THE BYAPINI

୪ ଦିନ ପ୍ରବଳ ବର୍ଷିବ

Get real time updates directly on you device, subscribe now.

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାରି ପ୍ରଭାବରେ ଆଜିଠାରୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଜୁନ୍ ୧୦ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଏହା ପ୍ରଭାବରେ ଆଜି ପ୍ରଥମ ପର୍ୟ୍ୟାୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାରେ ବର୍ଷା ହୋଇଛି। ସେହିପରି ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଧା ଓ ପୁରୀ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବି ମୌସୁମୀ ସକ୍ରିୟ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାକି ଓଡ଼ିଶାରେ ମୌସୁମୀ ସକ୍ରିୟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।

ଲଘୁଚାପ ପ୍ରଭାବରେ ଏକାଧିକ ସ୍ଥାନରେ ଭୀଷଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ନୟାଗଡ଼, ସୋନପୁର, ଖୋର୍ଧା, ପୁରୀ ଓ ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ୯ ଜିଲ୍ଲା ପାଇଁ କେନ୍ଦ୍ର ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଏହାବ୍ୟତୀତ ଆସନ୍ତାକାଲି ଗଞ୍ଜାମ, କଟକ, ଅନୁଗୁଳ, ସମ୍ବଲପୁର, ବରଗଡ଼, ନବରଙ୍ଗପୁର, ନୂଆପଡ଼ା, ମାଲକାନଗିରି, କୋରାପୁଟ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ୧୨ ତାରିଖ ଦିନ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, କଳାହାଣ୍ଡି, ବୌଦ୍ଧ, ସମ୍ବଲପୁର, ଅନୁଗୁଳ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଖୋର୍ଧା, ପୁରୀ, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୧୩ ଓ ୧୪ ତାରିଖ ଦିନ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷାକୁ ନେଇ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଶୁକ୍ରବାର ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷାର ସମ୍ଭାବନା ରହିଛି। ତେଣୁ ଲୋକମାନଙ୍କୁ ଘରୁ ନ ବାହାରିବାକୁ ତଥା ନିରାପଦ ସ୍ଥାନରେ ନିଜକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି।

ଏହାର ପ୍ରଭାବରେ ବିଭିନ୍ନ ନଦୀରେ ଉପୁଜିପାରେ ବନ୍ୟା ଭଳି ସ୍ଥିତି। କଚ୍ଚା ରାସ୍ତା ବି ଧସିବା ଆଶଙ୍କା ପ୍ରକାଶ ପାଇଛି। ପ୍ରବଳ ବର୍ଷା ଆଶଙ୍କାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର୍ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି। ମାଟି ଘର ଭାଙ୍ଗିଯିବା, ଭୂସ୍ଖଳନ, ଫସଲ ଓ ପନିପରିବା ଚାଷ ଆଦି ବିପର୍ୟ୍ୟସ୍ତ ହେବାର ଆଶଙ୍କା ରହିଛି। ଏଣୁ ଆବଶ୍ୟକ ପ୍ରସ୍ତୁତି ସାରିବାକୁ ଏସ୍ଆର୍ସି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମତ୍ସଜୀବୀମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.