ମେ’ ଦ୍ୱିତୀୟ ସପ୍ତାହରେ ବାତ୍ୟା!
ମେ’ ମାସରେ ପୁଣି ବାତ୍ୟା ଆଶଙ୍କା । ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ଦାନା ବାନ୍ଧିପାରେ ଲଘୁଚାପ । ଆମେରିକାର ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ମଡେଲ ଅନୁସାରେ ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧୨ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ । ଆଉ ୧୩ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।
ଗତ ବର୍ଷ ମେ’ ମାସ ୧୩ ତାରିଖରେ ଦକ୍ଷିଣ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହୋଇଥିଲା, ଯାହା ୧୮ ତାରିଖରେ ବାତ୍ୟାର ରୂପ ନେଇଥିଲା । କେବଳ ଓଡିଶା ଓ ପଶ୍ଚିମବଙ୍ଗ ନୁହେଁ ବିହାର ଓ ଝାଡଖଣ୍ଡକୁ ମଧ୍ୟ ଏହି ବାତ୍ୟା ଛୁଇଁପାରେ । ଏହାସହ ମେ ୯ ତାରିଖ ଆଡକୁ ଆଣ୍ଡାମାନ ନିକଟରେ ଆଉ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଉଛି । ଏହି ଘୂର୍ଣ୍ଣିବଳୟ ଘନିଭୂତ ହୋଇ ମିଆଁମାର ଆଡକୁ ଗତି କରିବ ବୋଲି ଆକଳନ କରାଯାଉଛି। ଆଗାମୀ ସପ୍ତାହରେ ସୃଷ୍ଟି ହେବାକୁ ଥିବା ଏହି ଦୁଇ ଘୂର୍ଣିବଳୟ କିଭଳି ରୂପ ନେବ ଓ ଏହାର ପ୍ରଭାବ ଓଡିଶା ଉପରେ ରହିବ କି ନାହିଁ ସେନେଇ ଏବେଠୁ ଆକଳନ କରାଯାଇ ପାରିବନି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।
୨୦୨୦ ମେ ମାସରେ ଅମ୍ଫାନ ବାତ୍ୟା ଆସିଥିଲା। ତାପୂର୍ବରୁ ୨୦୧୯ରେ ମଧ୍ୟ ମେ ମାସରେ ଫନି ବାତ୍ୟା ଓଡିଶା ଉପକୂଳରେ ତାଣ୍ଡବ ରଚିଥିଲା । ଯେହେତୁ ମେ ମାସରେ ପ୍ରାକ୍ ମୌସୁମି ବର୍ଷା ଆରମ୍ଭ ସହ ବଙ୍ଗୋପ ସାଗରରେ ସାଇକ୍ଲୋନ ହେବା ପୂର୍ବ ନଜିର ରହିଛି ତେଣୁ ଏଭଳି ଆକଳନ କରାଯାଉଛି ।