THE BYAPINI

କୋଭିଡ ବେଡ୍‌ରୁ ଭବିଷ୍ୟତର ସ୍ୱପ୍ନ

Get real time updates directly on you device, subscribe now.

ମୁଁ ପାଠ ପଢିବି, ପରୀକ୍ଷା ଦେବି । ଭଲ ଚାକିରି କରି ଭବିଷ୍ୟତ ଗଢିବି । ଅଟକାଇପାରିବନି କରୋନା,ବାଧା ଦେଇପାରିବନି ସଂକ୍ରମଣ, ମନୋବଳ ଭାଙ୍ଗିପାରିବନି ମହାମାରୀ । ମୁଁ ଜିତିବି ନିଶ୍ଚୟ ଜିତିବି । ମହାମାରୀର ଏ ମହାଯୁଦ୍ଧ ଜିତି, ଭୂତାଣୁର ଭଉଁରୀ ଆଡେଇ ଦିନେ ମୁଁ ଭଲ ହେବି…ମୁଁ ସୁସ୍ଥ ହେବି..

କଂଟାର ଜବାବ କଂଟାରେ ଦେବା ଭଳି, ପଜିଟିଭକୁ ପଜିଟିଭ ସହ ଲଢୁଛନ୍ତି ଏ ଛାତ୍ର । କରୋନା ହୋଇଛି ସତ, ହେଲେ ହସ୍ପିଟାଲ ଭିତରେ ହାରିନଯାଇ ମନରେ ସକାରାତ୍ମକ ଶକ୍ତି ଜାଗ୍ରତ କରି ସଂକ୍ରମଣ ସହ ସାମନା କରୁଛନ୍ତି ଏ ଯୁବକ ।
ଯେତେବେଳେ ଦେଶରେ କରୋନା ସଂକ୍ରମଣ ନେଇ ହାହାକର ପରିସ୍ଥିତି ଦେଖାଦେଇଛି । ପ୍ରତିଦିନ ବିଭିନ୍ନ ରାଜ୍ୟରୁ କରୋନା କାଳରେ ସାମ୍ନାକୁ ଆସୁଛି ଦାରୁଣ ଦୃଶ୍ୟ । କେଉଁଠି ଅମ୍ଲଜାନ ଅଭାବରୁ ରୋଗୀର ଜୀବନ ଚାଲିଯାଉଛି କେଉଁଠି ଜୀବନ ଗଲା ପରେ ଶ୍ମଶାନରେ ଜାଗା ମିଳୁନି । ସେହି ସମୟରେ ଓଡିଶାର ଗଂଜାମରୁ ଆସିଛି ଏଭଳି ଏକ ଚିତ୍ର ଯାହା ଆପଣଙ୍କ ମନୋବଳକୁ ବଢାଇଦେବ ନିଶ୍ଚୟ ।

କରୋନା ସଂକ୍ରମିତ ହୋଇ ଜଣେ ଯୁବକ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି । କିନ୍ତୁ ସେ ସଂକ୍ରମିତ ଥାଇ ବି ଡରିଯାଇନାହାନ୍ତି, ବିଚଳିତ ହୋଇନାହାନ୍ତି । ଯୁବକ ଜଣକ ମାସ୍କ ପିନ୍ଧି ହସ୍ପିଟାଲ ବେଡରେ ବସି ପାଠପଢୁଥିବା ନଜର ଆସିଛନ୍ତି । ଚାଟାର୍ଡ ଆକାଉଣ୍ଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ଯୁବକ ଜଣକ ।ଆଶା ନହାରି ଯୁବକ ଜଣକ ହସ୍ପିଟାଲ ବେଡରୁ ମଧ୍ୟ ନିଜ ପଢା ଜାରି ରଖିଛନ୍ତି । । ଆଉ ଯୁବକଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ଫଟୋଟି ସେତେବେଳେ ଉଠାଯାଇଥିଲା ଯେତେବେଳେ ଗଞ୍ଜାମ କଲେକ୍ଟର ବିଜୟ କୁଲଙ୍ଗେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ଗସ୍ତରେ ଯାଇଥିଲେ। ବିଜୟ କୁଲଙ୍ଗେ ଟ୍ୱିଟରରେ ଯୁବକଙ୍କ ଫଟୋ ସେୟାର କରି ତାଙ୍କ ସମର୍ପଣର ପ୍ରଶଂସା କରିଛନ୍ତି। ଯୁବକଙ୍କର ଏଭଳି ସମର୍ପଣ ଭାବକୁ ଦେଖି ବିଜୟ କୁଲଙ୍ଗେ ଲେଖିଛନ୍ତି, ‘ସଫଳତା ସଂଯୋଗ ନୁହେଁ, ସମର୍ପଣର ଆବଶ୍ୟକତା ରହିଛି।’ ।

ଗଂଜାମ ଜିଲ୍ଲାପାଳ ଯୁବକଙ୍କ ଏହି ଫଟୋ ଟୁଇଟରରେ ସେୟାର କରିବା ପରେ ଯୁବକଙ୍କୁ ବହୁ ଲୋକଙ୍କ ପ୍ରଶଂସା ଓ ଶୁଭେଚ୍ଚା ମିଳିଛି । ବିପଦ ସମୟରେ ହାର ନମାନି ସଂଗ୍ରାମ ଜାରି ରଖିଥିବା ଯୁବକ ଜଣଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଚା ଜଣାଇଛନ୍ତି ଗଂଜାମ ଜିଲ୍ଲାପାଳ ।

Get real time updates directly on you device, subscribe now.

Leave A Reply

Your email address will not be published.