THE BYAPINI

ଟିକା ଟେଣ୍ଡରକୁ ଝଟକା!

Get real time updates directly on you device, subscribe now.

କରୋନାକୁ ମାତ ଦେବା ପାଇଁ ଟିକାକରଣ ହେଉଛି ଏକମାତ୍ର ଅସ୍ତ୍ର । ତେଣୁ ଟିକାକରଣକୁ ଜୋରଦାର କରିବା ପାଇଁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଡାକିଥିଲେ । ହେଲେ ବିଶ୍ୱବଜାରରୁ ଓଡିଶା ଟିକା ପାଇବା ନେଇ ଏବେ ସନ୍ଦେହ ବଢିଛି । କେନ୍ଦ୍ର ମନ୍ତ୍ରୀ ଡ଼ାକ୍ତର ହର୍ଷବର୍ଦ୍ଧନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଲେଖିଥିବା ଚିଠିରୁ ଏହି ସୁଚନା ମିଳିଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଲେଖିଛନ୍ତି ରାଜ୍ୟର ଟିକା ଆବଶ୍ୟକତା ପୁରଣ କରିବାକୁ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରି-ବିଡ଼ ମିଟିଂ କରାଯାଇଥିଲା। ହେଲେ ଏଥିରେ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ ସାମିଲ ହୋଇନଥିଲେ । ରାଜ୍ୟର ଆବଶ୍ୟକତା ଅନୁଯାୟୀ ଏହି ଦୁଇ କମ୍ପାନି ଟିକା ଯୋଗାଇ ପାରୁନାହାଁନ୍ତି। ସେପଟେ ଗ୍ଲୋବାଲ ଟେଣ୍ଡର ଜରିଆରେ ଓଡ଼ିଶା ସରକାର ବିଦେଶୀ କମ୍ପାନି ଠାରୁ ଟିକା କିଣିବାକୁ ଚାହୁଁଛନ୍ତି। ହେଲେ ଅନ୍ୟ ରାଜ୍ୟରେ ହୋଇଥିବା ଗ୍ଲୋବାଲ ଟେଣ୍ଡରରେ କେହି ବିଦେଶୀ କମ୍ପାନୀ ରାଜ୍ୟକୁ ଟିକା ଯୋଗାଣ ପାଇଁ ରାଜି ହେଉନଥିବା ମିଡ଼ିଆ ରିପୋର୍ଟ ପ୍ରକାଶ ପାଇଛି । ମଡ଼ର୍ଣ୍ଣା ଓ ଫାଇଜର ଭଳି ବିଦେଶୀ କମ୍ପାନି କେବଳ କେନ୍ଦ୍ର ସରକାରଙ୍କ ସହ ଡ଼ିଲ କରିବାକୁ ଚାହୁଁଛନ୍ତି । ତେଣୁ ମନ୍ତ୍ରୀ ଚିଠିରେ ଲେଖିଛନ୍ତି କେନ୍ଦ୍ର ସରକାର ଏହି କମ୍ପାନି ଠାରୁ ଟିକା ଆଣି ରାଜ୍ୟକୁ ଯୋଗାଇ ଦିଅନ୍ତୁ। ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ।

ରାଜ୍ୟ ସରକାର ଟିକା ଯୋଗାଣ ନେଇ ଗ୍ଲୋବାଲ୍ ଟେଣ୍ଡର ନୀତି କୋହଳ କରିଥିଲେ। ତେବେ ଏହା ପରେ ବି କୌଣସି ଟିକା ସଂସ୍ଥା ରାଜ୍ୟ ସହ ଡିଲ୍ କରିବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି । ସେରମ୍ ଓ ଭାରତ ବାୟୋଟେକ୍ ରାଜ୍ୟ ପରିବର୍ତ୍ତେ ସିଧା କେନ୍ଦ୍ର ସହ ଡିଲ୍ କରିବାକୁ ଚାହିଁଛନ୍ତି । ମଡର୍ଣ୍ଣା, ଫାଇଜର ଭଳି କଂପାନୀ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ପାଇଁ ଅପେକ୍ଷାରେ ରହିଛନ୍ତି। ରାଜ୍ୟରେ ଟିକା ଅଭାବ ଥିବାରୁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଥିଲା। ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଥିବା ମୁଖ୍ୟ ଶାସନ ସଚିବ କହିଥିଲେ। ୪ ମାସ ମଧ୍ୟରେ ସମସ୍ତ ସପ୍ଲାଇ ଦେବାକୁ କୁହାଯାଇ ଥିଲା । ସଫଳ ବିଡିଂ ହେଲେ ମେ’ ୨୮ ପରେ ଆମେ ଟିକା କିଣିପାରିବା ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।
ତେବେ ଟିକା ଟେଣ୍ଡର ପ୍ରକ୍ରିୟାରେ ପଂଜାବ ଓ ଦିଲ୍ଲୀ ସରକାର ମଧ୍ୟ ଟିକା ଆଣିବାକୁ ଯାଇ ବିଫଳ ହୋଇଛନ୍ତି । ଯଦି ଟିକା ଦେବ ତାହେଲେ ଭାରତ ସରକାରକୁ ଦେବ ବୋଲି ସମସ୍ତ କମ୍ପାନୀ କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି, ଗ୍ଲୋବାଲ ଟେଣ୍ଡର ଜରିଆରେ ଫାଇଜର ଓ ମୋଡେର୍ଣ୍ଣା ପାଖରୁ ଟିକା ଆଣିବାକୁ ଯୋଜନା କରିଥିଲେ । ହେଲେ କମ୍ପାନୀ ସିଧାସଳଖ ରାଜ୍ୟକୁ ଟିକା ଦେଇପାରିବ ନାହିଁ ବୋଲି କହିଛି । ପଂଜାବ ସରକାର କହିଛନ୍ତି, ଆମେରିକା ବୋଷ୍ଟନରେ ଚିଆରି ହେଉଥିବା ମୋଡେର୍ଣ୍ଣା ପଂଜାବ ସରକାରଙ୍କୁ ସିଧାସଳଖ ଟିକା ଦେଇପାରିବେନି ବୋଲି କହିଛି ।ଯଦି ଟିକା ଦେବେ ଭାରତ ସରକାରଙ୍କୁ ଦେବେ ବୋଲି କମ୍ପାନୀ କହିଛି । ମଧ୍ୟପ୍ରଦେଶ ସରକାର ମଧ୍ୟ ଟିକାକରଣ ପାଇଁ ଗ୍ଳୋବାଲ ଟେଣ୍ଡର ପ୍ରକ୍ରିୟାକୁ ଗ୍ରହଣ କରିନାହାନ୍ତି । ଏହା ଫଳପ୍ରଦ ଉପାୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.