କିଏ କହୁଛି ମିଛ? ଶ୍ମଶାନ ନା ସରକାର?
ମାଳ ମାଳ ମୁର୍ଦ୍ଦାରର ସାକ୍ଷୀ ପାଲଟିଛି ଶ୍ମଶାନ । ପ୍ରତିଦିନ ପୋଡାହେଉଛି ଶହ ଶହ ଶବ । ଏ କଥା ଆମେ କହୁନୁ । ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସୁଥିବା କରୋନାର କରୁଣ ଚିତ୍ର କହୁଛି । ମଶାଣୀରେ ହୁତୁ ହୁତୁ ହୋଇ ଜଳୁଥିବା ଜୁଇ କହୁଛି । ହେଲେ ସରକାରଙ୍କ ତଥ୍ୟ ଅନୁସାରେ ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ଏବେ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣରେ ରହିଛି । ଏବେ ରାଜ୍ୟରେ ପ୍ରତିଦିନ ୧୫ରୁ ୨୦ ଜଣଙ୍କ ମୃତ୍ୟୁ ଘଟୁଛି । ତେବେ ଯେଉଁ ଶ୍ମଶାନରେ ଆଗରୁ ଗୋଟିଏ କି ଦୁଇଟି ଜଳୁଥିଲା ସେଠି ପ୍ରତିଦିନ ଏତେ ସଂଖ୍ୟାର ଶବ କେମିତି ପୋଡାହେଉଛି । ପୂର୍ବରୁ ମଧ୍ୟ ଅନକେ ଥର ଅଭିଯୋଗ ହେଉଛି ସରକାର ଦେଉଥିବା ତଥ୍ୟ ଅପକ୍ଷୋ ପ୍ରକୃତ କରୋନା ଜନିତ ମୃତ୍ୟୁ ଢେର ଅଧିକ । ଏଠି ପ୍ରଶ୍ନ ଉଠୁଛି ? କିଏ କହୁଛି ସତ? ସରକାର ନା ସମ୍ବାଦ । କୋଭିଡ ମୃତ୍ୟୁ ନେଇ ସରକାର ଦେଉଥିବା ତଥ୍ୟ ସତଠାରୁ ବହୁ ଦୂରରେ ବୋଲି ଶ୍ମଶାନର ଚିତ୍ର କହୁଛି । ହେଲେ ସରକାର ତଥ୍ୟ ସିନା ଲୁଚାଇଦେବେ ହେଲେ ମୃତ ପରିବାର ଲୋକଙ୍କ ହୃଦୟ ତରଳା କାନ୍ଦକୁ କଣ ମିଛ କହିହେବ ।
କରୋନା ସଂକ୍ରମଣ ଯେ ଏତେ ସାଂଘାତିକ ହେବ ତାହା କେହି ଅନୁମାନ କରିନଥିଲେ । ପ୍ରଥମ ପର୍ଯ୍ୟାୟଠୁ ଆହୁରି ସାଂଘାତିକ ହୋଇପଡିଛି ଦ୍ୱିତୀୟ ପର୍ଯ୍ୟାୟ । ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ସେହି ଅନୁପାତରେ ପ୍ରତିଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ମାଡିଚାଲିଛି । ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସୁଛି କରୋନାର ହୃଦୟ ବିଦାରକ ଚିତ୍ର । କେଉଁଠି ଆଗ ମାଆ ଛାଡି ପଳାଉଛି ତ କେଉଁଠି ପୁଅ । ଆଉ କେଉଁଠି ବାପା, ପୁଅ ତ ଆଉ କେଉଁଠି ସ୍ୱାମୀ.ସ୍ତ୍ରୀଙ୍କ ଶବ ଜଳୁଛି । ଏକା ସାଂଗେ ଜଳୁଛି ଏକାଧିକ ଜୁଇ । ପ୍ରତିଦିନ ପର୍ଯ୍ୟାୟକ୍ରମେ ମଶାଣୀରେ ପୋଡାଚାଲିଛି ମୃତଦେହ ।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ଏଯାଏ ଓଡିଶାରେ ମୋଟ ୨ ହଜାର ୧୬୧ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସବାଧିକ ୩୮୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଗଂଜାମରୁ ୨୬୩, ସୁନ୍ଦରଗଡରୁ ୨୦୭, ପୁରୀରୁ ୧୩୧, କଟକରୁ ୧୫୦ ଓ ବାଲେଶ୍ୱରରୁ ୧୦୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ରୁ୍ୟ ହୋଇଛି । ଏହି ୬ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ଶହେ ଉପରେ ଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ଶହେ ତଳେ ମୃତ୍ୟୁ ସଂଖ୍ୟା ରହିଛି ।
କରୋନା ସଂକ୍ରମଣ ବ୍ୟାପିବା ପରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଦେଖି ଲାଗୁଛି ସରକାର କରୋନାରେ ଯେତିକି ପ୍ରାଣ ହରାଉଥିବା ଲୋକଙ୍କ ତଥ୍ୟ ଦେଉଛନ୍ତି ତାଠୁ ଯଥେଷ୍ଟ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି । ଯାହାର ହିସାବ ହୁଏ ତ ସରକାରଙ୍କ ପାଖରେ ନାହିଁ । କେବେଳ ରାଜ୍ୟରେ ନୁହେଁ ପୂର୍ବରୁ ମଧ୍ୟ ଦେଶରେ ଶଶ୍ମାନରେ ଜଳୁଥିବା ଶବ ଓ ସରକାର ଦେଉଥିବା କୋଭିଡ ମୃତ୍ୟୁ ସଂଖ୍ୟା ମଧ୍ୟରେ ବଡ଼ ପ୍ରଭେଦ ଥିବା ନେଇ ସବୁବେଳେ ଅଭିଯୋଗ ହୋଇଆସିଛି ।