THE BYAPINI

ସତ ଦେଖାଉଛି କିଏ !

Get real time updates directly on you device, subscribe now.

୨୦୧୯ ସାଧାରଣ ନିର୍ବାଚନ ପରେ ଓଡ଼ିଶା ଗଣମାଧ୍ୟମ କ୍ଷେତ୍ରରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଅନେକ ନୂଆ ନୂଆ ଚ୍ୟାନେଲ ଜନ୍ମ ନେଇଛି । କିନ୍ତୁ ନିର୍ବାଚନ ପରେ ଜନ୍ମ ନେଇଥିବା ଯେଉଁ ନୂଆ ସାଟେଲାଇଟ ନ୍ୟୁଜ୍ ଚ୍ୟାନେଲକୁ ନେଇ ଅଧିକ ଚର୍ଚ୍ଚା ହେଉଛି, ସେଥିମଧ୍ୟରୁ ନନ୍ଦିଘୋଷ ଏବଂ ଅର୍ଗସ ଟିଭି ଅନ୍ୟତମ । ନିଚ୍ଛକ ଓ ନିରପେକ୍ଷ ଖବର ପ୍ରସାରଣର ପ୍ରତଶ୍ରୁତି ଦେଇ ଉଭୟ ଚ୍ୟାନେଲ ଓଡ଼ିଶା ଗଣମାଧ୍ୟମ ଜଗତରେ ପାଦ ଦେଇଥିଲେ । କିନ୍ତୁ ଦିନ କେଇଟା ବିତିନି ଉଭୟ ଚ୍ୟାନେଲ ଭିତରେ ବଡ ଧରଣର ଫରକ ବାରି ସାରିଲେଣି ଦର୍ଶକ । ଉଭୟ ଚ୍ୟାନେଲର ଆଦୃତି ଓ ଲୋକପ୍ରିୟତା ବଢିଛି କିନ୍ତୁ ନନ୍ଦିଘୋଷ ସତକୁ ପୁଞ୍ଜି କରି ଲୋକପ୍ରିୟତା ହାସଲ କରିଛି ଆଉ ଅର୍ଗସ ଅର୍ଦ୍ଧସତ୍ୟ ଦେଖାଇ ଲୋକଙ୍କୁ ଭ୍ରମିତ କରୁଥିବା ଚର୍ଚ୍ଚା ଆରମ୍ଭ ହୋଇଛି ।

ଉଭୟ ନନ୍ଦିଘୋଷ ଓ ଅର୍ଗସ ଟିଭି ପଛରେ ରାଜ୍ୟର ଦୁଇ ପ୍ରଭାବଶାଳୀ ନେତାଙ୍କ ଆର୍ଶୀବାଦ ରହିଥିବା କୁହାଯାଉଛି । କିନ୍ତୁ ଏହାର ପ୍ରଭାବ ଯେ ନ୍ୟୁଜରେ ପ୍ରତିଫଳିତ ହେବ ତାହାର ସଂକେତ ଏବେଠୁ ଅର୍ଗସ ଦେବା ଆରମ୍ଭ କଲାଣି ବୋଲି ଚର୍ଚ୍ଚା ହେଉଛି । ନିରପେକ୍ଷ ନୁହେଁ ବରଂ ନେତାଙ୍କ ପକ୍ଷ କିଛି ଏଭଳି ଆଭିମୁଖ୍ୟ ସହ ଅର୍ଗସ ଆଗକୁ ବଢୁଥିବା ନେଇ ଆଲୋଚନା ହେଉଛି । ସତ୍ୟର ସନ୍ଧାନର ନାରା ଦେଉଥିବା ଅଗର୍ସ ଏବେ ଲୋକଙ୍କୁ ଅର୍ଦ୍ଧସତ୍ୟ ଦେଖାଉଥିବା ନେଇ ଚର୍ଚ୍ଚା ହେଉଛି । ରାଜ୍ୟର ସ୍ୱାର୍ଥ ନୁହେଁ ବରଂ ଜଣେ ନିର୍ଦ୍ଦିଷ୍ଟ ନେତାଙ୍କ ସପକ୍ଷରେ ବାତାବରଣ ସୃଷ୍ଟି କରିବାକୁ ଚ୍ୟାନେଲ ପକ୍ଷରୁ ଉଦ୍ୟମ କରାଯାଉଥିବା ନେଇ ଦର୍ଶକ ମହଲରେ ଚର୍ଚ୍ଚା ହେଉଛି । ଆଉ ଏହି ନିର୍ଦ୍ଦିଷ୍ଟ ନେତା ଜଣକ ଆଉ କେହି ନୁହଁନ୍ତି ବରଂ ରାଜ୍ୟ ବିଜେପିର ପୋଷ୍ଟରବୟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି ଦର୍ଶକ ମହଲରେ ଆଲୋଚନା ହେଉଛି । କୁହାଯାଉଛି, ଅଗର୍ସ ଚ୍ୟାନେଲ ପଛରେ ଧର୍ମେନ୍ଦ୍ରଙ୍କ କ୍ୟାମ୍ପର ବଡ ଅବଦାନ ରହିଛି । ପ୍ରଚ୍ଛଦପଟରେ ରହି ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ଏହି ଚ୍ୟାନେଲକୁ ପରୋକ୍ଷରେ ପରିଚାଳିତ କରୁଥିବା ଚର୍ଚ୍ଚା ହେଉଛି ।

