ବୌଦ୍ଧ: ବାଟରେ ଜଗିଥିଲା ମୃତ୍ୟୁ
ଅସୁସ୍ଥ ବାପାଙ୍କୁ ଦେଖିବାକୁ ଯାଉଥିଲେ । ହେଲେ କିଏ ଜାଣିଥିଲା ଅଧାବାଟରେ ଜଗିଥିଲା ମୃତ୍ୟୁ । ବାପାଙ୍କୁ ଦେଖିବା ପୂର୍ବରୁ ନିଜେ ସବୁଦିନ ପାଇଁ ଆଖିବୁଜିଦେଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ପୁରୁଣାକଟକରୁ ।ଦୁର୍ଘଟଣାରେ ସ୍ୱାମୀ , ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।
ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ମନ୍ଦାର ଗାଁର ସୁରେନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ ଅସୁସ୍ଥ ବାପାଙ୍କୁ ଦେଖିବାକୁ ସଂପର୍କୀୟଙ୍କ ସହ କାର ଯୋଗେ ରାଉରକେଲା ଯାଉଥିଲେ । ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ସକାଳ ସମୟରେ କାର୍ ଭାରସାମ୍ୟ ହରାଇ ଚାରିଛକ ନିକଟରେ ଏକ ଗଛରେ ପିଟି ହୋଇଥିଲା । ଘଟଣା ସ୍ଥଳରେ ହିଁ ଉଭୟ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା । ଏବେ ବି ୩ ଜଣ ଗୁରୁତର ଅଛନ୍ତି । ଚାରିଛକ ସ୍ଥିତ ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଛି। ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।