ମହାମାରୀ ଭିତରେ ଆସିବେ ମହାବାହୁ…
() ଗୋଟିଏ ପଟେ ମହାମାରୀ ମୃତ୍ୟୁର ତାଣ୍ଡବ ରଚୁଛି, ମଣିଷକୁ ମୁର୍ଦ୍ଦାର ସଜାଉଛି, ଜୁଇ ଜାଳୁଛି, ପରିବାର ଉଜାଡୁଛି, ସଂସାର ଭାଙ୍ଗୁଛି । କରୋନା ପାଇଁ କହିବାକୁ ଗଲେ ସାରା ଜଗତରେ ହାହାକାର ପଡିଛି । ସବୁଠି ହତାଶ ଆଉ ନିରାଶାର ନିଶ୍ୱାସ ବହୁଛି । ଆଉ ଏହି ନିରାଶାର ନଈ ଆରପଟେ ଆଶା ସଞ୍ଚାର ହୋଇଛି । ମହାମାରୀ ଭିତରେ ମହାବାହୁଙ୍କ ଆଗମନୀର ଆଭାସ ମିଳିଛି । ସେ ଆସୁଛନ୍ତି, ଖୁବଶୀଘ୍ର ଆସୁଛନ୍ତି, ନୀଳକନ୍ଦରରୁ ବାହାରି ଦର୍ଶନ ଦେବାକୁ ଆସୁଛନ୍ତି, ଫିଟିଯିବ ପହଡ, ଖୋଲିଯିବ କଟକଣାର ଦୁଆର । ଭଗବାନ ଆସିବେ, ଭକ୍ତଙ୍କୁ ଦର୍ଶନ ଦେବେ । ସାମ୍ନାସାମ୍ନି ନହେଲା ନାହିଁ ଘରେ ରହି ତ ନିଜ ପ୍ରିୟ ଠାକୁରଙ୍କ ମୁହଁ ଚାହିଁ ମହାମାରୀ ସହ ଲଢିବାକୁ ମନରେ ଶକ୍ତି ସଞ୍ଚରିବ ମଣିଷ । ଏଇ ଆଶା ନେଇ ଆଗେଇ ଚାଲିଛି ମହାପ୍ରଭୁଙ୍କ ସ୍ୱାଗତର ପ୍ରସ୍ତୁତି, ଆବାହନ ପୂର୍ବର ରୀତିନୀତି ।
କରୋନା କାଳରେ ଚାଲିଛି କାଳିଆର ଯାତ । ନରେନ୍ଦ୍ର କୋଣରେ ଚାପ ଖେଳୁଛନ୍ତି ମହାବାହୁ । ଚନ୍ଦନ ଯାତ୍ରାରେ ମଗ୍ନ କାଳିଆ ସାଆନ୍ତେଙ୍କ ଚଳନ୍ତି ପ୍ରତିମା । ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରରେ ପର୍ବ । ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ୨୧ ଦିନ ଧରି ଚାଲିବ । ଏହା ହେଉଛି ବଡଦେଉଳର ସବୁଠାରୁ ଅଧିକ ଦିନ ଧରି ପାଳନ ହେଉଥିବା ପର୍ବ । ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଯାତ ସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ସରିବ । ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ମଦନମୋହନ, ରାମକୃଷ୍ଣ, ଶ୍ରୀଦେବୀ, ଭୂଦେବୀ, ପଞ୍ଚ ମହାଦେବ, ପଞ୍ଚୁପାଣ୍ଡବ ଶ୍ରୀମନ୍ଦିରରୁ ବାହାରି ନରେନ୍ଦ୍ର ପୋଖରୀରେ ଜଳକ୍ରୀଡା କରନ୍ତି ।
ପୁରାଣ କହେ ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବ ଅଜ୍ଞାତବାସ ପରେ ବିରାଟ ରାଜାଙ୍କ ନିକଟରେ ନିଜର ପ୍ରକୃତ ପରିଚୟ ପ୍ରଦାନ କରିଥିଲେ । ବିରାଟ ରାଜା ଶ୍ରୀକୃଷ୍ଣ ଓ ବଳରାମଙ୍କୁ ରାମକୃଷ୍ଣ ରୂପରେ ପଞ୍ଚୁପାଣ୍ଡବଙ୍କ ସହିତ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଇଚ୍ଛାପୂରଣ ପାଇଁ ହଁ ଭରିଥିଲେ । ଏହା ପରେ ଏକ ବିରାଟ ଜଳାଶୟ ସୃଷ୍ଟି କରି ଜଳ କେଳି ମଣ୍ଡପ ନିର୍ମାଣ କଲେ । ସମ୍ଭବତ ଏହି କାରଣରୁ ମଦନମୋହନ, ରାମକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଜଳକ୍ରୀଡା ପାଇଁ ସରୋବରକୁ ଯାତ୍ରା କରିଥାନ୍ତି । କରୋନା ବେଳେ ମହାପ୍ରଭୁଙ୍କ ଏହି ଚାପର ଅପୂର୍ବ ଦୃଶ୍ୟ ଦେଖିବାକୁ ଭକ୍ତବୃନ୍ଦ ଚାହିଁ ରହିଥାନ୍ତି । ହେଲେ ସଂକ୍ରମଣ ଆଶଙ୍କରେ ଏଥର ବିନା ଭକ୍ତରେ କଟକଣା ସହ ଚାଲିଛି ଚାପ ଖେଳ ।
ସେପଟେ ବଡଠାକୁରଙ୍କ ବଡଯାତ୍ରା ପାଇଁ ବଡଦାଣ୍ଡରେ ଚାଲିଛି ପ୍ରସ୍ତୁତି । ରଥ ନିର୍ମାଣ କାମରେ ଲାଗି ପଡିଛନ୍ତି ମହାରଣା ସେବାୟତ । ଚକ, ଅଖ, ରଥର ଯାବତୀୟ ଅଂଶ ତିଆରିରେ ମନ ଲଗାଇ କରୁଛନ୍ତି ମହାରଣା । ମହାବାହୁଙ୍କ ପାଖେ ନିଜର ସମସ୍ତ କର୍ମ ସମର୍ପଣ କରି ଆଗେଇ ଚାଲିଛି କାମ । ଆଉ ୟାରି ଭିତରେ ମହାରମା ସେବାୟତ ପଜିଟିଭ ଖବର ମନରେ ଭୟ ସୃଷ୍ଟି କରିଛି । ତଥାପି ଠାକୁରଙ୍କ କାମରେ ଆଶଙ୍କା ଭିତରେ ଆଶା ଜନ୍ମାଇ ରଥ ଗଢୁଛନ୍ତି ସେବାୟତ । ସବୁପରେ ସଂକ୍ରମଣ ପାଇଁ ଘରେ ରହିଛି ମଣିଷ, ଆଉ ୟାରି ଭିତରେ ନିଜ ଘରୁ ବାହାରିବେ ମହାପ୍ରଭୁ କାଳିଆ ସାଆନ୍ତ । ଗତବର୍ଷ ଯେମିତି କାଳିଆକୁ ଦେଖି କରୋନା କମିଯାଇଥିଲା ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଥିଲା । ଏସନ ବି ଠିକ ସେମିତି ଜଗା ବାହାରକୁ ଆସିଲେ ଜଗତରୁ ପୁଣି ଯିବ ମହାମାରୀ, କମିବ କରୋନାର କୋପ । ଏଇ ଆଶା ନେଇ ମହାମାରୀ ଭିତରେ ମହାପ୍ରଭୁଙ୍କ କାମ ଆଗେଇ ଚାଲିଛି…