ମାଆ ତୁମେ ମନେରହିବ..
ସାହାଯ୍ୟର ନା ତିଳୋତ୍ତମା, ସହଯୋଗର ନାଁ ତିଳୋତ୍ତମା, ପରୋପକାର, ସ୍ନେହ ବତ୍ସଳ, ମମତାର ମୂର୍ତ୍ତିମନ୍ତ ଦେବୀର ପ୍ରତୀକ ତିଳୋତ୍ତମା… ଖାଲି ନିଜ ସନ୍ତାନ ନୁହେଁ ସମସ୍ତଙ୍କୁ ନିଜ ମମତାର ଡୋରିରେ ବାନ୍ଧିବାରେ ସିଦ୍ଧହସ୍ତ ସେ। କାହାକୁ ଉଣା କରନ୍ତିନି ଭଲପାଇବା ଦେବାରେ … ନିଜ ହସହସ ମୁହଁରେ ସର୍ବଦା ସ୍ନେହ ବାଣ୍ଟୁଥିବା ମଣିଷ ସବୁଦିନ ପାଇଁ ଶେଷ ନିଦ୍ରା ଯାଇଛନ୍ତି ଆଉ ଛାଡ଼ି ଯାଇଛନ୍ତି ଅନେକ ଛାପ। ସେଇଥିପାଇଁ ତ ତାଙ୍କ ଆବର୍ତମନରେ ତାଙ୍କୁ ଝୁରୁଛନ୍ତି ସମସ୍ତେ …
ଖୋର୍ଦ୍ଧା ବାଳକାଟି ଅନ୍ତର୍ଗତ ପ୍ରତାପ ଶାସନରେ ଜନ୍ମଗ୍ରହଣ କରିଥିବା ତିଳୋତ୍ତମା ପଣ୍ଡା ଆଉ ଆମ ମାନଙ୍କ ମଧ୍ୟରେ ନାହାନ୍ତି ସତ, କିନ୍ତୁ ତାଙ୍କ ଜୀବନକାଳ ମଧ୍ୟରେ ସେ ଯେତିକି କାମ କରିଯାଇଛନ୍ତି ସେ ସମସ୍ତଙ୍କ ମନରେ ସବୁଦିନ ପାଇଁ ରହିଥିବେ । କେବଳ ଜଣେ ଭଲ ମାଆ, ଗୃହିଣୀ ନଥିଲେ, ନିଜ ହସହସ ମୁହଁ ଓ ମିଠା କଥା ଦ୍ୱାରା ପରକୁ ବି ଆପାଣାର କରିଦେଉଥିଲେ । ୧୯୫୧ରେ ଜନ୍ମ ହୋଇଥିବା ତିଳୋତ୍ତମା ପଣ୍ଡା ମେ ୩୧ ତାରିଖ ସୋମବାର ସକାଳୁ ସମସ୍ତଙ୍କୁ ଛାଡିଚାଲିଯାଇଛନ୍ତି । ସେ ନିଜ ଭଲପାଇବା ଦ୍ୱାରା ସମସ୍ତଙ୍କୁ ଏତେ ଆକର୍ଷିତ କରିଦେଉଥିଲେ ଯେ, ତାଙ୍କ ଆବର୍ତମନରେ ଏବେ ସମସ୍ତେ ତାଙ୍କୁ ଝୁରୁଛନ୍ତି ।
ଇଂଜିନିୟର ସ୍ୱାମୀ ରାମଚନ୍ଦ୍ର ପଣ୍ଡାଙ୍କ ଚାକିରି କାଳ ମଧ୍ୟରେ ସେ ମଧ୍ୟପ୍ରଦେଶର ପାଖାଜଂର,ମାଲକାନଗିରି ଓ ଭୁବନେଶ୍ୱରରେ ରହି ଅନେକ ବିଜ୍ଞ ବ୍ୟକ୍ତିଙ୍କ ସଂସ୍ପର୍ଶରେ ମଧ୍ୟ ଆସିଥିଲେ । ଅତ୍ୟନ୍ତ ଭ୍ରମଣ ପ୍ରିୟ ଥିଲେ ସେ । ରାଜ୍ୟ,ଦେଶ ଓ ଅନେକ ସମୟରେ ବିଦେଶ ଭ୍ରମଣ କରିବାର ସୌଭଗ୍ୟ ଅର୍ଜନ କରିଥିଲେ ତିଳୋତ୍ତମା ପଣ୍ଡା । ଉଚ୍ଚ ଶିକ୍ଷା ପ୍ରତି