ହେରୋଇନର ହଟସ୍ପଟ ହଳଦୀପଡ଼ିଆ …
ନକଲି ସାମ୍ବାଦିକ, କୁଜି ରାଜନେତା ଓ ଦୁର୍ନୀତିଖୋର ପୋଲିସ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଜହର ବେପାର…ରାଜଧାନୀର ଛାତି ଉପରେ ଥିବା ହଳଦୀପଡ଼ିଆ ବସ୍ତି ଏବେ ଭୁବନେଶ୍ୱର ତଥା ସମଗ୍ର ରାଜ୍ୟ ପାଇଁ ଅପରାଧର ଏନ୍ତୁଡ଼ିଶାଳ ପାଲଟିଗଲାଣି । ଝାରପଡା ଜେଲ ପଛରେ ଥିବା ଏହି ଅଞ୍ଚଳରେ ଘରେ ଘରେ ଚାଲିଛି ଧଳା ଜହରର ବେପାର । ଆଉ ଏଥିରେ ସାମିଲ ଅଛନ୍ତି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ମହିଳା । ଗତ କିଛି ଦିନ ଧରି ରାଜଧାନୀ ଓ ଉପକଣ୍ଠରୁ କୋଟି କୋଟି ଟଙ୍କାର ବ୍ରାଉନ ସୁଗାର ଜବତ ହେବା ଘଟଣାରୁ ସ୍ପଷ୍ଟ ଅନୁମାନ କରିହେଉଛି ଯେ ରାଜଧାନୀର ଯୁବପିଢି ବର୍ତ୍ତମାନ ଏହି ବିଷ ବଳୟର କବଜା ଭିତରେ । ଚୋରି, ଡକାୟତି, ଛିନତାଇ ଭଳି ଅପରାଧ ଏହି ନିଶାର ବହୁଳ ପ୍ରସାର ଯୋଗୁ ଅହେତୁକ ଭାବରେ ବୃଦ୍ଧି ପାଇଛି ବୋଲି ଅନେକ ବିଶେଷଜ୍ଞ ସ୍ଵୀକାର କରିଛନ୍ତି । ନିଶାସକ୍ତ ଯୁବପିଢି ନିଶାଦ୍ରବ୍ୟ ପାଇଁ ଯେକୌଣସି ଅପରାଧ କରିବାକୁ ମଧ୍ୟ ପଛାଉନାହାନ୍ତି ।
୨୦୧୫ ମସିହାରେ ଶୈଳ ରଣସିଂ ନାମକ ମହିଳା ଓ ତାଙ୍କ ସହଯୋଗୀ ଯେତେବେଳେ ଲଷ୍ମୀସାଗର ଥାନାର ପୋଲିସ ଫୋର୍ସ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ, ସେତେବେଳ ଚର୍ଚ୍ଚାକୁ ଆସିଥିଲା ଏହି ହଳଦୀପଡ଼ିଆ ବସ୍ତି । ଲେଡି ଡନ ନାମରେ ପରିଚିତ ଏହି ମହିଳାଙ୍କ ଗୁମର ଖୋଜୁ ଖୋଜୁ ପୋଲିସ ଜାଣିବାକୁ ପାଇଲା ଯେ, ବସ୍ତିର ଘରେ ଘରେ ଚାଲିଛି ବ୍ରାଉନ ସୁଗାର ବେପାର । ଅନେକ ଥର ଚଢ଼ାଉ କରି ପୋଲିସ ବିଭିନ୍ନ ଲୋକଙ୍କୁ ଗିରଫ କରିବା ସହ ବହୁ ପରିମାଣର ଧଳା ଜହର ଜବତ ମଧ୍ୟ କରିଛି । କିନ୍ତୁ ସୂଚନା ମୁତାବକ ଏବେ ମଧ୍ୟ ଏହି ବିଷ ବେପାରର କେନ୍ଦ୍ରସ୍ଥଳ ପାଲଟିଛି ଏହି ବସ୍ତି ।
ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଦିଗଟି ହେଉଛି, କମିଶନରେଟ ପୋଲିସର ନାକ ତଳେ ଏହି ବେଆଇନ କାମ ଚାଲିଥିବା ବେଳେ ଯେତିକି ଦୃଷ୍ଟି ଦିଆଯିବା କଥା ସେତିକି ଦିଆଯାଉନାହିଁ କାହିଁକି ? ବ୍ୟାପୀନି ପ୍ରତିନିଧିଙ୍କୁ ମିଳିଥିବା ସୂଚନା ଅନୁସାରେ ଏହି ବ୍ୟବସାୟୀଙ୍କର ଉତ୍ତମ ସମ୍ପର୍କ ରହିଛି ସ୍ଥାନୀୟ କିଛି କୁଜି ନେତା ଓ ପୋଲିସ ସହ । ଆଉ ଏହି ସମ୍ପର୍କର ମଧ୍ୟସ୍ଥି ସାଜିଛନ୍ତି କିଛି ଦଲାଲ ସାମ୍ବାଦିକ । ମୋଟା ଅଙ୍କର କମିଶନ ନେଇ ଖୋଲାରେ ବିକ୍ରି ହେଉଛି ବିଷ । ଜହର ବେପାରୀ, ପୋଲିସ ଓ ନକଲି ସାମ୍ବାଦିକଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କ୍ରାଇମ ସିଣ୍ଡିକେଟ । ସରକାରୀ ଜମିକୁ ହଡପ କରି ଘର କରି ସେଠାରେ ବ୍ରାଉନ ସୁଗାର ବେପାର କରାଯାଉଛି ।
ଏବେ ପ୍ରଶ୍ନ ଉଠୁଛି, ରାଜଧାନୀର କେନ୍ଦ୍ରସ୍ଥଳରେ ଏମିତି କଳା କାରନାମା ଚାଲିଥିବା ବେଳେ ସମସ୍ତେ ଚୁପ କାହିଁକି ? କୋଟି କୋଟି ଟଙ୍କାର ସରକାରୀ ଜମିକୁ ମାଡିବସି ନକଲି ସାମ୍ବାଦିକ ଓ ନିଶା ମାଫିଆ ଯୁବପୀଢ଼ିଙ୍କ ଜୀବନ ସହ ଖେଳ ଖେଳୁଥିବା ବେଳେ ସାଧାରଣ ପ୍ରଶାସନ ବିଭାଗ ଚୁପ କାହିଁକି ? ଆମେ ଜାଣିଛୁ ଗୋଟିଏ ବିକାଶଶୀଳ ସହର ପାଇଁ ବସ୍ତିର ଆବଶ୍ୟକତା ଅଛି । କାରଣ ଏହି ବସ୍ତିରେ ରହୁଥିବା ଶ୍ରମିକର ପରିଶ୍ରମର ଝାଳରେ ହିଁ ସହରର ଉନ୍ନତି ହୋଇଥାଏ । କିନ୍ତୁ ପ୍ରକୃତ ଶ୍ରମିକର ଆଢୁଆଳରେ ଏହି ଦଲାଲଙ୍କୁ ପ୍ରଶ୍ରୟ କିଏ ଦେଉଛି ?
ତେଣୁ ଏବେ ସମୟ ଆସିଛି, ରାଜଧାନୀକୁ ଅପରାଧମୁକ୍ତ କରିବାକୁ ହେଲେ ପୋଲିସ ପ୍ରଶାସନକୁ ଏ ଦିଗକୁ ଦୃଷ୍ଟି ଦେବାକୁ ହେବ । ସାଧାରଣ ପ୍ରଶାସନ ବିଭାଗର ନିଦ ମଧ୍ୟ ଭାଙ୍ଗିବା ଦରକାର ।ସରକାରୀ ଜମି ହଡପ କରି ମଉଜ କରୁଥିବା ନକଲି ସାମ୍ବାଦିକ, ଲାଭ ପାଇଁ ବିଷ ବିକ୍ରି କରି ସମାଜକୁ କଳୁଷିତ କରୁଥିବା ବେପାରୀ ଆଉ ଏମାନଙ୍କୁ ପ୍ରୋତ୍ସାହନ ଦେଉଥିବା କୁଜି ରାଜନେତା ଓ କିଛି ପୋଲିସ କର୍ମଚାରୀଙ୍କ ଉପରେ ଲଗାମ କଷିବାକୁ ପଡିବ । ନଚେତ ମନ୍ଦିରମାଳିନୀ ଭୁବନେଶ୍ୱର ଆଉ ଅଳ୍ପଦିନ ପରେ ଅପରାଧୀ ଓ ନିଶାଡିଙ୍କ ରାଜଧାନୀ ପାଲଟିଯିବ ।