ଦିଲ୍ଲୀରେ ଆଉ ସପ୍ତାହେ ବଢିଲା ଲକଡାଉନ ଅବଧି
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ପୁଣି ବଢିଲା ଲକଡାଉନ୍ । ଆଉ ସପ୍ତାହେ ପାଇଁ ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଥିବା ବେଳେ ଏହାକୁ ନଜରରେ ରଖି କେଜ୍ରିଓ୍ବାଲ୍ ସରକାର ଲକ୍ଡାଉନ୍କୁ ଆଉ ଏକ ସପ୍ତାହ ବଢ଼ାଇ ଦେଇଛନ୍ତି। ଏହା ପୂର୍ବରୁ ଲାଗିଥିବା ଲକ୍ଡାଉନ୍ ଅବଧି ୩ ମେ’ ସକାଳ ୫ ପର୍ୟ୍ୟନ୍ତ ଥିଲା।
ଦିଲ୍ଲୀରେ ଲକ୍ଡାଉନ୍ ଅବଧି ଏବେ ୧୦ ମେ’ ସକାଳ ୫ ଯାଏ ଘୁଞ୍ଚାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନେଇ ଟ୍ବିଟ୍ରରେ ସୂଚନା ଦେଇଛନ୍ତି । ଏହି ସମୟରେ ପୂର୍ବ ଭଳି କଟକଣା ବଳବତ୍ତର ରହିବ । ଏହା ପୂର୍ବରୁ ବ୍ୟବସାୟୀ ସଂଗଠନ ୩ ମେ’ ପରେ ଦୋକାନ ଖୋଲିବ ନାହିଁ ବୋଲି ଘୋଷଣା କରିଥିଲା । ରାଜ୍ୟ ସରକାର ଆଉ ଗୋଟିଏ ସପ୍ତାହ ଲକ୍ଡାଉନ୍ ଘୁଞ୍ଚାଇଥିବା ବେଳେ ଏହାକୁ ଆଗକୁ ବଢ଼ାଯିବ କି ନାହିଁ ସେନେଇ ଜଣାପଡ଼ିନାହିଁ।
ଏପ୍ରିଲ ୧୯ ତାରିଖରେ ପ୍ରଥମେ ଦିଲ୍ଲୀରେ ଲକଡାଉନ୍ ଲାଗୁ କରାଯାଇଥିଲା । ଏହାପରେ ଏପ୍ରିଲ ୨୫ରେ ଏହାକୁ ପ୍ରଥମ ଥର ପାଇଁ ବୃଦ୍ଧି କରାଯାଇଥିଲା । ଆଉ ଏବେ ପୁଣିଥରେ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ଦିଲ୍ଲୀରେ କରୋନା ସଂକ୍ରମଣର ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଂଟାରେ ଦିଲ୍ଲୀରୁ ୨୪ ହଜାରରୁ ଅଧିକ ନୂଆ କେସ୍ ସାମ୍ନାକୁ ଆସିଛି । ସେହିପରି ୩ ଶହରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।