୩ ଲକ୍ଷ ତଳକୁ ଖସିଲା ସଂକ୍ରମଣ
ସଂକ୍ରମଣର ଭୟ ଭିତରେ ଆଜି ସାମାନ୍ୟ ଆଶ୍ୱସ୍ତିକର ଖବର । ଅନେକ ଦିନର ବ୍ୟବଧାନ ପରେ ୩ ଲକ୍ଷ ତଳକୁ ଖସିଛି ଦେଶରେ ସଂକ୍ରମଣ । ଦେଶରେ ହୁ ହୁ ହୋଇ ବଢିଚାଲିଥିବା ସଂକ୍ରମଣରେ ସାମାନ୍ୟ ବ୍ରେକ ଲାଗିଛି । କିନ୍ତୁ ମୃତ୍ୟୁ ସଂଖ୍ୟା ୪ ହଜାର ଉପରେ ରହିଛି । ଦେଶର ବିଭିନ୍ନ ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନର ପ୍ରଭାବରେ ସଂକ୍ରମଣ କମୁଥିବା ଅନୁମାନ କରାଯାଉଛି ।
ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୪ ହଜାର ୧୦୬ ଜଣଙ୍କ ମୃତ୍ୟୁ ହୋଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୪୯ ଲକ୍ଷ ୬୫ ହଜାର ୪୬୩ରେ ପହଞ୍ଚିଛି। ସେହିପରି ମୋଟ ମୃତ୍ୟୁସଂଖ୍ୟା ୨ ଲକ୍ଷ ୭୪ ହଜାର ୩୯୦ରେ ପହଞ୍ଚିଛି। ଗତ ୨୪ ଘଂଟାରେ ୩ ଲକ୍ଷ ୭୮ ହଜାର ୭୪୧ ଜଣ ସୁସ୍ଥ ହୋଇଥିବା ବେଳେ ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୧୧ ଲକ୍ଷ ୭୪ ହଜାର ୦୭୬ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୫୧୬୯୯୭।
ଦେଶରେ ଗତ ୨୪ ଘଂଟାରେ କରୋନା ସଂକ୍ରମଣ ହାର ରହିଛି ୧୭.୮୮ ପ୍ରତିଶତ । ସେହିପରି ଗତ ୨୪ ଘଂଟାରେ ୬ ଲକ୍ଷ ୯୧ ହଜାର ୨୧୧ ଜଣଙ୍କୁ ଟିକାକରଣ କରାଯାଇଥିବାବେଳେ ମୋଟ ଦେଶରେ ୧୮ କୋଟି ୨୯ ଲକ୍ଷ ୨୬ ହଜାର ୪୬୦ ଜଣଙ୍କୁ ଟିକା ଏଯାଏ ଦିଆଯାଇଛି । କରୋନା ସଂକ୍ରମଣ ସାମାନ୍ୟ କମିଥିବା ବେଳେ ସ୍ଥିତି ଏବେ ବି ବେକାବୁ ରହିଛି । ବିଭିନ୍ନ ରାଜ୍ୟରେ ସ୍ଥିତି ସଂଗୀନ ରହିଛି । କରୋନା ସଂକ୍ରମଣକୁ ନଜରରେ ରଖି ଅନେକ ରାଜ୍ୟ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ତେବେ ଦିଲ୍ଲୀରେ ସଂକ୍ରମଣ ଗତ କିଛି ଦିନ ହେବ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି ।