ଭୁବନେଶ୍ୱର ଆପଣାଇବ କି ବ୍ରହ୍ମପୁର ମଡେଲ!
ଘରେ ପହଚୁଁଛି ଟିକା । ଆରମ୍ଭ ହେଲା ଗଂଜାମରେ ଘରକୁୁ ଘର ଟିକାକରଣ ପ୍ରକ୍ରିୟା । ବିଏମସି ଅଂଚଳରେ ବରିଷ୍ଠ ନାଗରିକଙ୍କ ପାଇଁ କେବେଳ ଏହି ସୁବିଧା ଉପଲବ୍ଧ ହେବ । ଏନେଇ ଏକ ସ୍ୱତନ୍ତ୍ର ଭ୍ୟାନ ପ୍ରସ୍ତୁତ କରାଯାଇଛି । ଜିଲ୍ଲା ପ୍ରଶାସନର ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯିବା ସହ ଅନ୍ୟ ଅଂଚଳରେ ବି ଏଭଳି ବ୍ୟବସ୍ଥା ଆରମ୍ଭ କରିବାକୁ ଦାବି ହେଉଛି ।
ରାଜ୍ୟରେ ସଂକ୍ରମଣ ଉପରମୁହାଁ ଥିବା ବେଳେ ବରିଷ୍ଠ ନାଗରିକ ମାନେ ଟିକାକରଣ କେନ୍ଦ୍ରକୁ ଆସିବା ସମ୍ଭବପର ହେଉନାହିଁ । ତେଣୁ ସେମାନଙ୍କୁ କିଭଳି ଟିକାକରଣ କରାଯିବ ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଏହି ଗାଡ଼ି ଘର ଘର ବୁଲି ପଂଜିକୃତ କିମ୍ବା ଟିକା ନେବା ପାଇଁ ସୂଚନା ଦେଇଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ଟିକା ଦେବ ।
ଏହାସହ ଆଜିଠୁ କରୋନା ସଚେତନତା ରଥ ବ୍ରହ୍ମପୁର ବିଏମସି ଅଂଚଳରେ ବୁଲିବାର କାର୍ୟ୍ୟକ୍ରମ ରହିଛି । ଏହି ରଥକୁ କରୋନା ଭୁତାଣୁ ଭଳି ସଜାଯାଇଛି । ସହରର ସମସ୍ତ ଅଂଚଳରେ ପହଂଚି ମାସ୍କ ପିନ୍ଧିବା, ସାମାଜିକ ଦୁରତା ରକ୍ଷାକରିବା, ସାନିଟାଇଜ କରିବା ଏବଂ ଆବଶ୍ୟକତା ନଥିଲେ ଘରୁ ନବାହାରିବା ନେଇ ଲୋକଙ୍କୁ ସଚେତନ କରିବ ଏହି ଗାଡ଼ି ।
ଭୁବନେଶ୍ୱରରେ ବି ବରିଷ୍ଠ ନାଗରିକଙ୍କ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । କିନ୍ତୁ ବ୍ରହ୍ମପୁରରେ ଟିକା ଭ୍ୟାନ ଘରେ ପହଚିଂ ଟିକା ଦେଉଥିବା ବେଳେ ଭୁବନେଶ୍ୱରରେ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତନ ରହିଛି । ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କୁ ଏକ ଭ୍ୟାନରେ ଆଣି ଟିକାକରଣ କେନ୍ଦ୍ରରେ ଟିକା ଦେବା ପରେ ନେଇ ଘରେ ଛଡାଯିବ । ହେଲେ ଟିକାକରଣ କେନ୍ଦ୍ରରେ ବହୁ ଭିଡ ଜମୁଥିବାରୁ ବରିଷ୍ଠ ନାଗରିକଙ୍କ ପାଇଁ ବିପଦ ରହିଛି । ସଂକ୍ରମିତ ହେବାର ଆଶଙ୍କା ବି ରହିଛି । ହେଲେ ବ୍ରହ୍ମପୁରରେ ଘରେ ନେଇ ଟିକା ପହଚିଂବାର ବ୍ୟବସ୍ଥାକୁ ଅନେକ ପ୍ରଶଂସା କରୁଥିବା ବେଳେ ଏଠି ପ୍ରଶ୍ନ ଉଠୁଛି ଭୁବନେଶ୍ୱର ଆପଣାଇବ କି ବ୍ରହ୍ମପୁର ମଡେଲ ।