ପରିବାର ପୋଛି ଦେଉଛି କରୋନା
କରୋନା କୂଳ ଉଜାଡିଦେଉଛି, ସଂକ୍ରମଣ ସଂସାର ଭାଙ୍ଗିଦେଉଛି, ଗୋଟେ ଗୋଟେ ପରିବାରକୁ ନିଶ୍ଚିହ୍ନ କରିଦେଉଛି । ଯାହାର ଜ୍ୱଳନ୍ତ ଛବି ଆସିଛି ନୟାଗଡରୁ । କରୋନାର ଇଏ ଏମିତି ଏକ ଖବର ଯାହା ପାଇଁ ଯେତେ ଶବ୍ଦ ବ୍ୟବହାର କଲେ ବି କମ ପଡିଯିବ । କରୋନା କେତେ ଭୟଙ୍କର ହୋଇପାରେ ତାହା ରଣପୁରର ଏ ଛାତିଥରା ଘଟଣା ବୟାନ କରୁଛି ।
କରୋନା ହେଲା ବୋଲି ଜୀବନ ହାରିଲେ ଦମ୍ପତ୍ତି । ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ସ୍ୱାମୀ-ସ୍ତ୍ରୀ । ତେବେ କରୋନା ପଜିଟିଭ ପରେ ଗାଁ ଲୋକଙ୍କ ଟାହିଟାପରା ସହି ନପାରି ଦୁହେଁ ଆତ୍ମହତ୍ୟା ଭଳି ଚରମ ପନ୍ଥା ଆପଣାଇ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଗତ ୨୭ ତାରିଖ ଦିନ ସ୍ୱାମୀସ୍ତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ତାପର ଦିନ ସେମାନେ ଔଷଧ ଖାଇଥିଲେ ହେଁ ପରେ ଘର ଭିତରେ ସେମାନଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା ।
ଉଭୟ ଦମ୍ପତ୍ତି ଭୁବନେଶ୍ୱରରେ ରୁହନ୍ତି । ଗତ ୩ ଦିନ ତଳେ ଗାଁକୁ ଯାଇଥିବା ବେଳେ ପରେ ସେମାନଙ୍କ ରିପୋର୍ଟ ପଜିଟିଭି ଆସିଥିଲା । ଆଉ ଗାଁରେ ରହୁଥିବାରୁ ଲୋକ ଲଜ୍ଜା, ଟାହିଟାପରାକୁ ସେମାନେ ସହ୍ୟ କରିପାରିନଥିବେ । ଯେଉଁଥିପାଇଁ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି । କରୋନାର ଏ କରୁଣ କାହାଣୀ ସବୁ ଘଟଣାକୁ ବଳିଗଲା । ଏହି ଘଟଣାରୁ ସ୍ପଷ୍ଟ ଜଣା ପଡିଲା ଯେ କରୋନା କିଛି ବି କରିପାରେ ବୋଲି ।
ସେପଟେ ଖାଲି ନୟାଗଡ ନୁହେଁ ମଧ୍ୟପ୍ରଦେଶରୁ ଆସିଛି କରୋନାକୁ ନେଇ ସେମିତି ଏକ ଆତ୍ମହତ୍ୟାର କାହାଣୀ । ଇନ୍ଦୋର ରାଜେନ୍ଦ୍ରନଗରର ପୱନ ଓ ନେହାଙ୍କ ଜୀବନକୁ କରୋନା ଛାରଖାର କରିଦେଇଛି । ସ୍ୱାମୀ କରୋନା ସଂକ୍ରମିତ ହେଲା ପରେ ସ୍ତ୍ରୀ ଏକା ଏକା କେମିତି ଜିଇଁବେ । ୧୮ ବର୍ଷ ଭଲପାଇବା ଓ ୫ ବର୍ଷ ବିବାହ ପରେ ନୂଆ ସ୍ୱପ୍ନ ଦେଖିଥିବା ଦମ୍ପତ୍ତି ମଧ୍ୟରୁ ଜଣେ ଦୂରେଇ ଗଲେ କେମିତି ଆଉ ଜଣେ ରହିବ । ସେ ଚିନ୍ତା ନେହାଙ୍କୁ ଘାରିଥିଲା । ଆଉ ସ୍ୱାମୀ ପୱନ ଶେଷ ନିଶ୍ୱାସ ତ୍ୟାଗ କରିବା ପରେ ନେହା ନେଇଥିଲେ ଚରମ ନିିଷ୍ପତ୍ତି । କରୋନା ସ୍ୱାମୀଙ୍କୁ ନେବା ପରେ ପରେ ସେ ମଧ୍ୟ ଆତ୍ମହତ୍ୟା କରିଥିଲେ ।
ବିହାର ପାଟଣାର ଏକ ଲୋମଟାଙ୍କୁରା ଖବର ବି ଆପଣଙ୍କୁ ଚକିତ କରିଦେବ । ସେଠି ବି କରୋନା ଗୋଟେ ସଂସାର ଉଜାଡି ଦେଇଛି । ସଂକ୍ରମଣ ସନ୍ଦେବ ସ୍ୱାମୀକୁ ସେତାନ ସଜେଇଛି । ଆଉ ସ୍ତ୍ରୀ ପଜିଟିଭ ହେଲା ବୋଲି ସ୍ୱାମୀ ତାକୁ ହତ୍ୟା କରିଛି । ତୁ କାହିଁକି ହେଲୁ ପଜିଟିଭ, ମାନସିକ ଚାପରେ ରହି ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ୱାମୀ । ଆଉ ଶେଷରେ ନିଜେ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।
ତେବେ ଉପରୋକ୍ତ ୩ଟି କାହାଣୀରେ ଭୂତାଣୁକୁ ନେଇ ଭିନ୍ନ ଭିନ୍ନ ହୋଇଥିଲେ ବି କରୋନା କିନ୍ତୁ ସବୁଠି ସମାନ କ୍ଷତି କରିଛି । କରୋନା କୋକୁଆ ଭୟ ଖେଳାଇଛି । ଆଉ ନୟାଗଡର ଏ ଘଟଣା ସମସ୍ତଙ୍କୁ ଚକିତ କରିଛି । ତେବେ ଗାଁଗଣ୍ଡା କିମ୍ବା ସହରରେ ରହୁଥିବା ଲୋକଙ୍କୁ ଏତିକି ଅନୁରୋଧ, କରୋନା କାହାକୁ କେତେବେଳ କେମିତି କବଜା କରିବ କେହି କହି ପାରିବେନି । ମାତ୍ର କରୋନା ସଂକ୍ରମିତ ହେବା ପରେ ଯେ ଆମେ ଉକ୍ତ ଆକ୍ରାନ୍ତଙ୍କୁ ଆଡ ଆଖିରେ ଦେଖିବା, ଘୃଣା କରିବା, ଟାହିଟାପରା କରିବା ତା ଆଦୌ ଉଚିତ ନୁହେଁ । କରୋନା ୧୦ ଦିନ ପରେ ଭଲ ହୋଇଯିବ ହେଲେ ଆପଣଙ୍କ ସେ ଘୃଣା ପାଇଁ ଗୋଟେ ଜୀବନ ସବୁଦିନ ପାଇଁ ଲିଭିଯିବ, ଗୋଟେ ପରିବାର ଉଜୁଡିଯିବ । ତେଣୁ ଦୟାକରୀ ଆକ୍ରାନ୍ତଙ୍କ ସହ ଏମିତି ବ୍ୟବହାର କରନ୍ତୁନି…