THE BYAPINI

ବ୍ରାଣ୍ଡ ‘ନବୀନ’… ସଫଳତାର ସୁତ୍ର କଣ?

Get real time updates directly on you device, subscribe now.

ଜନବିରୋଧୀର ଷ୍ଟାମ୍ପ ମାରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ଦଳରୁ ବିଦା କରିଛି । ଆଉ ନବୀନଙ୍କୁ ଏଭଳି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ପୂର୍ବରୁ ଦଳବିରୋଧୀ କାମ ପାଇଁ ଦଣ୍ଡ ଦେଉଥିବା ନବୀନ ଜନବିରୋଧୀ କାମ ପାଇଁ ଏତେ ଯେ କଡା କାର୍ୟ୍ୟାନୁଷ୍ଠାନ ନେବେ ତାହା ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ କଳ୍ପନାର ବାହାରେ ଥିଲା । ଆଉ ଦଳରୁ ବିତାଡିତ ହେବା ପରେ ଗଣମାଧ୍ୟମରେ ପ୍ରଦୀପ ଯେଉଁ ବୟାନ ରଖୁଛନ୍ତି ଓ ଶାସନ କଳ ଉପରେ ଯେଉଁଭଳି ପ୍ରଶ୍ନର ପାହାଡ ଛିଡା କରୁଛନ୍ତି ତାହା ସରକାରକୁ ଅଡୁଆରେ ପକାଇବ ବୋଲି ଚର୍ଚ୍ଚା ହେଉଛି ।କିନ୍ତୁ ଦୁଇ ଦଶନ୍ଧି ଧରି ଓଡ଼ିଶା ରାଜନୀତିକୁ ଅତି ପାଖରୁ ଦେଖିଥିବା ବ୍ୟକ୍ତି କେବେ ହେଲେ ସୋସିଆଲ ମିଡ଼ିଆରେ ହେଉଥିବା ଚର୍ଚ୍ଚା ସହ ସହମତ ହେବେ ନାହିଁ । ଆଉ ଏହା ପଛରେ ମଧ୍ୟ ଏକ ବଡ କାରଣ ଲୁଚି ରହିଛି । ଯାହା ହେଉଛି ନବୀନଙ୍କ ଭାବମୂର୍ତ୍ତି ।

କଠୋର କାର୍ୟ୍ୟାନୁଷ୍ଠାନ ନବୀନଙ୍କ ଭାବମୂର୍ତ୍ତି ଗଢିତୋଳିବାର ସବୁଠୁ ବଡ ପୁଞ୍ଜି ତାହା ଗତ ୨ ଦଶନ୍ଧି ହେବ ପୂରା ଓଡ଼ିଶା ଦେଖୁଛି । ଦଳ ବିରୋଧୀ ହେଉ କି ଦୁର୍ନୀତିର ଦାଗ ଲାଗିଥିବା ନେତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନବୀନଙ୍କର ସବୁଠୁ ବଡ ଆସେଟ । ଯାହା ବଳରେ ଗତ ଦୁଇ ଦଶନ୍ଧି ହେବ ଓଡ଼ିଶା ରାଜନୀତିର ଅଦ୍ୱିତୀୟ ନେତା ସାଜିଛନ୍ତି ନବୀନ । ୨୦୦୦ ମସିହାରୁ ୨୦୨୦, ଏହା ଭିତରେ ଅନେକ ହେଭିୱେଟ ନେତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେଇ ଲୋକଙ୍କ ଭିତରେ ନବୀନ ନିଜର ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ର ଏକ ବଡ ଇମେଜ ଗଢିବାରେ ସକ୍ଷମ ହୋଇଛନ୍ତି । ଯାହା ତାଙ୍କୁ ଲଗାତାର ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ସୁଯୋଗ ଦେଇଛି ।

