୨୬ ସକାଳେ ସ୍ଥଳଭାଗ ଛୁଇଁବ ବାତ୍ୟା!
ଆସୁଛି ବାତ୍ୟା ‘ୟଶ’ । ମହାମାରୀ ସମୟରେ ବାତ୍ୟା ମୁକାବିଲା ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଂଜ ପାଲଟିଛି । ‘ତାଉତେ’ ପରେ ପୁଣି ଏକ ବାତ୍ୟାକୁ ନେଇ ଲୋକଙ୍କ ମନରେ ଛନକା ପଶିଯାଇଛି । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏସଆରସିଙ୍କ ସୂଚନା ଅନୂସାରେ , ଆସନ୍ତା ୨୨ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ୨୪ରେ ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ତେବେ ୨୬ ତାରିଖ ବେଳକୁ ଏହା ଉତର ଓଡିଶା ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ।
ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀ ୨୩ ତାରିଖ ପୂର୍ବରୁ କୂଳକୁ ଫେରି ଆସିବକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ୨୫ ତାରିଖ ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଧୀରେ ଧୀରେ ବର୍ଷାର ପରିମାଣ ମଧ୍ୟ ବଢ଼ିବ । ସେହିଭଳି ୨୩ ତାରିଖରୁ ଆରମ୍ଭ ହେବ ପବନ । ବାତ୍ୟା ପୂର୍ବରୁ ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ନିଆଯିବ ଓ ବାତ୍ୟା ପରେ ରାସ୍ତାଘାଟ ସଫା କରି ଲୋକଙ୍କ ପାଖରେ ପିଇବା ପାଣି ଓ ରିଲିଫ ପହଁଚାଯାଇ ପାରିବ ଓ ବିଜୁଳି ସଂଯୋଗ କିପରି ପ୍ରଭାବିତ ନ ହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏସଆରସି ଏନେଇ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । କେଉଁ କେଉଁ ସ୍ଥାନକୁ ଫାୟାର,ଏନଡ଼ିଆରଫ, ଓଡ୍ରାଫର କେତୋଟି ଟିମ ପଠାଯିବ ତାହାର ପ୍ଲାନ ପ୍ରସ୍ତୁତ ହେଇଛି ।