ଏଇ ମାସରେ କମିବ କରୋନା!
ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । କେବେ କମିବ କରୋନା ? କେବେ ଶୀର୍ଷକୁ ଛୁଇଁବ ସଂକ୍ରମଣ? ତେବେ ଭାରତ ସରକାରଙ୍କ କରୋନା ସଂପର୍କିତ ଗାଣିତିକ ମଡେଲ ଏକ୍ସପର୍ଟ ପ୍ରଫେସର ଏମ ବିଦ୍ୟାସାଗର କହିବା ଆନୁସାରେ ଆସନ୍ତାକାଲି ସୁଦ୍ଧା ଶୀର୍ଷ ଛୁଇଁବ କରୋନା ଦ୍ୱିତୀୟ ଲହରର ସଂକ୍ରମଣ । ଆଉ ସାରାଦେଶରେ କରୋନାର ସଂକ୍ରମଣ ଚଳିତ ସପ୍ତାହ ଶେଷ ସୁଦ୍ଧା ନିମ୍ନଗାମୀ ହେବ ।
ଚଳିତମାସ ଶେଷ ସୁଦ୍ଧା କରୋନାର ପ୍ରକୋପ କମିଯିବ ବୋଲି ଆଶା କରିଛନ୍ତି କରୋନା ସଂପର୍କିତ ଗାଣିତିକ ମଡେଲ ଏକ୍ସପର୍ଟ ପ୍ରଫେସର ଏମ ବିଦ୍ୟାସାଗର । ବିଭିନ୍ନ ରାଜ୍ୟରେ ଭିନ୍ନଭିନ୍ନ ସମୟରେ ସଂକ୍ରମଣ ଶୀର୍ଷ ଛୁଇଁପାରେ ବୋଲି ସେ କହିଛନ୍ତି । ପ୍ରଥମ ଲହରରେ ପ୍ରାୟ ସାଢେ ୩ ମାସ ଲାଗିଥିଲା କରୋନା ସଂକ୍ରମଣ ଶୀର୍ଷ ଛୁଇଁବାକୁ । ସେହିପରି ଦ୍ୱିତୀୟ ଲହରରେ ସଂକ୍ରମଣର ଗତି ଖୁବ ଦ୍ରୁତ ରହିଥିବା ଦେଖାଯାଉଛି । ଏପ୍ରିଲ ପହିଲା ବେଳକୁ ଦୈନିକ ସଂକ୍ରମଣ ୭୫ ହଜାର ରହିଥିଲା । ଗୋଟିଏ ମାସ ପରେ ଏହା ୪ ଲକ୍ଷରୁ ଅଧିକ ସ୍ତରକୁ ଛୁଇଁଗଲା ।
ମେ’ ଶେଷ ବେଳକୁ ଦେଶରେ ଦୈନିକ ସଂକ୍ରମଣ ୧.୨ ଲକ୍ଷ ରହିପାରେ ବୋଲି ସେ ଅନୁମାନ କରୁଛନ୍ତି ।
ସେହିପରି ଇଟାଲିରେ ଗତବର୍ଷ ଅଗଷ୍ଟ ମଧ୍ୟ ଭାଗରେ ଆରମ୍ଭ ହୋଇଥିଲା କରୋନାର ଦ୍ୱିତୀୟଲହର । ୯୦ ଦିନର ବ୍ୟବଧାନ ପରେ ଇଟାଲିରେ ଶୀର୍ଷ ଛୁଇଁଥିଲା କରୋନା ଦ୍ୱିତୀୟ ଲହରର ସଂକ୍ରମଣ । ସ୍ପେନରେ ଜୁଲାଇ ଶେଷ ଆଡକୁ ଶୀର୍ଷରେ ପହଂଚିଥିଲା କରୋନା ଦ୍ୱିତୀୟ ଲହରର ସଂକ୍ରମଣ । ସ୍ପେନରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ପ୍ରାୟ ୧୧୦ ଦିନ ଧରି ରହିଥିଲା ।