ମୁଁ ତ ଘରେ, ମୋ ଟୀକା ନେଲା କିଏ…
ଟୀକା ନେଇଥିବାରୁ ଆପଣଙ୍କ ଧନ୍ୟବାଦ । ସଂକ୍ରମଣ ରୋକିବାକୁ ସଫଳତାପୂର୍ବକ ଟୀକା ଗ୍ରହଣ କରିଥିବାରୁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ । ମୋବାଇଲରେ ଏମିତି ମେସେଜ ଦେଖି ଆଚକା ହୋଇଗଲେ ମହିଳା । ମୁଁ ତ ଘରେ ଅଛି ଟୀକା ନେଲା କିଏ । ନା ଟୀକାକରଣ କେନ୍ଦ୍ରକୁ ଯାଇଛି ନା ଟୀକା ନେଇଛି । ତଥାପି ମୋବାଇଲକୁ ଟୀକା ନେଇଥିବା ନେଇ ମେସେଜ ଆସିଛି । ଜଣଙ୍କ ନାଁରେ ସ୍ଲଟ ବୁକ ହୋଇ ଅନ୍ୟଜଣେ ଟୀକା ନେଇଯାଇଥିବା ନେଇ ହୋଇଛି ସାଙ୍ଘାତିକ ଅଭିଯୋଗ । ଆଉ ଏ ଅଭିଯୋଗ କେଉଁ ଗାଁ ଗଣ୍ଡାରୁ ଆସିନି ବରଂ ଖୋଦ ରାଜଧାନୀରୁ ଆସିଛି । ଭୁବନେଶ୍ୱର ବମିଖାଲରେ ଟୀକା ଚୋରି ନେଇ ଗୁରୁତର ଅଭିଯୋଗ କରିଛନ୍ତି ରାଜଧାନୀର ଜଣେ ମହିଳା ସୁବର୍ଣ୍ଣା ।
ତେବେ ସୁବର୍ଣ୍ଣା ଏପ୍ରିଲ ୨୯ ତାରିଖରେ ଟିକା ନେବା ପାଇଁ କୋ-ୱିନ ଆପରେ ନାମ ପଞ୍ଜିକରଣ କରିଥିଲେ । ନାମ ପଞ୍ଜିକରଣ ପରେ ସ୍ପର୍ଶ ହସ୍ପିଟାଲରେ ଏପ୍ରିଲ ୩୦ ତାରିଖରେ ଟିକା ନେବା ପାଇଁ ସ୍ଲଟ ବୁକିଂ ହୋଇଥିଲା । ହେଲେ ସୁବର୍ଣ୍ଣା ୩୦ ତାରିଖରେ ଟିକା ନେବାକୁ ଯାଇପାରିନଥିଲେ । ମେ ୧ରେ ସୁବର୍ଣ୍ଣାଙ୍କ ମୋବାଇଲକୁ ଟିକା ନେଇସାରିଥିବା ମେସେଜ ଆସିଥିଲା । ତେଣୁ ତାଙ୍କ ନାଁରେ ଅନ୍ୟ କେହି ଟିକା ନେଇଥିବା ଅଭିଯୋଗ କରିଛନ୍ତି ସୁବର୍ଣ୍ଣା ଭୋଇ ।
ଭୁବନେଶ୍ୱରରେ ଟିକାନେବାକୁ ଗତ କିଛି ଦିନ ହେବ ହନ୍ତସନ୍ତ ହେଉଛନ୍ତି ଲୋକେ । କେଉଁଠି ଟୀକା ନାହିଁ ତ କେଉଁଠି ଟୀକାକେନ୍ଦ୍ରରେ ପ୍ରବଳ ଭିଡ । ଭୂତାଣୁ ଭୟ ଭିତରେ ସାରା ଦେଶ ନିଜ ଦେହରେ ଟୀକା ନେଉଥିବା ବେଳେ ରାଜ୍ୟରେ ବି ଜୋରଦାର ଚାଲିଛି ଟୀକାକରଣ । ମେ ୧ରୁ ୧୮ରୁ ୪୫ ବର୍ଷ ଲୋକଙ୍କୁ ଟୀକାକରଣ ଚାଲିଥିବା ବେଳେ ଟୀକାର ଅଭାବ ବି ଦେଖାଯାଉଛି । ଆଉ ଏହି ଟୀକାର ଅଭାବ ଭିତରେ ରାଜଧାନୀରେ ଏମିତି ଏକ ଖବର ଟୀକାର ଆବଶ୍ୟକତାକୁ ବଖାଣୁଛି । ଆଉ ବ୍ୟବସ୍ଥାର ନଗ୍ନ ରୂପକୁ ସାମ୍ନାକୁ ଆଣୁଛି । ଯେଉଁଠି ଜଣଙ୍କ ନାଁରେ ଟୀକା ଆଉ ଜଣେ ନେଇଯାଉଛି ଆଉ ଟୀକା ଚୋରିର ଅଭିଯୋଗ ଆସୁଛି ୟା ଠାରୁ ଲଜ୍ଜାଜନକ କଥା ଆଉ କଣ ହୋଇପାରେ… ସତରେ ସମାଜ କେଉଁ ଦିଗରେ ଗତି କରୁଛି ଏଥିରୁ ସ୍ପଷ୍ଟ ଜଣାପଡୁଛି…