ଦୁର୍ନୀତିଖୋର, ଦଳବିରୋଧୀ ନେତାଙ୍କୁ ଦଣ୍ଡ । ପଲିଟିକାଲ କ୍ୟାରିୟରରେ ଏହି ଫର୍ମୁଲାକୁ ନେଇ ଆଗକୁ ବଢିଛନ୍ତି ନବୀନ । ଆଉ ଏହି ତାଲିକାରେ ଏବେ ଯୋଡି ହୋଇଛି ଜନବିରୋଧୀ ଟ୍ୟାଗ୍ । କେବଳ ପ୍ରଦୀପ ନୁହଁନ୍ତି ଏମିତି ଅନେକ ନେତାଙ୍କ ଉପରେ ପଡିଛି କାର୍ୟ୍ୟାନୁଷ୍ଠାନର ଛାଟ । ଯେଉଁଥିରେ ବିଜୟ ମହାପାତ୍ର, ପ୍ୟାରିମୋହନ ମହାପାତ୍ର, ଦିଲ୍ଲୀପ ରାୟ, ବୈଜୟନ୍ତ ପଣ୍ଡାଙ୍କ ଭଳି ବଡ ବଡ ନେତାଙ୍କ ନାଁ ରହିଛି । ବିଜୟ ମହାପାତ୍ରଙ୍କ ଠାରୁ ଆରମ୍ଭ ହୋଇଥିବା ଏହି କାର୍ୟ୍ୟାନୁଷ୍ଠାନ ପର୍ବ ଏବେ ପ୍ରଦୀପ ପାଣିଗ୍ରାହୀଙ୍କ ପାଖରେ ପହଞ୍ଚିଛି । ୨୦୦୦ ମସିହାରେ ବିଜେଡିର ପାୱାରଫୁଲ କୋଟରୀରେ ଆସୁଥିବା ବିଜୟ ମହାପାତ୍ରଙ୍କ ଶେଷ ମୁହୂର୍ତ୍ତରେ ଅପ୍ରତ୍ୟାଶିତ ଭାବେ ଟିକେଟ କାଟି ନବୀନ ଆରମ୍ଭ କରିଥିଲେ କାର୍ୟ୍ୟାନୁଷ୍ଠାନର ପର୍ବ । ରାଜ୍ୟର ପ୍ରଭାବଶାଳୀ ନେତା ବୋଲାଉଥିବା ବିଜୟଙ୍କ ଟିକେଟ କଟିବା ଦଳ ପାଇଁ ବୁମେରାଂ ହୋଇପାରେ ବୋଲି ସେତେବେଳେ ଚର୍ଚ୍ଚା ହେଲା । କିନ୍ତୁ ସବୁ ଚର୍ଚ୍ଚାକୁ ଭୂଲ ପ୍ରମାଣିତ କରି ପ୍ରଥମ ଥର ପାଇଁ କ୍ଷମତା ରାଜନୀତିରେ ବଡ ସଫଳତା ପାଇଥିଲେ ନବୀନ ।

ବିଜେପି-ବିଜେଡି ମେଣ୍ଟ ସରକାରରେ ନବୀନଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ପଦ । ଆଉ ଶାସନ କ୍ଷମତାକୁ ଆସିବା ପରେ ଦାଗୀ ନେତାଙ୍କ ତାଲିକା କରି ଦଳରୁ ତଡିବା ଆରମ୍ଭ ହେଲା ବ୍ଲୁ-ପ୍ରିଣ୍ଟ । ଯେଉଁଥିପାଇଁ ସେତେବେଳେ ମନ୍ତ୍ରୀ ଥିବା ନଳିନୀ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକଙ୍କ ଭଳି ବଡ ନେତାଙ୍କୁ ବିଜେଡିକୁ ବାଏ ବାଏ କରିବାକୁ ପଡିଲା । ଦୁର୍ନୀତିର ଦାଗ ଥିବା ନେତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେଇ ନିଜର ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ର ମୂଳଦୁଆ ପକାଇଥିଲେ ନବୀନ । ଦୁର୍ନୀତିଖୋର ଓ ଦଳବିରୋଧୀ ନେତାଙ୍କ ଉପରେ ନବୀନଙ୍କ କାର୍ୟ୍ୟାନୁଷ୍ଠାନ ଯେତିକି ବଢିଲା, ଦଳ ଓ ଲୋକଙ୍କ ମଧ୍ୟରେ ନବୀନଙ୍କର କ୍ରେଜ ମଧ୍ୟ ସେତିକି ବଢିଚାଲିଥିଲା ।

