ପାଣ୍ଡିଆନ: ନୂଆ ଓଡ଼ିଶାର ପ୍ରଚ୍ଛଦପଟର ନାୟକ
ଅର୍ନ୍ତଜାତୀୟ ସ୍ତରରେ ସମ୍ମାନିତ ହେଲେ ଭି.କେ ପାଣ୍ଡିଆନ । ଓଡ଼ିଶାରେ ହକିକୁ ନୂଆ ପରିଚୟ ତଥା ବିକାଶ ପଥରେ ଆଗେଇ ନେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କୁ ଅର୍ନ୍ତଜାତୀୟ ହକି ଫେଡେରେସନ ପକ୍ଷରୁ ପ୍ରେସିଡେଣ୍ଟସ ସମ୍ମାନରେ ସମ୍ମାନିତ କରାଯାଇଛି । ଆଉ ଜଣେ ଓଡ଼ିଆ କ୍ୟାଡରର ଅଫିସରଙ୍କୁ ଏହି ଅର୍ନ୍ତଜାତୀୟ ସମ୍ମାନ ମିଳିବା ପ୍ରଥମ । ଓଡ଼ିଶାକୁ ହକିର ହବ ଭାବେ ଗଢିତୋଳିବା ଓ ବିଶ୍ୱସ୍ତରରେ ନୂଆ ପରିଚୟ ଦେବା ପଛରେ ପାଣ୍ଡିଆନ ଯେଉଁ ଉଦ୍ୟମ କରିଛନ୍ତି ତାହାର ଫଳ ସ୍ୱରୂପ ମିଳିଛି ଏହି ସମ୍ମାନଜନକ ଆୱାର୍ଡ । ପଦିଏ କଥାରେ କହିବାକୁ ଗଲେ ଓଡ଼ିଶାରେ ହକିକୁ ସଫଳତାର ଶିଖରରେ ପହଞ୍ଚାଇବା ପଛର ପ୍ରମୁଖ ବିନ୍ଧାଣୀ ପାଣ୍ଡିଆନ୍ ।
ଗତ କିଛି ବର୍ଷ ମଧ୍ୟରେ ବିଶ୍ୱସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟର ଆୟୋଜନ କରି ବିଶ୍ୱରେ ନୂଆ ପରିଚୟ ପାଇଛି ଓଡ଼ିଶା । କିଛି ମାସରେ ନୂଆ ଷ୍ଟାଡିୟମ ଛିଡା କରି ବିଶ୍ୱକପ ହକିର ଆୟୋଜନ ପାଇଁ ଆଗେଇ ଆସି ନବୀନ ଯେଉଁ ସତସାହସ ଦେଖାଇଥିଲେ ତାହା ପଛରେ ପାଣ୍ଡିଆନଙ୍କର ସବୁଠୁ ବଡ ଭୂମିକା ଥିଲା ବୋଲି କୁହାଯାଏ । ଅର୍ନ୍ତଜାତୀୟ ହକି ଫେଡରେସନ ଓ ହକି ଇଣ୍ଡିଆର ପ୍ରତିଟି ପ୍ରସ୍ତାବକୁ ନବୀନ ହଁ କରୁଥିବା ବେଳେ ଏହାକୁ କାର୍ୟ୍ୟକାରୀ କରାଇବାର ଦାୟିତ୍ୱ ନେଉଥିଲେ ପାଣ୍ଡିଆନ । ପ୍ରଶାସନିକ ଅଧିକାରୀ ଭାବେ ପରଦାର ପ୍ରଚ୍ଛଦପଟରେ ରହି ପାଣ୍ଡିଆନ ଓଡ଼ିଶାରେ ହକିର ଲୋକପ୍ରିୟତାକୁ ଆକାଶଛୁଆଁ କରାଇଥିଲେ । ଆଉ ଯାହାର ଫଳସ୍ୱରୂପ ଏବେ ହକି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରଥମେ ଖୋଜା ପଡୁଛି ଓଡ଼ିଶାର ନାଁ । ହକିକୁ ନେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ଯେଉଁ କ୍ରେଜ ବଢିଛି ତାହାକୁ ବଜାୟ ରଖିବା ପାଇଁ ୨୦୨୩ ବିଶ୍ୱକପ ଆୟୋଜନ ପାଇଁ ମଧ୍ୟ ହଁ ଭରିଛି ଓଡ଼ିଶା । ଏଥର କେବଳ ସହର ନୁହେଁ ଗାଁ ମାଟିରେ ବି ଖେଳାଯିବ ହକି ବିଶ୍ୱକପ । ଭୁବନେଶ୍ୱର ପରେ ଦ୍ୱିତୀୟ ଭେନ୍ୟୁ ଭାବେ ସୁନ୍ଦରଗଡକୁ ବାଛିଛନ୍ତି ନବୀନ । କେବଳ ହକିକୁ ନେଇ ନୁହେଁ ବରଂ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ପାଣ୍ଡିଆନ । ୫ଟି ସଚିବ ଭାବେ ଦାୟିତ୍ୱ ନେବା ପରେ ପାଣ୍ଡିଆନଙ୍କ କାର୍ୟ୍ୟ କରିବାର ଷ୍ଟାଇଲ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି । ପୂର୍ବରୁ ପରଦା ପଛରେ ରହି କାର୍ୟ୍ୟ କରୁଥିବା ପାଣ୍ଡିଆନ ଏବେ ଗ୍ରାଉଣ୍ଡରେ ବୁଲିବା ସହ ନିଜେ ପୂରା ସ୍ଥିତିର ତଦାରଖ କରୁଛନ୍ତି । ଓଡ଼ିଶା ଛାତିରେ ବିକାଶର ବୀଜ ବୁଣିବା ଆରମ୍ଭ କରିଛନ୍ତି ପାଣ୍ଡିଆନ । ଯାହା ଆଗକୁ ନୂଆ ଓଡ଼ିଶା ଭାମେ ମହାଦ୍ରୁମରେ ପରିଣତ ହେବ ।
କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ମନ୍ଦିରର ସୌନ୍ଦର୍ୟ୍ୟକରଣ ସହ ପୁରୀର ନବକଳେବର ହେଉ ଅବା କଟକ ବଡ ମେଡିକାଲକୁ ବିଶ୍ୱସସ୍ତରୀୟ କରିବାକୁ ନୀଳନକ୍ସା । ବରମୁଣ୍ଡା ବସ ଷ୍ଟାଣ୍ଡକୁ ଅର୍ନ୍ତଜାତୀୟ ବସ୍ ଟର୍ମିନାଲର ରୂପ ଦେବାକୁ ଉଦ୍ୟମ ଆରମ୍ଭ କରିବା ହେଉ ବା ସୁନ୍ଦରଗଡରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ । ନବୀନଙ୍କ ପ୍ରତିଟି ଘୋଷଣା ପୂର୍ବରୁ ପାଣ୍ଡିଆନ ପହଞ୍ଚିଯାଆନ୍ତି ଗ୍ରାଉଣ୍ଡ ଜିରୋରେ । କେତେବେଳେ ପାହାନ୍ତିଆ ତ ପୁଣି କେତେବେଳେ ସନ୍ଧ୍ୟା ସମୟରେ । ରାଜ୍ୟର ବିଭିନ୍ନ ମନ୍ଦିରର ବିକାଶମୂଳକ କାର୍ୟ୍ୟ ଠାରୁ ଆରମ୍ଭ କରି ମେଗା ପ୍ରୋଜେକ୍ଟ ସବୁ ଅଞ୍ଚଳ ବୁଲି ପାଣ୍ଡିଆନ ଥମ୍ବସ ଅପ୍ କରିବା ପରେ ସାମ୍ନାକୁ ଆସେ ନବୀନଙ୍କ ନୂଆ ଘୋଷଣା । ଯାହା ଦର୍ଶାଇଥାଏ ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାର ବଡ ଦାୟିତ୍ୱ ରହିଛି ପାଣ୍ଡିଆନଙ୍କ ମୁଣ୍ଡ ଉପରେ ।
କେବଳ ବିକାଶ ମୂଳକ କାର୍ୟ୍ୟ ନୁହେଁ ବିପତ୍ତି ସମୟରେ ମଧ୍ୟ ନିରବିଚ୍ଛିନ୍ନ ଭାବେ କାମ କରି ଚାଲିଛନ୍ତି ପାଣ୍ଡିଆନ । କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ତାହାକୁ ନିଜେ ବୁଲି ଅନୁଧ୍ୟାନ କରିଛନ୍ତି ପାଣ୍ଡିଆନ । କୋଭିଡ ହସ୍ପିଟାଲ ନିର୍ମାଣକୁ ତ୍ୱରାନ୍ୱିତ କରିବା ହେଉ ବା କୋଭିଡ ପରିଚାଳନା ସବୁ କ୍ଷେତ୍ରରେ ୫ଟି ସଚିବ ଭାବେ ପାଣ୍ଡିଆନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଯେଉଁଥିପାଇଁ ଏବେ ପାଣ୍ଡିଆନଙ୍କୁ ଏବେ ବିକାଶର ବିନ୍ଧାଣୀ ଓ ବିପଦ ବେଳର ବନ୍ଧୁ ବୋଲି କୁହାଯାଉଛି ।