଇନପାରେ । କାରଣ ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀ ସପ୍ତାହାନ୍ତ ସଟଡାଉନରେ ଟିକାକରଣ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଶନି-ରବି ସଟଡାଉନରେ ଟିକାକରଣ କେନ୍ଦ୍ରକୁ ସାନିଟାଇଜ କରାଯିବ ବୋଲି କୁହାଯାଇଥିଲା । ଏପରିକି ପୂର୍ବ ସପ୍ତାହାନ୍ତ ସଟଡାଉନରେ ମଧ୍ୟ ଟିକାକରଣ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିଲା । ତେଣୁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ବୟାନକୁ ବିଚାରକୁ ନେଲେ ଆସନ୍ତା ଶନି-ରବିବାରରେ ଟିକାକରଣ କାର୍ଯ୍ୟକ୍ରମ ସମ୍ଭବ ନୁହେଁ । ଅଥାର୍ତ ମେ ୧ ଓ ୨ରେ ସପ୍ତାହାନ୍ତ ସଟଡାଉନ ଯୋଗୁଁ ଟିକାକରଣ ହେବା ସମ୍ଭବ ନୁହେଁ । ତେଣୁ ମେ ୩ରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ମାଗଣା ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇପାରେ । ତେବେ ଏନେଇ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ଏଯାଏଁ ମିଳିପାରିନାହିଁ । ଯେଉଁଥିପାଇଁ ଲୋକଙ୍କ ମନରେ ଟିକିଏ ଦ୍ୱନ୍ଦ୍ୱ ଉପୁଜୁଛି ।
ଏସବୁ ଭିତରେ ୧୮ରୁ ୪୫ ବର୍ଷ ବୟସ୍କଙ୍କ ଟିକାକରଣ ପାଇଁ ସରକାର ୱେବ ପୋର୍ଟାଲରେ ପଞ୍ଜୀକରଣ ବ୍ୟବସ୍ଥା କରିଛନ୍ତି । ୨୮ ଏପ୍ରିଲରୁ କୋ-ୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ । ଥରେ ପଞ୍ଜୀକରଣ କରିବା ପରେ ମୋବାଇଲକୁ ଟିକାକରଣ ବାବଦରେ ସମସ୍ତ ସୂଚନା ଆସିବ । କେଉଁଠି ଟିକା ନେବେ ଓ କେବେ ନେବେ ସେ ବାବଦରେ ବିଶଦ ଭାବରେ ସୂଚନା ପାଇପାରିବେ ଲୋକେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ବେସରକାରୀ ଟିକାକରଣ କେନ୍ଦ୍ରରେ ହିଁ ୧୮ରୁ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଏହି ସୁବିଧା ମିଳିବ । କୌଣସି ସରକାରୀ ଟିକାକରଣ କେନ୍ଦ୍ରରେ ଏହି ବର୍ଗର ବ୍ୟକ୍ତିଙ୍କୁ ଟିକା ଦିଆଯିବ ନାହିଁ ।
ଅନ୍ୟପଟେ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ପୂର୍ବଭଳି ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣା ଟିକାକରଣ ବ୍ୟବସ୍ଥା ଜାରି ରହିବ । ପ୍ରଥମ ଡୋଜ ବେସରକାରୀ ଟିକାକରଣ କେନ୍ଦ୍ରରେ ନେଇଥିଲେ ମଧ୍ୟ ଦ୍ୱିତୀୟ ଡୋଜ ସରକାରୀ ଟିକାକରଣ କେନ୍ଦ୍ରରେ ନେଇପାରିବେ । କିନ୍ତୁ ଏହି ବର୍ଗର ଲୋକଙ୍କ ମଧ୍ୟରୁ ଯଦି କେହି ବେସରକାରୀ ଟିକାକରଣ କେନ୍ଦ୍ରରେ ଟିକା ନେବାକୁ ଚାହୁଁଥାନ୍ତି ତେବେ ଏଥିପାଇଁ ତାଙ୍କୁ ଟିକା କିଣିବାକୁ ପଡିବ । ଦୁଇଟି ଟିକା ପାଇଁ ଯେଉଁ ଦର ଧାର୍ଯ୍ୟ ହୋଇଛି ସେହି ମୂଲ୍ୟ ଦେଇ ଟିକା ନେଇପାରିବେ । ସେହିଭଳି କୋଭିଡ ଟିକା ନେବା ପରେ ଯଦି କେହି ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ସଂକ୍ରମଣରୁ ସୁସ୍ଥ ହେବାର ୪ ସପ୍ତାହ ପରେ ପୁଣିଥରେ ଟିକା ନେଇପାରିବେ ।