THE BYAPINI

ବେଦୀ ବଦଳରେ ମଶାଣୀକୁ ଗଲା ବର

Get real time updates directly on you device, subscribe now.

ରାତି ପାହିଲେ ବର ସାଜିଥାନ୍ତେ । ବାହାହୋଇ ନୂଆର ସଂସାର ଗଢିଥାନ୍ତେ । ହେଲେ ସବୁ କିଛି ଆରମ୍ଭ ହେବା ପୂର୍ବର ଶେଷ ହୋଇଯାଇଛି । ସବୁ ସ୍ୱପ୍ନକୁ ଧୂଳିସାତ କରିଦେଇଛି ମହାମାରୀ । ଆଖି ବୁଜିଛନ୍ତି କୋଭିଡ ଡ୍ୟୁଟିରେ ନିୟୋଜିତ ଥିବା ଜଣେ କରୋନା ଯୋଦ୍ଧା । କିଏ ଜାଣିଥିଲା ଏମିତି ହେବ । ପୁଅର ବାହଘର ନେଇ ପରିବାରରେ ଖୁସିର ଲହରି ଖେଳିଯାଇଥିଲା । ଲକଡାଉନ ପାଇଁ ପୁଅ ବାହାଘର ସିନା ଧୁମଧାମରେ ହୋଇପାରିବନି ହେଲେ ଘରକୁ ନୂଆ ବୋହୂ ଆସିବ ସେ ନେଇ କେତେ ଖୁସିଥିଲେ ବାପା ମା । ହେଲେ ସବୁ ସ୍ୱପ୍ନ, ସବୁ ଆଶା ଅଧାରେ ରହିଗଲା । ସୁଖର ସଂସାର ଉପରେ ଛାଇଗଲା କଳାର ବାଦଲ ।

କରୋନା କେତେ ସାଂଘାତିକ ଓ କେତେ ବିପଦଜନକ , ଯିଏ ଅଙ୍ଗେ ନିଭେଉଛି ସେ ଜାଣିଛି । ଏକ ଦୁଃଖଦ ଘଟଣା ଘଟିଛି ଝାରୁସୁଗଡା ଜିଲ୍ଲା ୧୯ ଖଣ୍ଡ ମୌଜାର କଣ୍ଢେଇକେଲା ଗାଁରେ । କଣ୍ଢେଇକେଲା ଗାଁର ନେପାଳ ପ୍ରଧାନ । ସରକାରଙ୍କ ପକ୍ଷରୁ କୋଭିଡ ମୁକାବିଲା ପାଇଁ ଶିକ୍ଷକଙ୍କୁ ଦିଆଯାଇଥିବା ବିଭିନ୍ନ କାମରେ ନେପାଳ ନିୟୋଜିତ ଥିଲେ । ରବିବାର ଦିନ ନେପାଳଙ୍କ ବାହାଘର ଥିଲା । କିନ୍ତୁ ଚାରିଦିନ ପୂର୍ବରୁ ସେ ଅସୁସ୍ଥ ଅନୁଭବ କରିବାକୁ ତାଙ୍କର ଆଂଟିଜେନ ଟେଷ୍ଟ କରାଯାଇଥିଲା । ରିପୋର୍ଟ ନେଗେଟିଭ ଆସିଥିଲ।। ହେଲେ ଶୁକ୍ରବାର ସନ୍ଧ୍ୟାରେ ସେ ଅସୁସ୍ଥ ଅନୁଭବ କରିଥିଲେ । ପ୍ରଥମେ ତାଙ୍କୁ ବୁର୍ଲା ଓ ପରେ ଘରୋଇ ହସପିଟାଲକୁ ନିଆଯାଇଥିଲା । ସେଠାରେ ମଲଟିଅର୍ଗାନ ଡ୍ୟାମେଜ ଯୋଗୁଁ ସେ ପ୍ରାଣ ହରାଇଥିଲେ ।ଫଳରେ ଯେଉଁ ଘରୁ ବର ବେଶରେ ବାହା ହେବାପାଇଁ ବାହାରିଥାନ୍ତେ ସେହିଦିନ ଆସି ଘରେ ପହଚୁଂଛି ଶବ ।

କେବେଳ ଝାରସୁଗୁଡା ନୁହେଁ ପ୍ରତିଦିନ ଜିଲ୍ଲାରୁ ଏଭଳି ଚିତ୍ର ଆସୁଛି ଯାହାକୁ ନିଶ୍ୱାସ ଅଟକିଯିବା ଭଳି । ସଂକ୍ରମଣ କେଉଁଠି ବାପା ,ମାଆଙ୍କ ପାଖରୁ ପୁଅକୁ ଛଡାଇନେଉଛି ତ କେଉଁଠି ସ୍ୱାମୀ ,ସ୍ତ୍ରୀଙ୍କ ଆଗ ପଛ ହୋଇ ମୃତ୍ୟୁ ହେଉଛି । ଆଉ କେଉଁଠି ପୁଅର ଖବର ଶୁଣି ବାପାର ହୃଦଘାତ ହେଉଛି ତ କେଉଁଠି ଭାଇ ବୋହୁଛି ଭାଇର ଶବ । ଆଉ କେତେଦିନ କରୋନା ଏମିତି କନ୍ଦେଇବ ତାହା ଜଣାନାହିଁ । ହେଲେ ଏହି ମହାମାରୀ ଶହ ଶହ ପରିବାରର ସୁଖ ସଂସାର ଉପରେ ଦୁଃଖର ପାହାଡ ଲଦି ଦେଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.