ବାତ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ଓଡିଶା ମୁହାଁ ବାତ୍ୟା ‘ୟଶ’ । ଘଣ୍ଟାପ୍ରତି ୧୬ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ‘ୟଶ’ । ବାତ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ବାତ୍ୟାର ଗତି ନେଇ ଲଗାତର ନଜର ରଖାଯାଇଛି । ବାତ୍ୟାର ମୁକାବିଲା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ବାତ୍ୟା ମୁକାବିଲା ବେଳେ ପ୍ରଶାସନକୁ ଲୋକେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏବେ ପାରାଦୀପ ଠାରୁ ୨୨୦ କିମି, ବାଲେଶ୍ୱର ଠାରୁ ୩୩୦ କିମି, ଦିଘା ଠାରୁ ୩୨୦ କିମି ଓ ସାଗର ଦ୍ୱୀପ ଠାରୁ ୨୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।୨୬ ତାରିଖ ଦ୍ୱିପ୍ରହରରେ ୟାସ୍ ସ୍ଥଳଭାଗ ଅତିକ୍ରମ କରିବ । ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ ବୋଲି ସୂଚନା ଦେଇଛନ୍ତି ଓଗଊ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ଧାମରା ଓ ଚାନ୍ଦବାଲିରେ ସବୁଠାରୁ ବେଶି କ୍ଷତି ଘଟାଇବ । ଏହା ସହ ୨୬ ତାରିଖ ସକାଳୁ ବାତ୍ୟାର ପ୍ରଭାବ ଉପକୂଳରେ ପଡ଼ିବ । ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ୟାସର ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି ।
ବାତ୍ୟାର ପ୍ରଭାବ ରାଜ୍ୟର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳିଲାଣି । କିଛି ଅଂଚଳରେ ପବନ ବହିବା ସହିତ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି । ୨୬ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେଥିପାଇଁ ଏହି ଜିଲ୍ଲାକୁ ରେଡ୍ ୱାଣ୍ଣିଂ ଜାରି କରାଯାଇଛି । ସେହିପରି ମୟୂରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାଣ୍ଣିଂ । କେନ୍ଦୁଝର, ଢେଙ୍କାନାଳ ଓ ଗଞ୍ଜାମକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।