ଏମିତି କଣ ଆସିପାରେ ମୃତ୍ୟୁ?
କରୋନା ମହାମାରୀର ପ୍ରାଦୁର୍ଭାବ ରାଜ୍ୟର ସବୁ ଜିଲ୍ଲାରେ ଦେଖିବାକୁ ମିଳୁଛି । ପ୍ରତିଦିନ ଦେଖିବାକୁ ମିଳୁଛି ଭୟଙ୍କର ଚିତ୍ର । କେଉଁଠି ଗୋଟିଏ ପରିବାରର ଏକା ସଂଗେ ବାପା,ମାଆ ଆଖିବୁଜୁଛନ୍ତି ତ କେଉଁଠି ଆଗ ପଛ ହୋଇ ସ୍ୱାମୀ,ସ୍ତ୍ରୀ ପଳାଉଛନ୍ତି । ଗୋଟିଏ ଗୋଟିଏ ସୁନାର ସଂସାରକୁ ଉଜାଡିଦେଉଛି କରୋନା ।
ଏମିତି କଣ ଆସିପାରେ ମୃତ୍ୟୁ? ଅନୁଗୁଳ ଛେଣ୍ଡିପଦାରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା । ସ୍ତ୍ରୀ ଯିବାର ମାସେ ନପୁରୁଣୁ ଚାଲିଗଲେ ସ୍ୱାମୀ । ଆଉ ଘରେ ଏବେ ଏକମାତ୍ର ଅସହାୟ ଝିଅ । ସାପୁଇନାଳୀର ମିିହିର କୁମାର ସାହୁ ଜଣେ ପରିବହନ ବ୍ୟବସାୟୀ । ତାଙ୍କର ୨ଟି ଟ୍ରକ ଥିବା ବେଳେ ମାଲ ପରିବହନ କରି ପରିବାର ପୋଷୁଥିଲେ । ଅନୁଗୁଳ ଟାଉନରେ ଭଡା ଘର ନେଇ ରହୁଥିଲେ । ମିହିରଙ୍କ ସ୍ତ୍ରୀ ଶୁଭଶ୍ରୀଙ୍କର ଗତ ମାସ ୨୪ ତାରିଖରେ ହୃଦଘାତରେ ମୃତ୍ୟୁ ଘଟିଥିଲା । ପତ୍ନୀଙ୍କ ଦେହାନ୍ତ ପରେ ପୁରା ଭାଙ୍ଗିପଡିିଥିଲେ ମିହିର । ଗତମାସ ୨୮ ତାରିଖରେ ମିହିର ମଧ୍ୟ ହଠାତ ଅସୁସ୍ଥ ହୋଇପଡିଥିଲେ । ଏହା ପରେ ସେ କରୋନା ସଂକ୍ରମିତ ଥିବା ଜଣାପଡିଥିଲେ । ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ମିହିର । ହେଲେ ଏବେ ମିହିର ବି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି । ସ୍ୱାମୀ, ସ୍ତ୍ରୀ, ଆଗ ପଛ ହୋଇ ଚାଲିଯାଇଥିବା ବେଳେ ଏବେ ଘରେ ତାଙ୍କର ଏକମାତ୍ର ଝିଅ । ସେ ଏବେ ଯୁକ୍ତ ଦୁଇରେ ପଢୁଥିବା ବେଳେ ସମଗ୍ର ଅଂଚଳରେ ଶୋକରେ ଛାୟା ଖେଳିଯାଇଛି ।
ସେହିପରି ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ଲୋଚାପଡ଼ାରେ ଘଟିଛି ଆଉ ଏକ ହୃଦୟବିଦାରକ ଘଟଣା । ମାଆଙ୍କ ମରଶରୀରକୁ ଅନ୍ତ୍ୟେଷ୍ଟି ପାଇଁ ନିଆଗଲା ବେଳେ ଭାଇର ମୃତ୍ୟୁ ଖବର ପାଇଛନ୍ତି ଭଉଣୀ । ଲୋଚାପଡ଼ାରେ ରହୁଥିଲେ ଜଣେ ବୃଦ୍ଧା ମାଆ ଓ ତାଙ୍କର ୪୫ ବର୍ଷର ପୁଅ । ଉଭୟେ କିଛି ଦିନ ତଳେ ଅସୁସ୍ଥ ହୋଇଥିଲେ । ପୁଅର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଲକ୍ଷଣ କମ୍ ଥିବାରୁ ଘରୋଇ ସଙ୍ଗରୋଧରେ ଥିଲେ ସେ । କିନ୍ତୁ ଶନିବାର ସକାଳେ ମାଆଙ୍କ ମୃତ୍ୟୁ ଘଟିଥିଲା । ପ୍ରାୟ ୧୦ ଘଣ୍ଟାରୁ ଅଧିକ ସମୟ ପର୍ୟ୍ୟନ୍ତ ମୃତଦେହ ଘରେ ପଡ଼ି ରହିଥିଲେ ସୁଦ୍ଧା କେହି ସହଯୋଗ ପାଇଁ ଆଗେଇ ଆସି ନଥିଲେ । ଘର ମାଲିକଙ୍କ ଠାରୁ ଖବର ପାଇ ବିଏମ୍ସି ଆମ୍ବୁଲାନ୍ସ ଆସି ପୁଅକୁ କୋଭିଡ୍ ହସ୍ପିଟାଲ ନେଇଥିଲା । ଟାଉନ୍ ଥାନା ପୋଲିସ ମହିଳାଙ୍କ ମୃତଦେହ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା । ମରଶରୀର ଏମ୍କେସିଜି ମେଡିକାଲ ଶବ ଗୃହରେ ରଖାଯାଇଥିଲା ।
ଛତିଶଗଡରୁ ବୃଦ୍ଧାଙ୍କ ଝିଅ- ଜ୍ୱାଇଁ ପହଞ୍ଚି ମାଆଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ମରଶରୀର ନେବା ବେଳେ ଆଉ ଏକ ଦୁଃଖଦ ଖବର ପହଞ୍ଚିଥିଲା ଯେ ପୁଅ ମଧ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମଆ, ପୁଅ ଡକାଡକି ହୋଇ ଚାଲିଗଲେ । କରୋନାର ଏଭଳି କରୁଣ ଚିତ୍ର ପ୍ରତିଦିନ ସବୁ ଜିଲ୍ଲାରୁ ଆସିଛି ଯାହା ବିଶ୍ୱାସ କରିବା କଷ୍ଟକର ।