ସରିଲା ବିଧାନସଭା: ଅଳ୍ପକେ ବର୍ତ୍ତିଲେ ଅରୁଣ ସାହୁ ?
ଯାହା ଆଶଙ୍କା କରାଯାଉଥିଲା ସେଇୟା ହେଲା । ବିରୋଧୀଙ୍କ ସନ୍ଦେହ, ଆକଳନ ବିଲକୁଲ ସତ ହେଲା । ବିଧାନସଭା ସରିଗଲା ଆଉ ମନ୍ତ୍ରୀ ଅରୁଣ ସାହୁ ଅଳ୍ପକେ ବର୍ତ୍ତିଗଲେ । କୃଷି ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ସରକାର ବିଧାନସଭା ତରବରିଆ ଭାବେ ବନ୍ଦ କରିଦେବା ଏକ ରୀତିମତ ଚାଲ ବୋଲି ବିରୋଧୀ ବାରମ୍ବାର ଅଭିଯୋଗ କରି ଆସିଛନ୍ତି । ଆଉ ବିରୋଧୀଙ୍କ ସେହି ଅଭିଯୋଗକୁ ବି ଏଡାଇ ଦିଆଯାଇ ନପାରେ । ଏବେ ଏମିତି ଲାଗୁଛି ବିଧାନସଭା ବନ୍ଦ ପରେ ପୁଣି ଦବିଯିବ ପରୀ ହତ୍ୟା ପ୍ରସଙ୍ଗ । କାରଣ ଅରୁଣଙ୍କୁ ଅକଳରେ ପକାଇବାକୁ ବିଧାନସଭା ହିଁ ଥିଲା ବିରୋଧୀଙ୍କ ବ୍ରହ୍ମାସ୍ତ୍ର, ଆଟାକ୍ ପଏଣ୍ଟ ।
ଯେତେବେଳେ ଝିଅର ନ୍ୟାୟ ପାଇଁ ପରୀ ବାପାମାଆ ନୟାଗଡ ଯଦୁପୁରରୁ ଆସି ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ବିଧାନସଭା ସାମ୍ନାରେ ଆତ୍ମାହୁତିର ଧମକ ଦେଲେ ଠିକ ତା ପରେ ପରେ ସରକାରଙ୍କୁ ଶରବିଦ୍ଧ କରିବାକୁ ଅରୁଣଙ୍କୁ ଅସ୍ତ୍ର ଭାବେ ବାଛିଥିଲେ ବିରୋଧୀ । କାରଣ କୁନିଝିଅ ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଇଥିଲେ ପରୀର ବାପାମାଆ । ହତ୍ୟାକାଣ୍ଡର ଖଳନାୟକ କୁହାଯାଉଥିବା ବାବୁଲି ନାୟକକୁ ଅରୁଣ ନିଜ ଛତ୍ରଛାୟା ତଳେ ରଖି ଆଇନ ଆଖିରୁ ସୁରକ୍ଷା ଦେଉଥିବା ବି କୁହାଯାଉଛି । ତେଣୁ ଏସବୁ ବୟାନକୁ ବୋମା କରି ବିଧାନସଭାରେ ଫୁଟାଇଥିଲେ ବିରୋଧୀ । ଗୃହରେ ବାରମ୍ବାର ପରୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ । ଗୃହକାର୍ୟ୍ୟ ଆରମ୍ଭ ହେବା ମାତ୍ରେ ପରୀ ପାଇଁ ପାଟିତୁଣ୍ଡ କରି ଗୃହରେ ତମ୍ବିତୁଫାନ କରୁଥିଲେ ବିଜେପି ସଦସ୍ୟ । କେବେ ବ୍ୟାନର ଧରି ତ କେବେ ବାଚସ୍ପତିଙ୍କ ମାଇକ ଟାଣି ପରୀ ପାଇଁ ନ୍ୟାୟ ମାଗିଥିଲେ ବିରୋଧୀ ଆଉ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ପାଇଁ ଅଡିବସିଥିଲେ ।
