ଓଡିଶାରେ ଖେଲା ହୋବେ !
() ଆସନ୍ତା ୧୫ ତାରିଖରୁ ୱେବ ଦୁନିଆରୁ ସାଟେଲାଇଟ ଦୁନିଆକୁ ପ୍ରବେଶ କରିବାକୁ ଯାଉଛି ଅର୍ଗସ ଟିଭି । ଚାରିଆଡେ ବଡ ବଡ ହୋର୍ଡିଂ, ଫେସବୁକରେ ମାଳ ମାଳ ପୋଷ୍ଟର । ଓଡିଶାର ବାସ୍ତବ ପ୍ରସଙ୍ଗ ଓ ନିଛକ ସତକୁ ସାମ୍ନାକୁ ଆଣିବାକୁ ପ୍ରତିଶ୍ରୁତି ଦେଇ ଲୋକଙ୍କ ବିଶ୍ୱାସ ଜିତିବାକୁ ଅଂଟା ଭିଡିଛି ଏହି ସଂସ୍ଥା । ହେଲେ ପୋଷ୍ଟରରେ ପ୍ରିଂଟ କରାଯାଇଥିବା ଶଦ୍ଦ କଣ ସତରେ କାର୍ଯ୍ୟକାରୀ ହୋଇପାରିବ କି, ଏହା ଉପରେ ସନ୍ଦେହ ଉଠିବା ସ୍ୱାଭାବିକ । କାରଣ ଏହି ଚ୍ୟାନେଲ ପଛରେ କାହାର ହାତ ରହିଛି ତାହା ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଖଟିରେ ଚର୍ଚ୍ଚା ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥନଏହି ଚ୍ୟାନେଲ ପଛରେ ରହିଛି । ଯଦିଓ ଉପରକୁ କାଗଜପତ୍ରରେ କିମ୍ବା କୈାଣସି ବି ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କ ସଂପୃକ୍ତିକୁ ଯଥାସମ୍ଭବ ଦୁରେଇ ରଖାଯାଇଛି, ହେଲେ ଚ୍ୟାନେଲର କଂଟେଣ୍ଟ ଦେଖିଲେ ଏହା ସ୍ପଷ୍ଟ ଭାବେ ଜଣାପଡୁଛି ସରକାର ବିରୋଧୀ ଆଭିମୁଖ୍ୟ ନେଇ ଏହି ସଂସ୍ଥା ଅଗକୁ ଆଗେଇବ । ତେଣୁ ନିଛକ ସତ ଆଉ ନିରପେକ୍ଷତା ଆଉ ବାସ୍ତବ ପ୍ରସଙ୍ଗ ଭଳି ଶଦ୍ଦ କେବଳ ପୋଷ୍ଟର ଆଉ ହୋର୍ଡିଂରେ ଭଲ ଲାଗିବ ବୋଲି ଚର୍ଚ୍ଚା ହେଉଛି ।
() ବରିଷ୍ଠ ସାମ୍ବାଦିକ ସବ୍ୟସାଚୀ ଅମିତାଭ ନିଜ ଫେସବୁକ ପୋଷ୍ଟରେ ଏକ ଗୁରୁତ୍ୱପୁର୍ଣ୍ଣ ଦିଗକୁ ଇଙ୍ଗିତ କରିଛନ୍ତି । ସେ କହିଛନ୍ତି,
ଆଗକୁ ଓଟିଭି ଓ ଅର୍ଗସ ମଧ୍ୟରେ ପରଦା ପଛର ପ୍ରତିଯୋଗୀତା
ଅର୍ଗସ୍ କେତେ ବୈଜୟନ୍ତଙ୍କ ଖବର ଦେଖାଇବ, ଓଟିଭି କେତେ ଧର୍ମେନ୍ଦ୍ରଙ୍କ ଖବର ଦେଖାଇବ
କେହି ବି ସିଧା ନବୀନଙ୍କ ଦୋଷ ଧରିନପାରନ୍ତି, ନବୀନ ସରକାରଙ୍କ ଦୋଷ କହିବେ!
