ଯାଜପୁର: ‘ମୋ ବାପଘର ଲୋକ ମୋତେ ମାରିଦେବେ’
ଆମକୁ ମାରିଦେବେ । ଆମକୁ ସୁରକ୍ଷା ଦିଅ । ଏକ ଭିଡିଓ ମାଧ୍ୟମରେ ଏଭଳି କାକୁତି ମିନତୀ କରି ନ୍ୟାୟ ମାଗିଛନ୍ତି ଜଣେ ଯୁବତୀ । ନିଜ ଇଚ୍ଚାରେ ପ୍ରେମ ବିବାହ କରିବା ପରେ ଏବେ ଯୁବତୀଙ୍କ ହତ୍ୟା ଧମକ ମିଳୁଥିବା ଅଭିଯୋଗ ହୋଇଛି । ଯୁବତୀର ପରିବାର ଲୋକ ହିଁ ଅପହରଣ ସହ ହତ୍ୟା ଧମକ ହେଉଥିବା ସେ କହିଛନ୍ତି ।
ମୟୁରଭଂଜ ରାଇରଙ୍ଗପୁର ଅଂଚଳର ବେବି ଫିରଦୋସ ବାନୋ । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଂଚଳର ଜାଭେଦ ଇକବାଲଙ୍କୁ ୮ରୁ ୯ ବର୍ଷ ହେଲା ପ୍ରେମ କରୁଥିଲେ । ହେଲେ ପରିବାର ଲୋକ ଏହା ଜାଣିବା ପରେ ଆରମ୍ଭ ହୋଇଥିଲା ବିରୋଧ । ଫିରଦୋସଙ୍କୁ କଲିକତାରେ ଥିବା ମାମୁଁଙ୍କ ପାଖକୁ ପଠାଇ ଦେଇଥିଲେ । ହେଲେ ସେଠାରୁ ଫିରଦୋସ ଖସି ଆସି ଗତ ୨୮ ତାରିଖରେ କୋର୍ଟରେ ବିବାହ କରିଥିଲେ ।
ହେଲେ ପରିବାର ଲୋକ ଫିରଦୋସଙ୍କ ବିବାହକୁ ଗ୍ରହଣ କରୁନାହାନ୍ତି । ତାଙ୍କ ନିଜ ପରିବାର ଲୋକ ତାଙ୍କୁ ଅପହରଣ କରି ହତ୍ୟା ଧମକ ଦେଉଥିବା ଫିରଦୋସ ଅଭିଯୋଗ କରିଛନ୍ତି । ଫିରଦୋସ ଏନେଇ ଏକ ଭିଡିଓ ବାର୍ତା ଜରିଆରେ ଅଭିଯୋଗ ଆଣିବା ସହ ସୁରକ୍ଷା ମାଗିଛନ୍ତି । ଏପରିକି ତାଙ୍କ ଶାଶୁଘର ଲୋକ ଓ ସମ୍ପର୍କୀୟଙ୍କୁ ଏହି ଘଟଣାକୁ ନେଇ ସ୍ଥାନୀୟ ପୁଲିସ ହଇରାଶ କରୁଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।