ଦୁଇ ଜଣରେ ଜଣେ ପଜିଟିଭ, ଜାଣନ୍ତୁ କେଉଁ ଜିଲ୍ଲାରେ?
ପଶ୍ଚିମ ଓଡିଶାର ଦୁଇ ପ୍ରମୁଖ ଜିଲ୍ଲାର ସଂଖ୍ୟା ପଛର ତଥ୍ୟ ଆପଣଙ୍କ ହୋସ୍ ଉଡାଇଦେବ । ସମ୍ବଲପୁରରେ ପ୍ରତି ଦୁଇ ଜଣରେ ଜଣେ ପଜିଟିଭ । ଏଭଳି ସାଂଘାତିକ ସ୍ଥିତି ଦେଇ ଗତି କରୁଛି ପଶ୍ଚିମ ଓଡିଶାର ଏହି ପ୍ରମୁଖ ଜିଲ୍ଲା । ସୁନ୍ଦରଗଡରେ ମଧ୍ୟ ସମାନ ସ୍ଥିତି । ଏଠି ବି ପ୍ରତି ଦୁଇ ଜଣରେ ଜଣେ ପଜିଟିଭ୍ । ୫୦ ପ୍ରତିଶତ ଉପରେ ଏହି ଦୁଇ ଜିଲ୍ଲାରେ ରହୁଛି ପଜିଟିଭିଟି ରେଟ୍ । ରେଡ ଜୋନରେ ରହୁଥିବା ଉଭୟ ସ୍ଥାନରେ ସଂପୁର୍ଣ୍ଣ ସ୍ୱାସ୍ଥ୍ୟସେବା ଉପରେ ଏକ ବଡ ଚାପ ସୃଷ୍ଟି ହେଲାଣି । ଫଳରେ ସାଧାରଣ ଲୋକ କରୋନାରେ ଆକ୍ରାନ୍ତ ହେଲେ କଣ କରିବେ, ତାକୁ ନେଇ ଚିନ୍ତାରେ । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ର ପଶ୍ଚିମ ଓଡିଶାରୁ ହୋଇଥିଲେ ମଧ୍ୟ ଉଭୟ ସ୍ଥାନ ପ୍ରତି ତାଙ୍କର ଆଚରଣ ସଂପୁର୍ଣ୍ଣ ଭାବେ ଭିନ୍ନ ପ୍ରକାରର ରହିଛି । ଯାହା ଅନେକ ପ୍ରଶ୍ନ ମଧ୍ୟ ଉଠାଉଛି । ବଡ କଥା ହେଉଛି ଏହି ଦୁଇ ଜିଲ୍ଲାରେ ପଜିଟିଭିଟି ରେଟ, ରାଜ୍ୟ ପଜିଟିଭୀଟି ରେଟ ଠାରୁ ବି ଯଥେଷ୍ଟ ଉ ପରେ ରହିଛି ।
ଛତିଶଗଡ ଭୁତାଣୁ ସାରା ପଶ୍ଚିମ ଓଡିଶାରେ ଆତଙ୍କ ଖେଳାଇଥିବା ବେଳେ ରାଜ୍ୟ ସରକାରଙ୍କର ସୀମା ସିଲ ନୀତିରେ ବିଳମ୍ବ ହେବା ଏବଂ କରୋନା ସ୍ଥିତିର ମୁକାବିଲା ପାଇଁ ବିଳମ୍ବରେ ପଦକ୍ଷେପ ନେବା ହିଁ ବିପର୍ଯ୍ୟୟ ପଛର ମୂଳ କାରଣ ବୋଲି କୁହାଯାଉଛି । ପଶ୍ଚିମବଙ୍ଗ ସହ ସୀମା ସିଲ ପାଇଁ ସରକାର ଯେଭଳି ତପରତା ଦେଖାଇଲେ ଏବଂ ଆନ୍ଧ୍ର ସହ ସୀମା ସିଲ ନେଇ ଯେଉଁ ଉଦ୍ୟମ କଲେ ତାହା ପଶ୍ଚିମ ଓଡିଶା କ୍ଷେତ୍ରରେ ଦେଖିବାକୁ ମିଳିଲା ନାହିଁ । ହୁଏତ ଏତେ ବଡ ଅଂଚଳକୁ ସିଲ୍ କରିବା ସରକାରଙ୍କ ପକ୍ଷରେ ସମ୍ଭବପର ନୁହେଁ ବୋଲି ସରକାର ହାତ ଟେକିଦେଲେ ନଚେତ ଆସୁଥିବା ବିପଦକୁ ବୁଝି ପାରିଲେ ନାହିଁ ରାଜ୍ୟ ସରକାର ।