ବିଜୟ ମହାପାତ୍ର ଦଳରୁ ବିଦା ହେବା ପରେ ପାଳି ପଡିଥିଲା ଦିଲ୍ଲୀପ ରାୟଙ୍କର । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜୁଙ୍କ ଅତି ଘନିଷ୍ଠ ଭାବେ ଜଣାଶୁଣା ଦିଲ୍ଲୀପ ୨୦୦୨ ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ହୋଇ ନବୀନଙ୍କୁ ଚେକ୍ ଦେଇଥିଲେ । ଦିଲ୍ଲୀପ ନିର୍ବାଚନ ଜିତିଥିଲେ ସତ କିନ୍ତୁ ତାଙ୍କୁ ଏଥିପାଇଁ ଦଳରୁ ବହିଷ୍କାର କରି ଦଳବିରୋଧୀ କାର୍ୟ୍ୟ କରୁଥିବା ନେତାଙ୍କ ପାଇଁ ବିଜେଡିରେ କୌଣସି ସ୍ଥାନ ନାହିଁ ବୋଲି ସ୍ପଷ୍ଟ ସଂକେତ ଦେଇଥିଲେ ନବୀନ । ପ୍ରଥମ ପାଳିରେ ଦଳରେ ଥିବା ଦାଗୀ ନେତାଙ୍କ ବିରୋଧରେ ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ ନବୀନଙ୍କ ରାଜନୀତି କ୍ୟାରିୟରର ସବୁଠୁ ବଡ ଟର୍ଣ୍ଣିଂ ପଏଣ୍ଟ ଥିଲା । ନବୀନ ସରକାର ଦୁର୍ନୀତିମୁକ୍ତ ସରକାର, ନବୀନଙ୍କୁ ନେଇ ଲୋକଙ୍କ ମନରେ ଏଭଳି ଏକ ଇମେଜ ତିଆରି ହେବା ସହ ୨୦୦୪ ନିର୍ବାଚନରେ ମଧ୍ୟ ନବୀନଙ୍କ ଉପରେ ଭରସା କରିଥିଲେ ରାଜ୍ୟବାସୀ । ପ୍ରଥମ ପାଳି ଅପେକ୍ଷା ଅଧିକ ଆସନରେ ବିଜୟୀ ହୋଇ ଦ୍ୱିତୀୟ ପାଳି ଆରମ୍ଭ କରିଥିଲେ ନବୀନ । ଆଉ ଏହି ବିଜୟ ପଛର ସବୁଠୁ ବଡ ପୁଞ୍ଜି ଥିଲା ନବୀନଙ୍କ ସ୍ୱଚ୍ଛ ଶାସନ ।

୨୦୦୯ ନିର୍ବାଚନ ପୁର୍ବରୁ ବିଜେପି ହାତ ଛାଡି ଏକାକୀ ମୈଦାନକୁ ଓହ୍ଲାଇ ସମସ୍ତଙ୍କୁ ଚକିତ କରିଥିଲେ ନବୀନ । ଆଉ ଏହି ନିଷ୍ପତ୍ତି ସଠିକ୍ ପ୍ରମାଣିତ ହେଲା ଯେତେବେଳେ ବିଜେଡି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ସରକାର ଗଢିଲା । କୁହାଯାଏ ନବୀନଙ୍କ ନିଷ୍ପତ୍ତି ଓ ଗୋଟିଚାଳନା ଏବଂ ପ୍ୟାରୀମୋହନ ନିର୍ବାଚନୀ ପରିଚାଳନା ୨୦୦୯ରେ ବିଜେଡିକୁ ବଡ ବିଜୟ ଭେଟି ଦେଇଥିଲା । ତେବେ ଦଳୀୟ ସଙ୍ଗଠନ କଥା ବୁଝୁଥିବା ପ୍ୟାରୀମୋହନ ୨୦୧୨ କ୍ଷମତାକୁ ନିଜ ହାତ ମୁଠାକୁ ନେବାକୁ ନବୀନଙ୍କ ଲଣ୍ଡନ ଗସ୍ତ ସମୟରେ ଆରମ୍ଭ କରିଥିଲେ ମିଡ ନାଇଟ ଅପରେସନ । ଯେଉଁଥିରେ ପ୍ୟାରୀ ସଫଳ ହୋଇନଥିଲା ଆଉ ଏଥିପାଇଁ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡିଥିଲା । ଲଣ୍ଡନ ଗସ୍ତ ଅଧାରୁ ଫେରି ଦଳବିରୋଧୀ କାର୍ୟ୍ୟ ପାଇଁ ପ୍ୟାରୀଙ୍କୁ ବିଜେଡିରୁ ବହିଷ୍କାରର ବାଟ ଦେଖାଇଥିଲେ ନବୀନ । ଯାହାର ପ୍ରଭାବ ୨୦୧୪ ନିର୍ବାଚନରେ ପଡିବ ବୋଲି ରାଜନୀତି କରିଡରରେ ରୀତିମତ ଚର୍ଚ୍ଚା ହେଲା । କାରଣ ଗୋଟିଏ ପଟେ ଥିଲେ ପ୍ୟାରୀ ଓ ଅନ୍ୟପଟେ ପୂରା ଦେଶରେ ବହୁଥିଲା ମୋଦି ହାୱା । କିନ୍ତୁ ଏହାକୁ ମଧ୍ୟ ପ୍ରତିହତ କରି ୨୦୦୯ ତୁଳାନରେ ଅଧିକ ଆସନରେ ବାଜି ମାରିଲା ବିଜେଡି । ଆଉ ଏହାର ପୂରା ଶ୍ରେୟ ଗଲା ନବୀନଙ୍କ ପାଖକୁ । ଯାହା ପଛର ସବୁଠୁ ବଡ କାରଣ ଥିଲା ନବୀନଙ୍କ ପ୍ରତି ରାଜ୍ୟବାସୀଙ୍କ ଅଗାଢ ବିଶ୍ୱାସ ଓ ଭରସା ।

