ଖସୁନି ସଂକ୍ରମଣ..କାମ ଦେଉନି କି କଟକଣା?
ଦେଶର ଅଧିକାଂଶ ରାଜ୍ୟରେ ଲକଡାଉନ, ସଟଡାଉନ । ହେଲେ ନା କମୁଛି ୪ ଲକ୍ଷ ତଳକୁ ସଂକ୍ରମଣ, ନା ୪ ହଜାର ତଳକୁ ମୃତ୍ୟୁ ସଂଖ୍ୟା । କ୍ରମାଗତ ଦେଶରେ ପ୍ରତିଦିନ ୪ ଲକ୍ଷ ଉପରେ ଏବେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସ୍ଥିତି ଭୟଙ୍କର ହୋଇପଡିଛି । ସଂକ୍ରମଣ ସଂଖ୍ୟା ସହ ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଦେଶରେ ପ୍ରତିଦିନ ବିଭିନ୍ନ ରାଜ୍ୟରୁ ଆସୁଛି କରୋନାର କରୁଣ ଚିତ୍ର । କେଉଁଠି ରୋଗୀ ପାଇଁ ବେଡ଼ ନାହିଁ ତ, କେଉଁଠି ଶବ ପାଇଁ ଶ୍ମଶାନରେ ଜାଗା ନାହିଁ । ଏ ଏମିତି କି ରୋଗ ଯେଉଁଠି ନିଜ ଲୋକବି ପାଖ ମାଡୁନାହାନ୍ତି । ଅଲୋଡା ହୋଇଯାଉଛି ମୃତଦେହ ।
ଗତ ୨୪ ଘଂଟାରେ ଦେଶରେ ୪ ଲକ୍ଷ ୩ ହଜାର ୪ ଲକ୍ଷ ୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୦୯୨ଜଣଙ୍କ ମୃତ୍ୟୁ ହୋଇଛି ।ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୨୨ ଲକ୍ଷ ୯୬ ହଜାର ୪୧୪ରେ ପହଞ୍ଚିଛି।କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ୧ କୋଟି ୮୩ ଲକ୍ଷ ୧୭ ହଜାର ୪୦୪ଜଣ । ଏବେବି କରୋନାରେ ଆକ୍ରାନ୍ତ ଅଛନ୍ତି ୩୭ ଲକ୍ଷ ୩୬ ହଜାର ୬୪୮ଜଣ । ଆଜିର ମୃତ୍ୟୁ ସଂଖ୍ୟା ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୪୨ ହଜାର ୩୬୨ ପହଞ୍ଚିଛି।
ଅନ୍ୟପଟେ ମହାରାଷ୍ଟ୍ରରେ ବ୍ଲାକ୍ ଫଙ୍ଗସ୍ ରୋଗରେ ୮ ଜଣକ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ‘ମ୍ୟୁକୋର ମାଇକୋସିସ୍’ ରୋଗରେ ୨୦୦ ଜଣ ଚିକିତ୍ସା ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣକ ଜୀବନ ଯାଇଛି । ଏହି ରୋଗ ଏବେ ମହାରାଷ୍ଟ୍ର ସହ ଦିଲ୍ଲୀ ଓ ଗୁଜରାଟରେ ମଧ୍ୟ ଦେଖା ଦେଇଛି । କରୋନା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ବିରୋଧରେ ଅଧିକ ଘାତକ ସାବ୍ୟସ୍ତ ହେଉଛି ଏହି ରୋଗ । ବିଶେଷକରି ମଧୁମେହ, କିଡନୀ ଓ କର୍କଟ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।