ନବୀନ ପଠାଇଲେ ‘କାଳିଆ’ ଟଙ୍କା
ରାତି ପାହିଲେ ଅକ୍ଷୟ ତୃତୀୟା। ଚାଷ କାମ ଆରମ୍ଭ କରିବା ପୂର୍ବରୁ ଚାଷୀଙ୍କ ମୁହଁରେ ହସ ଫୁଟାଇଛନ୍ତି ରାଜ୍ୟ ସରକାର । ଚାଷିଙ୍କ ଆକାଉଂଟକୁ ପଠାଇଛନ୍ତି ‘କାଳିଆ’ଟଙ୍କା । ଏଥିସହ ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାରେ ଖରିଫ ୨୦୨୧ ପାଇଁ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଷୟତୃତୀୟା ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦର ଦିନ । ଚାଷ କାମର ଅନୁକୂଳ କାଲି ଠାରୁ ଆରମ୍ଭ ହୋଇଥାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇଭଉଣୀ ମାନଙ୍କୁ ଶୁଭେଛା ଜଣାଇଛନ୍ତି ।
ରାଜ୍ୟର ଛୋଟ ଚାଷୀ, ନାମ ମାତ୍ର ଚାଷୀ ,ଓ ଭୂମିହୀନ ଚାଷୀ ପରିବାର ସମସ୍ତେ ଏହି କାଳିଆ ଯୋଜନାର ସହାୟତା ପାଇ ଏହାକୁ ଚାଷ କାମରେ ତଥା ଜୀବନ ଜୀବିକାର ଉନ୍ନତିରେ ଲଗେଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କାଳିଆ ଯୋଜନା ଚାଷୀଙ୍କ ପାଇଁ ଭଲ ଯୋଜନା । ଏହି ଟଙ୍କା ଲୋକଙ୍କର ମନରେ ଖୁସି ଆଣିଛି । କାଳିଆ ଟଙ୍କା ଚାଷୀର ଋଣଭାର ଲାଘବ କରିଛି । ଚାଷୀମାନେ ଏହି ଟଙ୍କାକୁ ଚାଷ କାମରେ ଲଗାଇବେ ବୋଲି ମୋର ବିଶ୍ୱାସ ।
ଉତ୍କଳ ଦିବସରେ ରାଜ୍ୟ ସରକାର ୩୪ ଲକ୍ଷ ଚାଷୀଙ୍କ ଖାତାକୁ ସିଧାସଳଖ କାଳିଆ ଟଙ୍କା ପଠାଇଥିଲେ । ନୂଆ ଆର୍ଥିକ ବର୍ଷରେ ରବି ଋ଼ତୁ ପାଇଁ ସରକାର ୬୯୪ କୋଟି ଟଙ୍କା ଦେଇଥିଲେ। ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଯାଇଥିଲା ।ସେହିଭଳି ଚାଷୀଙ୍କୁ ପ୍ରଶଂସା କରି ନବୀନ କହିଛନ୍ତି, ଚାଷୀ ଆମର ଗର୍ବ ଓ ଗୌରବ । ଦେଶ ଓ ସମାଜ ପାଇଁ ଚାଷୀର ତ୍ୟାଗର ତୁଳନା ନାହିଁ । ଗତବର୍ଷ କୋଭିଡ଼ ସମୟରେ ଚାଷୀ ହି ଅର୍ଥନୀତିକୁ ସଞ୍ଜିବନୀ ପରି ଶକ୍ତି ଦେଇଥିଲା । ତେଣୁ ଚାଷୀର ତ୍ୟାଗର ମୂଲ୍ୟ କେହି ଦେଇ ପାରିବ ନାହିଁ ।
କୋଭିଡ଼ ସମ୍ପର୍କରେ ସଚେତନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ରାଜ୍ୟ କୋଭିଡ ସଂକ୍ରମଣର ଦ୍ୱିତୀୟ ଲହରର ସାମ୍ନା କରୁଛି । ସଂକ୍ରମଣର ବ୍ରେକ ଦେବାକୁ ଲକଡାଉନ ହୋଇଛି । କିନ୍ତୁ କୃଷି କ୍ଷେତ୍ର ପାଇଁ କୌଣସି ଲକଡାଉନ ନାହିଁ । ତେଣୁ ଚାଷୀମାନେ କୋଭିଡ ନିୟମ ମାନି ଚାଷ କାମ ଜାରି ରଖିବା ସହ ସରକାରଙ୍କ ବିଭିନ୍ନ କୃଷି ଯୋଜନାର ସୁଯୋଗ ନେବାକୁ କହିଛନ୍ତି ।