୨୦୧୪ ନିର୍ବାଚନର ନାୟକ ସାଜିଥିବା ନବୀନ ୨୦୧୯ ନିର୍ବାଚନ ପୂର୍ବରୁ ଦଳର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ନିଲମ୍ବିତ କରି ସମସ୍ତଙ୍କୁ ଚକିତ କରିଥିଲେ । ବୈଜୟନ୍ତଙ୍କ ପଛରେ ଦଳବିରୋଧୀ କାର୍ୟ୍ୟର ଅନେକ ଗୁଡିଏ ଟ୍ୟାଗ୍ ଦେଇ ଦଳରୁ ନିଲମ୍ବିତ କରିଥିଲେ ନବୀନ । ସେହିଭଳି ନିଜ ଅମାନିଆ ତୁଣ୍ଡ ପାଇଁ ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ମଧ୍ୟ ସମଦଶା ଭୋଗିବାକୁ ପଡିଥିଲା । ସରକାରଙ୍କ ବିରୋଧରେ ବିଷ ଓଗାଳିବାରୁ ଦାମଙ୍କୁ ମଧ୍ୟ ବହିଷ୍କାରର ବାଟ ଦେଖାଇଥିଲେ ନବୀନ । ଉଭୟ ବୈଜୟନ୍ତ ଓ ଦାମ ବିଜେଡିରୁ ବିଦା ହେବା ପରେ ପଦ୍ମ ପୋଖରୀରେ ଭାଗ୍ୟ ପରୀକ୍ଷା କରିଥିଲେ । ଏପରିକି ବୈଜୟନ୍ତ ଓ ଦାମଙ୍କ ପ୍ରତି କାର୍ୟ୍ୟାନୁଷ୍ଠାନ ଦଳ ପାଇଁ ମହଙ୍ଗା ପଡିବ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲେ ମଧ୍ୟ ନବୀନଙ୍କ କ୍ରେଜ ଆଗରେ ଦାମ ଓ ବୈଜୟନ୍ତଙ୍କ ପଲିଟିକ୍ସ ସମ୍ପୂର୍ଣ୍ଣ ଫିକା ପଡିଥିଲା । ଆଉ ୨୦୧୯ରେ ମଧ୍ୟ ମୋଦି ୱେଭକୁ ମାତ୍ ଦେଇ ପଞ୍ଚମ ଥର ପାଇଁ ଶାସନଗାଦିରେ ବସିଥିଲେ ନବୀନ । ଯାହା ଦର୍ଶାଉଥିଲା ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା ।

ଏହି ୫ଟି ନିର୍ବାଚନ ମଧ୍ୟରେ ନବୀନଙ୍କ ଅନେକ ହେଭିୱେଟ ନେତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି । କିନ୍ତୁ ଏହା ନବୀନଙ୍କ ପାଇଁ ବୁମେରାଂ ନହୋଇ ଉଭୟ ଦଳ ଓ ତାଙ୍କର ଭାବମୂର୍ତ୍ତିକୁ ଆହୁରି ସ୍ୱଚ୍ଛ କରିଛି । ଏପରିକି ନବୀନ ଯେଉଁ ନେତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ସେମାନଙ୍କର ରାଜନୈତିକ କ୍ୟାରିୟର ଏକ ପ୍ରକାର ଅନ୍ଧାର ଦିଗ ଭିତରକୁ ଠେଲି ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କେବଳ ଦିଲ୍ଲୀପ ରାୟଙ୍କୁ ଛାଡିଦେଲେ ଅନ୍ୟ କେହି ନେତା ବିଜେଡିରୁ ବିଦାୟ ନେବା ପରେ ସେଭଳି ସଫଳତା ଲାଭ କରିନାହାନ୍ତି । ଯାହା ଦର୍ଶାଉଛି ଏହି ନେତାଙ୍କ ବିରୋଧରେ ଏବେ ବି ଜନଆକ୍ରୋଶ ରହିଛି ଏବଂ ଏମାନଙ୍କ ପ୍ରତି କାର୍ୟ୍ୟାନୁଷ୍ଠାନ ନେଇଥିବା ନବୀନଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ଓ ଭରସା ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.