ଫୁଟାଣି ମାରି ଫଶିଗଲେ !
ଆରମ୍ଭରୁ ବହୁ ମୁହଁ ଫୁଟାଣି ମାରିଲେ । କେଉଁ ବାଲି ମାଫିଆ କିମ୍ବା ମଦ ମାଫିଆ ସହ ମୋର ସଂପର୍କ ନାହିଁ । ହେଲେ ଶେଷରେ ଯେଉଁ ବ୍ୟାଙ୍କ ଷ୍ଟେଟମେଂଟ ମିଳିଲା ଏବଂ ଆକାଶ ପାଠକଙ୍କ ନାଁରେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିବା ମହଙ୍ଗା ପଡିଲା । କୋଟି କୋଟି ଟଙ୍କାର କାରବାର ନେଇ ଯେଉଁ ବ୍ୟାଙ୍କ ତଥ୍ୟ ସାମ୍ନାକୁ ଆସିଛି, ସେଥିରେ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତି ଜଣାପଡିବା ପରେ କ୍ରାଇମବ୍ରାଂଚ ତାଙ୍କୁ ଗିରଫ କରିନେଇଛି । ଠକେଇ, ପ୍ରତାରଣା ଭଳି ଦଫା ଲାଗିଛି । ତଦନ୍ତରୁ ପ୍ରମାଣ ମିଳିଛି ସଂପୃକ୍ତି ନେଇ । ଯାହା ଗୋପାଳପୁର ବିଧାୟକଙ୍କ ଅଡୁଆକୁ ବଢାଇ ଦେଇଛି ।
ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିବ ଠକେଇ ମାମଲାରେ କିଭଳି ପ୍ରଦୀପ ପାଣିଗ୍ରାହୀ ସଂପୃକ୍ତ? ଗୋପାଳପୁରରେ ଟାଟାର ଏକ ପ୍ରକଳ୍ପ ରହିଛି । ଏଥିରେ ଜମିହରାଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଏକ ବଡ ଧରଣର ଠକେଇର ନକ୍ସା ତିଆରି କରାଯାଇଥିଲା । ଆକାଶଙ୍କୁ ଟାଟାର ଏକ ବଡ ପଦର ଅଧିକାରୀ ଭାବେ ଦର୍ଶାଇ ଲୋକଙ୍କ ମନରେ ବିଶ୍ୱାସ ତିଆରି କରାଯାଇଥିଲା । ଯାହାର ପ୍ରତିଟି ଦିଗ ମିଥ୍ୟା ଉପରେ ଆଧାରିତ ଥିଲା । ବଡ ପ୍ରଶ୍ନ ଉଠୁଛି, ପ୍ରଦୀପ ପାଣିଗ୍ରାହୀ କଣ ଆକାଶ ପାଠକଙ୍କ ବାବଦରେ କିଛି ଜାଣିନଥିଲେ ନା ଜାଣିଶୁଣି ଏହି ଠକାମୀର ଅଂଶୀଦାର ଥିଲେ ।
ପ୍ରଦୀପ ପାଣିଗ୍ରାହୀଙ୍କ ଯେଉଁ ବ୍ୟାଙ୍କ ଷ୍ଟେଟମେଂଟ ଗଣମାଧ୍ୟମରେ ପ୍ରସାରିତ ହୋଇଛି, ସେଥିରେ ଲକ୍ଷାଧୀକ ଟଙ୍କାର କାରବାର ସମସ୍ତଙ୍କୁ ତାଜୁବ କରିଦେଇଛି । ଗୋଟିଏ ଦିନରେ ପ୍ରଦୀପଙ୍କ ଆକାଉଂଟରୁ ଅଧକୋଟିରୁ ଅଧିକ ଟଙ୍କା ଆକାଶଙ୍କ ଆକାଉଂଟକୁ ଯାଇଛି । ଏହି ଟଙ୍କା କିଏ ଦେଇଛି, କାହିଁକି ଦେଇଛି ତାକୁ ନେଇ ତନାଘନା ଆରମ୍ଭ ହୋଇଛି । କୁହାଯାଉଛି ବାଲି ମାଫିଆ ଏବଂ ମଦ ମାଫିଆଙ୍କ ସହ ସଂପୃକ୍ତି ଜରିଆରେ ହିଁ ଏହା ଟଙ୍କା ହାସଲ କରାଯାଇଥିଲା । ଆରମ୍ଭରୁ ପ୍ରଦୀପ ପାଣିଗ୍ରାହୀ ଦୃଢୋକ୍ତି ଦେଇ କହିଥିଲେ ସେ କାହାଠାରୁ ଟଙ୍କାଟିଏ ବି ନେଇ ନାହାନ୍ତି । ହେଲେ ଧୀରେ ଧୀରେ ଏହା ଉପରୁ ପରଦା ହଟିବାରେ ଲାଗିଛି ।
ଗୋପାଳପୁର ବିଧାୟକ ନିଜ ଉପରୁ ଦୋଷ ଛଡାଇବାକୁ ଆରମ୍ଭ କରିଥିବା ଉଦ୍ୟମରେ ସେ ଏବେ ନିଜେ ଫଶିଯାଇଛନ୍ତି । ବଡ କଥାହେଉଛି, ଏହି ଠକାମୀ ଆଉ ଜାଲିଆତିର ପୁରା ଫର୍ଦ୍ଦରେ ଆଉ କାହା ନାଁ ସାମ୍ନାକୁ ଆସୁଛି, ତାକୁ ଅପେକ୍ଷା କରାଯାଇଛି ।