ଦ୍ୱିତୀୟ ଲହରର ମୁକାବିଲା ପାଇଁ ଯେତେବେଳେ ପ୍ରଥମ ନିଷ୍ପତ୍ତି ନିଆଗଲା ସେତେବେଳେ ଛତିଶଗଡକୁ ଲାଗିଥିବା ସମସ୍ତ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିଲା । ଯଦି ସେହି ସମୟ ବେଳକୁ ସୀମା ସିଲ ଭଳି ପଦକ୍ଷେପ ନିଆଯାଇଥାନ୍ତା ତେବେ ହୁଏତ ଆଜି ସ୍ଥିତି ଭିନ୍ନ ହୋଇଥାନ୍ତା । କାରଣ ଛତିଶଗଡ ସୀମାବର୍ତ୍ତୀ ଅଂଚଳରେ ରହୁଥିବା ଲୋକ ଅନେକ କାର୍ଯ୍ୟ, ବ୍ୟବସାୟ ଉପରେ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିଥାନ୍ତି । ସେହିଭଳି ଚିକିତ୍ସା ପାଇଁ ଅନେକ ଲୋକ ଛତିଶଗଡରୁ ବୁର୍ଲା ଆସିଥାନ୍ତି । ଏଭଳି କିଛି କାରଣ ପାଇଁ ହୁଏତ ସୀମା ସିଲ୍ କରିବା ନିଷ୍ପତ୍ତି ସହଜ ନଥିଲା ହେଲେ ରାଜ୍ୟ ସରକାର ଚାହିଁଥିଲେ କିଛି କଟକଣା ଲଗାଇ ଯଦି ସଠିକ ଢଙ୍ଗରେ ସ୍କ୍ରୁଟିନି କରିଥାନ୍ତେ ତେବେ ଏତେ ମାତ୍ରାରେ ସଂଖ୍ୟା ହୁଏତ ବଢିବାକୁ ରୋକାଯାଇ ପାରିଥାନ୍ତା ।
ରାଜ୍ୟ ସରକାର କରୋନାର ପ୍ରଥମ ଲହରରେ ସ୍ଥିତିର ମୁକାବିଲା ପାଇଁ ଯେଭଳି ପଦକ୍ଷେପ ମାନ ନେଇଥିଲେ, ଦ୍ୱିତୀୟ ଲହରରେ କାହିଁକି ସେଭଳି ଆଭିମୁଖ୍ୟ ଦେଖାଇଲେ ନାହିଁ ତାହା ଏବେ ବି ସନ୍ଦେହ ଘେରରେ । ପ୍ରଶାସନିକ କ୍ଷେତ୍ରରେ ଯେଉ ତତ୍ପରତା ଥିଲା, ତାହା ଆଜିର ଦିନରେ ନାହିଁ । ତେଣୁ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ସଂଖ୍ୟା ପାଇଁ ସାଧାରଣ ଲୋକଙ୍କର ନିୟମ ଭାଙ୍ଗିବା ଯେତିକି ବଡ କାରଣ ତାଠାରୁ ଅଧିକ ବଡ କାରଣ ହେଉଛି ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନେବାରେ ବିଳମ୍ବତା । ସ୍ଥିତି ଆଜିର ଦିନରେ ନିୟନ୍ତ୍ରଣ ବାହାରେ, ଏହାକୁ କେହି ଅସ୍ୱୀକାର କରିବେ ନାହିଁ । ଆଉ ବାସ୍ତବତା ହେଉଛି, ରାଜଧାନୀରେ ସଂଖ୍ୟା ବଢିଲେ ଚିକିତ୍ସା ପାଇଁ ହସ୍ପିଟାଲ ଅଛି ହେଲେ ପଶ୍ଚିମ ଓଡିଶାରେ? ସୋସିଆଲ ମିଡିଆରେ ଲୋକଙ୍କ ଅଭିଯୋଗ ଆନୁସାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଫୋନ କଲେ ସେ ଗୋଟିଏ ବେଡ ବି କୁଆଡେ କରାଇ ପାରୁନାହାନ୍ତି । ତେଣୁ ପଶ୍ଚିମ ଓଡିଶାର ଏଭଳି ମନ୍ତ୍ରୀଙ୍କୁ ଦୁରୁ ଯୁହାର ବୋଲି ଲୋକ ଚର୍ଚ୍ଚା ଆରମ୍ଭ କରିସାରିଲେଣି ।