ସମର୍ଥନ ମନୋଭାବ ଓ ଆଧୁନିକତା ସହିତ ତାଳ ଦେବା ମନୋବୃର୍ତ୍ତି ଯୋଗୁଁ ତାଙ୍କର ପୁଅ,ବୋହୁ, ଝିଅ, ଜ୍ୱାଇଁ, ନାତି, ନାତୁଣୀ ସମସ୍ତେ ଉଚ୍ଚ ପଦ ପଦବୀରେ ପ୍ରତିଷ୍ଠିତ । ଏପରିକି ତାଙ୍କର ୩ ନାତି, ନାତୁଣୀଙ୍କ ବିଦ୍ୟାଳୟରେ ସେ ଆଦର୍ଶ ଜେଜେ ମା’ ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କ ଅନ୍ତେ ଆଉ ଜଣେ ଚକ୍ଷୁହୀନ ଯେପରି ଏହି ସୁନ୍ଦର ପୃଥିବୀକୁ ଦେଖିପାରୁଥିବା ସେଥିପାଇଁ ସେ ତାଙ୍କ ଚକ୍ଷୁଦାନ ମଧ୍ୟ କରିଯାଇଛନ୍ତି ।
ସେହିପରି ମାଲକାନଗିରି ସତିଗୁଡା ଡ୍ୟାମ ନିକଟସ୍ଥ ଲକ୍ଷ୍ମୀ ନାରାୟଣ ମନ୍ଦିର ନିର୍ମାଣରେ ତାଙ୍କର ଅବଦାନ ସଦା ସ୍ମରଣୀୟ । ପରୋପକାର, ଗରିବ ଲୋକଙ୍କ ସେବା ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନ ଗୁଡିକୁ ସବୁବେଳେ ସେ ସହାୟତା କରିଆସୁଥିଲେ । ଏହା ସହ ବାଳକାଟି ଓ ତିହୁରି ଗାଁରେ ଏକାଧିକ ମନ୍ଦିର ପ୍ରତିଷ୍ଠା ତାଙ୍କ ଧର୍ମପରାୟଣର ହେବାର ଦୃଷ୍ଟାନ୍ତ ଦିଏ । ପରିବେଶ ସୁରକ୍ଷା ପାଇଁ ଲୋକଙ୍କୁ ଉତ୍ସାହିତ କରିବାକୁ ଯାଇ ବାଲିପାଟଣା ଅନ୍ତର୍ଗତ ତିହୁରି ଗାଁର ବହୁ ସ୍ଥାନରେ ସ୍ୱାମୀଙ୍କ ସହିତ ବୃକ୍ଷରୋପଣ କାର୍ୟ୍ୟ ସଫଳତାର ସହିତ କରିଯାଇଛନ୍ତି । ସେହିପରି ଚଳିତବର୍ଷ କରୋନା ଟିକାକରଣର ପ୍ରଥମ ଦିନରେ ହିଁ ନିଜ ସ୍ୱଇଚ୍ଚାରେ ଟିକା ନେବା ସହିତ ଅନ୍ୟମାନଙ୍କୁ ଟିକା ନେବା ପାଇଁ ପ୍ରେରିତ ଓ ଉତ୍ସାହିତ କରିଥିଲେ ।
ତିଳୋତ୍ତମା ପଣ୍ଡାଙ୍କ ବିୟୋଗ ଜନିତ ଅପୂରଣୀୟ କ୍ଷତି ପରେ ବିିଭିନ୍ନ ମହଲରୁ ତାଙ୍କ ପରିବାର ପାଇଁ ସମବେଦନାର ବାର୍ତା ଛୁଟି ଆସିଛି । ଏଭଳି ଦୁଃଖଦ ପରିସ୍ଥିତିରେ ତାଙ୍କ ପରିବାରବର୍ଗଙ୍କୁ ଧର୍ୟ୍ୟର ସହ ରହିବାକୁ ଇଶ୍ୱର ସହାୟ ହୁଅନ୍ତୁ, ଏହା ହିଁ ପ୍ରାର୍ଥନା।