ଯାଜପୁର: ମନ ଜିଣୁଛନ୍ତି ମୋନାଲିସା
ଘର କାମ କରୁଛନ୍ତି, ଆଉ ତା ସହିତ ଘୋଡା ବି ଚଢୁଛନ୍ତି । କେବଳ ଘୋଡା ନୁହେଁ , ବସ, ଟ୍ରକ ବି ଚଳାଉଛନ୍ତି । ଏହା କୌଣସି ପୁରୁଷ ନୁହେଁ ଆମେ ଆପଣଙ୍କୁ କହୁଛୁ ଜଣେ ଗୃହିଣୀଙ୍କ କଥା । ଯାହା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଏହା କୌଣସି ସିନେମା କି ସିରିଏଲର କାହାଣୀ ନୁହେଁ । ଜଣେ ସାଧାରଣ ମହିଳାଙ୍କ କାହାଣୀ । ଆଉ ମହିଳାଙ୍କର ଏହି ପ୍ରତିଭା ପାଇଁ ୟୁଟ୍ୟୁବ ଚ୍ୟାନେଲରେ ତାଙ୍କୁ ଦେଖୁଛନ୍ତି କୋଟିକୋଟି ଲୋକ ।
ଯାଜପୁରର ଜହଳ ଗ୍ରାମର ମୋନାଲିସା ଭଦ୍ର । ଦେଖିବାକୁ ବେଶ ସାଧାସିଧା । ହେଲେ କାମ ତାଙ୍କର ସବୁ ଅସାଧାରଣ । ମହିଳା ଜଣକ ଶାଢୀ ପିନ୍ଧିଛନ୍ତି, ମୁଣ୍ଡରେ ଓଢଣା ବି ଦେଇଛନ୍ତି । ହେଲେ ହାତରେ ଧରିଛନ୍ତି ବସର ଷ୍ଟିଅରିଂ । ବହୁ ଦକ୍ଷ ଡ୍ରାଇଭର ଯେଉଁ ଗାଡି ଚଳାଇବାକୁ ଭୟ କରାନ୍ତି ସେହି ଗାଡି ପୁଣି ମହିଳା ଜଣକ ଚଲାଉଛନ୍ତି ଜାତୀୟ ରାଜପଥ ଉପରେ । କେବେଳ ବସ ନୁହେଁ, ବଡ଼ ବଡ଼ ଟ୍ରକ,ଟ୍ରଲର, ଟ୍ରାକର ସବୁ ଚଲାଇବାରେ ବେଶ ପାରଗଂମ ମୋନାଲିସା । ଏହା ସହ ଘୋଡା ଉପରେ ମଧ୍ୟ ବେଶ ଆରାମରେ ଚଢିଥାନ୍ତି । ସବୁବେଳେ କିଛି ନୂଆ କରିବାର ଆଶା ହିଁ ମୋନାଲିସାଙ୍କୁ ସଫଳତା ଦେଇଛି । ସବୁଠୁ ବଡ଼ କଥା ହେଲେ ମୋନାଲିସା ପରିବାର ଲୋକଙ୍କ ବୁଝାସୁଝା ସହିତ ରୋଷେଇ ଓ ଘର କାମ କରିବା ପରେ ଏହି ସବୁ କାମ କରିଥାନ୍ତି । ଏତେ ସବୁ ପରେ ମଧ୍ୟ ମୋନାଲିସାଙ୍କ ସବୁ ସ୍ୱପ୍ନ ପୂରଣ ହୋଇନଥିବା ସେ କହିଛନ୍ତି । ଭବିଷ୍ୟତରେ ସେ ହେଲିକପ୍ଟର ଓ ଟ୍ରେନ ଚଲାଇବାକୁ ଆଶା ରଖିଥିବା କହିଛନ୍ତି ।
ମୋନାଲିସା ୟୁଟ୍ୟୁବ୍ରେ ଘୋଡ଼ାଚଢ଼ାଠାରୁ ଆରମ୍ଭ କରି ଟ୍ରାକ୍ଟରରେ ହଳ କରିବା, ଭଲ୍ଭୋ ବସ୍ ଚଳାଇବା ହେଉ କି ଟ୍ରକ୍ ଚଳାଇବାର ଯେଉଁ ଭିଡିଓ ଅପ୍ଲୋଡ୍ କରୁଛନ୍ତି, ତାହାକୁ କୋଟିକୋଟି ଲୋକ ଦେଖୁଛନ୍ତି। ଏବେ ୨୦ ଲକ୍ଷରୁ ଅଧିକ ୟୁଟ୍ୟୁବ୍ ବ୍ୟବହାରକାରୀ ତାଙ୍କର ଅନୁଗାମୀ । ଯାହାକି, ତାଙ୍କ ପାଇଁ ରୋଜଗାରର ସୁଯୋଗ ଆଣିଦେଇଛି । ୨୦୧୬ରେ ମୋନାଲିସାଙ୍କ ସ୍ୱାମୀଙ୍କ ନାଁ ବଦ୍ରିନାରାୟଣ ଭଦ୍ର ନିଜ ନାମରେ ଆରମ୍ଭ କରିଥିଲେ ଏକ ୟୁଟ୍ୟୁବ୍ ଚ୍ୟାନେଲ । ତାଙ୍କ ପତ୍ନୀ ମାଙ୍କଡ଼ଙ୍କୁ ଖାଇବାକୁ ଦେବା ସମୟରେ ସେ ଏକ ଭିଡିଓ ଉତ୍ତୋଳନ କରି ପ୍ରଥମଥର ଛାଡ଼ିଥିଲେ। ତାହାକୁ ବେଶ୍ କିଛି ଲୋକ ପ୍ରଶଂସା କରିଥିଲେ। ସେବେଠାରୁ ସେ ଦୈନିକ କିଛିନା କିଛି ଭିଡିଓ ଛାଡ଼ିଚାଲିଛନ୍ତି। ବିଶେଷକରି ମୋନାଲିସାଙ୍କ ପଶୁପକ୍ଷୀଙ୍କ ପ୍ରତି ଭଲପାଇବା, ବସ୍, ଟ୍ରକ୍,ଟ୍ରାକ୍ଟର୍, ଡମ୍ପର୍ ଓ ବୁଲେଟ୍ ଆଦି ଚଲାଇବା ଓ ଶାଢ଼ି ପିନ୍ଧି ଘୋଡ଼ା ଦୌଡ଼ାଇବାର ଦୃଶ୍ୟ ତାଙ୍କୁ ପ୍ରସିଦ୍ଧ କରିଛି। । ବର୍ତ୍ତମାନ ତାଙ୍କର ୨୨ ଲକ୍ଷ ୪୦ ହଜାର ସବସ୍କ୍ରାଇବର ରହିଛନ୍ତି। ପ୍ରାୟ ୭୬ କୋଟି ଦର୍ଶକ ତାଙ୍କ ଭିଡିଓ ସବୁ ଦେଖିସାରିଲେଣି। କେବଳ ଗାଡି କି ଘୋଡା ଚଢିବା ନୁହେଁ ପଶୁପକ୍ଷୀଙ୍କୁ ଭଲ ପାଇବା ଓ ଏହାକୁ ନେଇ ଭିଡିଓ ପ୍ରସ୍ତୁତ କରିବା ଏବେ ଏହି ଦମ୍ପତିଙ୍କ ନିଶା ଓ ପେସା ପାଲଟିଛି।