ଦିନ ୨ରୁ ସକାଳ ୫ ଯାଏଁ ଦୋକାନବଜାର ବନ୍ଦ
କରୋନାର ପ୍ରଥମ ପର୍ଯ୍ୟାୟରେ ଗଂଜାମରେ ଯେପରି ସ୍ଥିତି ସୃଷ୍ଟି ହୋଇଥିଲା । ଏବେ ସେମିତି ପରିସ୍ଥିତି ପୁଣି ସୃଷ୍ଟି ନହେଉ । ସେ ନେଇ ସତର୍କ ହୋଇପଡିଛି ଜିଲ୍ଲା ପ୍ରଶାସନ । ରାଜ୍ୟରେ ଏବେ ସଂକ୍ରମଣ ବଢୁଥିବା ବେଳେ ଗଂଜାମ ଜିଲ୍ଲାରେ କଟକଣା କଡାକଡି କରାଯାଇଛି । ଏଥର ଜିଲ୍ଲା ପ୍ରଶାସନ ସହ କାନ୍ଧ ମିଳାଇଛି ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ଓ ଉଠା ଦୋକାନୀ ସଂଘ।
ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ଓ ଉଠା ଦୋକାନୀ ସଂଘ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଦ୍ୱିପହର ୨ଟାରୁ ତା’ ପରଦିନ ସକାଳ ୫ ଟା ଯାଏ ବନ୍ଦ ରହିବ ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଦୋକାନ ବଜାର । ଆସନ୍ତା ୧୦ ଦିନ ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ଜିଲ୍ଲା ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିଲା । ତେବେ ଏହାକୁ ଆସନ୍ତା ମାସ ୯ ତାରିଖ ଯାଏ ବଳବତ୍ତର ରଖିବାକୁ ନିବେଦନ କରିଛନ୍ତି ଜିଲ୍ଲା ପ୍ରଶାସନ ।
ବ୍ୟବସାୟୀ ସଂଘର ନିଷ୍ପତ୍ତିକୁ ଜିଲ୍ଲାପାଳ ସ୍ୱାଗତ କରିଛନ୍ତି । ସେହିପରି ଲୋକମାନଙ୍କୁ ଏନେଇ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ରାଜ୍ୟରେ ଆଜି ଆଠ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରୁ ୮୩୮୬ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗଂଜାମ ଜିଲ୍ଲାରୁ ୨୦୯ ଜଣ ଚିହ୍ନଟ ହୋଇଛନ୍ତି ।