ଏଣିକି ଲକଡାଉନରେ ୱାକିଂ ଓ ସାଇକ୍ଲିଂ କରିବା ମନା
ଏଣିକି ଲକଡାଉନରେ ୱାକିଂ ଓ ସାଇକ୍ଲିଂ କରିବା ସମ୍ପୂର୍ଣ୍ଣ ମନା । କରୋନା ମୁକାବିଲା ପାଇଁ ରାଜ୍ୟରେ ମେ ୧୯ ଯାଏଁ ଲକ୍ଡାଉନ୍ ଜାରି ରହିଛି। ଲକ୍ଡାଉନ୍ ସମୟରେ ଭୁବନେଶ୍ଵର ରାଜଧାନୀବାସୀଙ୍କୁ ସକାଳ ସମୟରେ ମର୍ଣ୍ଣିଂ ଓ୍ଵାକ୍ ଓ ସାଇକ୍ଲିଂ ମନା କରାଯାଇଛି। ଲକଡାଉନ ସମୟରେ ବିଭିନ୍ନ କଟକଣାକୁ କଡାକଡି କରାଯାଇଛି । କିନ୍ତୁ ଏବେ ଲକଡାଉନରେ ୱାକିଂ ଓ ସାଇକ୍ଲିଂ କରିବାକୁ ସମ୍ପୂର୍ଣ୍ଣ ମନା କରିଛନ୍ତି ସିପି ।
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଲକଡାଉନରେ ଟ୍ୱିନସିଟିବାସୀ ପୋଲିସକୁ ଯଥେଷ୍ଟ ସହଯୋଗ କରୁଛନ୍ତି । ଅମାନିଆଙ୍କୁ ରୋକିବାକୁ କଟକଣାକୁ କଡାକଡି କରାଯାଇଛି । ତେବେ ଏହାସତ୍ତେ୍ୱ ମର୍ଣ୍ଣିଂ ୱାକରେ ଲୋକେ ଭିଡ ଜମାଉଥିବାର ଦେଖିବାକୁ ମିଳୁଛି । ତେଣୁ ଲକଡାଉନ ସମୟରେ ମର୍ଣ୍ଣିଂ/ଇଭନିଙ୍ଗ ୱାକ ବାହାନାରେ ରାସ୍ତା ଉପରକୁ ଆସି ଭିଡ଼ ନ କରିବାକୁ କହିଛନ୍ତି ପୋଲିସ କମିଶନର ।
ସେହିଭଳି ଲକଡାଉନରେ କାମ କରୁଥିବା କର୍ମଚାରୀଙ୍କ ତାଲିକା ଡିସିପି ଅଫିସରେ ଦେବାକୁ କମ୍ପାନି ଗୁଡିକୁ କୁହାଯାଇଛି । ଡିସିପି ଅଫିସରୁ ମିଳିଥିବା ଅନୁମତି ପତ୍ର ଦେଖାଇ ଅଫିସକୁ ଯାଇପାରିବେ କର୍ମଚାରୀ । ଏହାବାଦ୍ ଲକଡାଉନରେ ବରିଷ୍ଠ ଲୋକଙ୍କ ସହାୟତା ପାଇଁ ପୋଲିସ ପକ୍ଷରୁ ୮୦୯୩୦୨୮୧୦୦ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ବିବାହ ଓ ଅନ୍ତିମସଂସ୍କାର ପାଇଁ ହ୍ୱାଟସଆପ ଯୋଗେ ଲୋକେ ଅନୁମତି ନେଇପାରିବେ ବୋଲି କହିଛନ୍ତି ପୋଲିସ କମିଶନର ।