ଶକ୍ତିହୀନ ଶକ୍ତିମନ୍ତ୍ରୀ?
ରାଜ୍ୟର ଗୁରତ୍ୱପୂର୍ଣ୍ଣ ବିଭାଗର ଶକ୍ତି,ଶିଳ୍ପ ଓ ଗୃହରାଷ୍ଟ୍ରମନ୍ତ୍ରୀ ହୋଇଥିବା ମନ୍ତ୍ରୀ ଶକ୍ତିହୀନ କି? ଏ ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଏବେ ମହାମାରୀ ସହ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ଆଉ ଏହି ସମୟରେ ଶକ୍ତି ମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଛି ଘନଘନ ବିଦ୍ୟୁତ କାଟ । ଥରେ କି ଦୁଇଥର ନୁହେଁ ଦିନକୁ ୧୫ରୁ ୨୦ ଥର ବିଦ୍ୟୁତ କାଟ ହେଉଛି । ଲୋକେ ସଂକ୍ରମଣ ଭୟ ତା ସାଂଗକୁ ଅତ୍ୟଧିକ ଖରା ଯୋଗୁଁ ନା ଘରୁ ବାହାରକୁ ବାହାରିପାରୁଛନ୍ତି ନା ଗରମରେ ଘରେ ରହିପାରୁଛନ୍ତି । ଲୋକ ଗରମରେ ଆଉଟପାଉଟ ହେଉଥିବା ବେଳେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କିନ୍ତୁ ଦେଖା ମିଳୁନି ।
ଗତମାସଠାରୁ କଳାହାଣ୍ଡି କେସିଙ୍ଗାରେ ଘନଘନ ବିଦ୍ୟୁତ କାଟ ହେଉଛି । ବର୍ଷା,ପବନ କିଛି ନଥିବ କିନ୍ତୁ ଦିନକୁ ୧୫ଥର ଉପରେ ବିଦ୍ୟୁତ କାଟ ହେଉଛି । ଏବେ କେସିଙ୍ଗାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ।କରୋନା ଭୟରେ ଲୋକେ ଘରୁ ବାହାରକୁ ବାହାରୁନାହାନ୍ତି । ଏପରିକି ଯେଉଁମାନେ ସଂକ୍ରମିତ ସେମାନେ ଘରୋଇ ସଂଗରୋଧରେ ରହୁଛନ୍ତି । ଆଉ ଏତିକି ବେଳେ ବାରମ୍ବାର ବିଦ୍ୟୁତ କାଟ କରିବା ଲୋକଙ୍କ କଷ୍ଟକୁ ଦୁଇଗୁଣ କରିଦେଇଛି । ଅନ୍ୟପଟେ ଲକଡାଉନ ଯୋଗୁ ସରକାର ୭ରୁ ୧୨ ଦୋକନ ଖୋଲିବାକୁ କହିଥିବା ବେଳେ ଏହି ସମୟରେ ଲାଇନ ନଥିବାରୁ ଗ୍ୟାରେଜ ଓ ଇଲ୍କେ୍ଟ୍ରି ଦୋକାନ ମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବିଦ୍ୟୁତ କାଟ ନେଇ ଅନେକ ଥର ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରଣ ହେଉଛି । ଖବର କାଗଜରେ ମଧ୍ୟ ବାହାରୁଛି । ହେଲେ ଶକ୍ତି ମନ୍ତ୍ରୀଙ୍କ ନଜର ପଡୁନି । ଏନେଇ ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଥେରୁବାଲି ୩୨ କେଭି ଲାଇନରେ ସମସ୍ୟା ଯୋଗୁଁ ଏପରି ହେଉଛି ବୋଲି କହୁଛନ୍ତି । ହେଲେ ଶକ୍ତି ମନ୍ତ୍ରୀଙ୍କ ଜିଲ୍ଲାର ଅବସ୍ଥା ଯଦି ଏମିତି ତେବେ ଅନ୍ୟ ଜିଲ୍ଲାରେ ଲୋକେ କେଉଁ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବେ ତାହା ବିଚାରଯୋଗ୍ୟ । ଏବଂ ଜଣେ ପ୍ରଭାବଶୀଳ ମନ୍ତ୍ରୀ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନନେବା ଅନୁତାପର ବିଷୟ ବୋଲି ଚର୍ଚ୍ଚା ହେଉଛି ।