ଦୁଇ ସଂସ୍ଥା ପରସ୍ପର ଠାରୁ କେତେ ମ୍ୟାନପାୱାର ହାତେଇ ନେଇ ପାରୁଛନ୍ତି
ରାଜ୍ୟ ବିଜେପି ପାଇଁ କିଏ ନମ୍ବର ଓ କିଏ ଦୁଇ ନମ୍ବର ହେବ
() ଏହି ପୋଷ୍ଟରେ ଅନେକ ଗୁଢ ରହସ୍ୟ ରହିଛି । ଯଦିଓ ଏହି ପୋଷ୍ଟର ତଳେ ସବ୍ୟସାଚୀ କହୁଛନ୍ତି, ଏହାକୁ କେହି ଆକ୍ଷେପ ବା ସମାଲୋଚନା ବୋଲି ଭାବିବେନି, ବରଂ ନିରୁତା ଗମାତ ବୋଲି ଭାବି ଆନନ୍ଦ ନେବାକୁ ଅନୁରୋଧ । ହେଲେ ବ୍ୟାପିନି ପ୍ରତିନିଧିଙ୍କ ଆକଳନ ଅନୁସାରେ, ପୋଷ୍ଟରେ ଥିବା ଉକ୍ତି ହିଁ ବାସ୍ତବତା ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ସମସ୍ତେ ଜାଣିଛନ୍ତି ବୈଜୟନ୍ତ ଏବଂ ଧର୍ମେନ୍ଦ୍ରଙ୍କ ମଧ୍ୟରେ ସଂପର୍କରେ ଯଥେଷ୍ଟ ତିକ୍ତତା ରହିଛି । ଉପରକୁ ଯଦିଓ ସବୁକିଛି ଠିକ ଲାଗୁଛି, ହେଲେ ଭିତରେ ପରସ୍ପରକୁ ମାତ୍ ଦେବାକୁ ସମସ୍ତେ ବ୍ୟଗ୍ର ।
() ମିଡିଆ ଖଟିରେ ଚର୍ଚ୍ଚା ଅନୁସାରେ, ଅର୍ଗସ୍ କେତେ ବୈଜୟନ୍ତଙ୍କ ଖବର ଦେଖାଇବ ଏବଂ ଓଟିଭି କେତେ ଧର୍ମେନ୍ଦ୍ରଙ୍କ ଖବର ଦେଖାଇବ, ଏହାର ଏକ ପ୍ରତିଯୋଗୀତା ଚାଲିବ । କାରଣ ଜାତୀୟ ଉପ ସଭାପତି ଏବଂ ଏକାଧିକ ରାଜ୍ୟର ପ୍ରଭାରୀ ଭାବେ ବୈଜୟନ୍ତ ଯେଉଁ ସବୁ କାର୍ଯ୍ୟ କରିବେ ତାହା ଅର୍ଗସ୍ ସ୍ଥାନ ଦେବ ନା ନାହିଁ? ସେହିଭଳି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ବୈଜୟନ୍ତଙ୍କ କାର୍ଯ୍ୟକଳାପ ଅର୍ଗସ ପରଦାରେ ସ୍ଥାନ ପାଇବ କି ନାହିଁ ତାର ମଧ୍ୟ ଆକଳନ ଆରମ୍ଭ ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ଏବେ ଓଟିଭି ପରଦାରେ ଯେତେ ଗୁରୁତ୍ୱ ପାଉଛନ୍ତି ଆଗକୁ ସେତିକି ପାଇବେ କି ନାହିଁ, ତାର ପରୀକ୍ଷାର ବେଳ ଅସିଗଲା । ମାତ୍ର ଉଭୟ ଚ୍ୟାନେଲ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତା ଖୋଜିବାରେ ଯଥାସମ୍ଭବ ପ୍ରୟାସ କରିବେ ବୋଲି ଚର୍ଚ୍ଚା ଚାଲିଛି । ଆଉ ଦିଲ୍ଲୀ ଦରବାରରେ ପ୍ରମାଣିତ କରିବାକୁ ଚେଷ୍ଟା କରିବେ କିଭଳି ନିଜ ପକ୍ଷର ଚ୍ୟାନେଲ ଓଡିଶା ସରକାରକୁ ଅଡୁଆରେ ପକାଉଛି ।
() ଆସନ୍ତା ୧୫ ତାରିଖ ପରେ ରାଜ୍ୟର ଗଣମାଧ୍ୟମ ଜଗତରେ ଆଉ ଏକ ଛାୟା ଯୁଦ୍ଧ ଆରମ୍ଭ ହେବ । ରାଜ୍ୟ ବିଜେପିର କିଏ ଅଧିକ ନିକଟତର ଏବଂ କିଏ ନବୀନ ସରକାରକୁ ସବୁଠାରୁ ବେଶୀ ଅକଳରେ ପକାଉଛି ତାର ଚାଲିବ ପ୍ରତିଯୋଗୀତା । ବ୍ୟାପିନି ପ୍ରତିନିଧିଙ୍କ ସୁଚନା ଅନୁସାରେ, କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ଚ୍ୟାନେଲକୁ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ଉଦଘାଟନ କରିବାର ଯୋଜନା ରହିଛି । ସେହିଭଳି ମୋଦି ସରକାର ସମୟରେ ସମ୍ମାନିତ ହୋଇଥିବା କିଛି ମହିଳା ମଧ୍ୟ ଏହି ଉଦଘାଟନୀ ସମାରୋହରେ ସାମିଲ ରହିବେ । ଅତ୍ୟନ୍ତ ନିରାଡମ୍ବର ଭାବେ ଏହି ଚ୍ୟାନେଲ ଆରମ୍ଭ ହେବାକୁ ଯାଉଥିବା ବେଳେ ସତ୍ତା ପକ୍ଷର ଚ୍ୟାନେଲ ଏବଂ ବିରୋଧି ପକ୍ଷର ଚ୍ୟାନେଲ ମଧ୍ୟରେ ଏକ ରେସ୍ ଆରମ୍ଭ ମଧ୍ୟ ହୋଇଯିବ । ଦେଖାଯଉ ଏହି ରେସରେ କିଏ ଆଗରେ ରହୁଛି ଆଉ କିଏ ପଛରେ । କାରଣ ପଂଚାୟତ ନିର୍ବାଚନ ବେଳେ ସ୍ପଷ୍ଟ ଭାବେ ପ୍ରମାଣିତ ହେବ କାହାର ଦମ୍ କେତେ, ଆଉ କିଏ ଲମ୍ବା ରେସର ଘୋଡା ।