ଲଗାତାର ଗୋଟିଏ ସପ୍ତାହ ଧରି ପରୀ ପ୍ରସଙ୍ଗରେ ବିରୋଧୀ ବିଧାନସଭାରେ ହୋହଲ୍ଲା, ହଙ୍ଗାମା କରିବାରୁ ଗୃହ ବାରମ୍ବାର ମୁତଲବୀ ହେଉଥିଲା । ପରୀ ପାଇଁ ଏକ ପ୍ରକାର ଅଚଳାବସ୍ଥା ଲାଗିରହିଥିବା ବେଳେ ବିରୋଧୀ ବି ନଛୋଡବନ୍ଦା ଥିଲେ । ଘଟଣାର ତଦନ୍ତ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ଏସଆଇଟି ଗଠନର ନିର୍ଦ୍ଦେଶ ଦେବା ପରେ ଏକ ସ୍ୱତନ୍ତ୍ର ଟିମ୍ ମାମଲାର ଖୋଳତାଡ ପାଇଁ ଅପରେସନ ଆରମ୍ଭ କରିଦେଇଥିଲେ ହେଁ ଅରୁଣ ସାହୁ ଇସ୍ତଫା ପରେ ହିଁ ପରୀକୁ ନ୍ୟାୟ ମିଳିବ ବୋଲି ବିରୋଧୀ ଗାନ୍ଧୀ ମୂର୍ତ୍ତୀ ତଳେ ଚକାପାରି ବସିଥିଲେ ।
ତେବେ ବିରୋଧୀଙ୍କ ପରୀ ପ୍ରଶ୍ନରେ ସରକାରଙ୍କ ପାଖରେ ଅରୁଣଙ୍କୁ ନେଇ ଉତ୍ତର ନଥିବାରୁ ବିଧାନସଭାକୁ ବନ୍ଦ କରିଦେଲେ । ଶୀତ ଅଧିବେଶନ ଚାଲିଲେ ତ ପରୀ ତାତି ତୀବ୍ର ହେବ, ଅରୁଣଙ୍କ ପାଇଁ ଅଡୁଆ ବଢିବ । ତେଣୁ ଅଧିବେଶନ ସାରିଦେଲେ କଥା ସରିଲା । ନା ଥିବ ବାଉଁଶ ନା ବାଜିବ ବଇଁଶି…
ଅରୁଣଙ୍କୁ ବଞ୍ଚାଇବାକୁ କିଛି ଏମିତି ଯୋଜନା କରାଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ଏବେ ସରକାରଙ୍କ ଆଭିମୁଖ୍ୟକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଯଦି ପାଠକ ଲିଙ୍କରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ସନ ନିଆଯାଇ ପାରୁଛି । ତାଙ୍କୁ ଦଳରୁ ବିଦା କରାଯାଇ ପାରୁଛି । ତେବେ ଅରୁଣଙ୍କ ପାଇଁ କାହିଁକି ନୁୁହେଁ ? କଣ ଅରୁଣ ସାହୁ ପରୀ ଲିଙ୍କରେ ସମ୍ପୃକ୍ତ ନୁହଁନ୍ତି କି ? ତାହାଲେ ଝିଅ ହରାଇଥିବା ପରୀ ବାପାମାଆ କଣ ମିଛ କହୁଛନ୍ତି ? ନବୀନଙ୍କ ଜିରୋ ଟଲରାନ୍ସରେ ପ୍ରଦୀପ ଯଦି ଜନ ବିରୋଧୀ କାମ କରିଛନ୍ତି, ତେବେ ଅରୁଣ କଣ ଜିରୋ ଟଲରାନ୍ସର ରାଡାର ଭିତରେ ଆସୁ ନାହାନ୍ତି କି ? ନା ଜନପ୍ରତିନିଧି ହୋଇ ବି ହତ୍ୟାକାଣ୍ଡରେ ସମ୍ପୃକ୍ତି ରହିବା ଜନ ବିରୋଧୀ କାମ ନୁହେଁ ? ଜନତା କରୁଛି ପ୍ରଶ୍ନ, ଜବାବ ଦିଅ ସରକାର, ଜବାବ ଦିଅ…