ମିଡିଆ ଖଟିରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଅର୍ଗସ ଚ୍ୟାନେଲ ଗଠନ ପଛର ସବୁଠୁ ବଡ କାରଣ ହେଉଛି ରାଜ୍ୟରେ ବିଜେପି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଇମେଜ ତିଆରି କରିବା । ଯେଉଁଥିପାଇଁ ଚ୍ୟାନେଲର କଣ୍ଟେଣ୍ଟ ଠାରୁ ଆରମ୍ଭ କରି ବିତର୍କ ସବୁକିଛି ବିଜେପି ଓ ଧର୍ମେନ୍ଦ୍ରଙ୍କୁ ସୁହାଇଲା ଭଳି ହେଉଥିବାର ଦେଖିବାକୁ ମିଳୁଛି । ଏପରିକି ପ୍ରାୟୋଜିତ କାର୍ୟ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ଚ୍ୟାନେଲ କର୍ତ୍ତୃପକ୍ଷ ଯେପରି ପଣ କରିଛନ୍ତି । କିନ୍ତୁ କେନ୍ଦ୍ର ସରକାର ଓ ଧର୍ମେନ୍ଦ୍ରଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବା ଭଳି କୌଣସି ବି ଖବରରୁ କ୍ଷାନ୍ତ ରହୁଛି ଚ୍ୟାନେଲ । ପେଟ୍ରୋଲ ଓ ଗ୍ୟାସ୍ ଦର ବୃଦ୍ଧିକୁ ନେଇ ଲୋକଙ୍କ ମନରେ ଧର୍ମେନ୍ଦ୍ର ଓ କେନ୍ଦ୍ର ସରକାରଙ୍କ ପ୍ରତି ଆକ୍ରୋଶ ଥିଲେ ମଧ୍ୟ ଏହି ଖବର ଯେପରି ଚ୍ୟାନେଲ ପାଇଁ ସେତେଟା ଗୁରୁତ୍ୱ ବହନ କରୁନି । କେବଳ ଏତିକି ନୁହେଁ ଯେତେବେଳେ ପୂରା ରାଜ୍ୟ କରୋନା ସହ ଲଢେଇ କରୁଥିଲା ଓ ରାଜ୍ୟ ସରକାର ଏହାର ମୁକାବିଲା କରୁଥିଲେ ସେତେବେଳେ ଚ୍ୟାନେଲ କର୍ତ୍ତୃପକ୍ଷଙ୍କ ପାଇଁ ସବୁଠୁ ଗୁରୁତ୍ୱ ବହନ କରୁଥିଲା ବଙ୍ଗଳା ନିର୍ବାଚନ କଭରେଜ । ଖାସକରି ନନ୍ଦୀଗ୍ରାମରେ, ଯେଉଁ ନିର୍ବାଚନମଣ୍ଡଳୀର ପ୍ରଭାରୀ ଥିଲେ ଧର୍ମେନ୍ଦ୍ର । ଲାଗୁଥିଲା ସତେ ଯେପରି ନେତାଙ୍କ ପତିଆରା ବୃଦ୍ଧି କରିବାକୁ ପ୍ରଚାରର ପ୍ଲାଟଫର୍ମ ପାଲଟିଛି ଅର୍ଗସ । ସେତେବେଳେ ସାଧାରଣ ଲୋକଟିର ମନରେ ପ୍ରଶ୍ନ ଉଠୁଥିଲା ଯେ, ବାସ୍ତବରେ ଜଗୁଆଳି ମିଡିଆ ଭୂମିକାରେ କିଏ ଅବତୀର୍ଣ୍ଣ ହୋଇଛି ।

ଦାୟିତ୍ୱବାନ ଗଣମାଧ୍ୟମ ହିସାବରେ ସରକାରଙ୍କ ଦୋଷ ଓ ଦୁର୍ବଳତାକୁ ସାମ୍ନାକୁ ଆଣିବା ଗଣମାଧ୍ୟମର କର୍ତ୍ତବ୍ୟ । ସେ ରାଜ୍ୟ ସରକାର ହୁଅନ୍ତୁ ବା କେନ୍ଦ୍ର ସରକାର । କିନ୍ତୁ ଅର୍ଗସ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ ବୋଲି ଚର୍ଚ୍ଚା ହୁଏ । କେବଳ ରାଜ୍ୟ ସରକାରଙ୍କ ଦୋଷ ଓ ଦୁର୍ବଳତାକୁ ସାମ୍ନାକୁ ଆଣି ଅପାରଗ ସରକାରର ଷ୍ଟାମ୍ପ ବଜାଯାଏ । କିନ୍ତୁ କେନ୍ଦ୍ର ସରକାରଙ୍କ କୌଣସି ଦୋଷ, ଦୁର୍ବଳତା ଓ ଭୁଲ ସାମ୍ନାକୁ ଆସିଲେ ତାହାକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପୂର୍ବରୁ ସତେଯେପରି ସାଇଲେଣ୍ଟ ମୋଡକୁ ଚାଲିଯାଆନ୍ତି ଚ୍ୟାନେଲ କର୍ତ୍ତୃପକ୍ଷ । କିନ୍ତୁ ଲୋକଙ୍କ ସମସ୍ୟା ବୁଝୁଥିବା ନେତାଙ୍କ ଏକପାଖିଆ ଅଡିଓକୁ ଦେଖାଇ ଶାସକ ଦଳର ନେତାଙ୍କୁ ଟାର୍ଗେଟ କରିବାକୁ ପଛାଇନଥାନ୍ତି ଚ୍ୟାନେଲ କର୍ତ୍ତୃପକ୍ଷ । ଆଉ ଅର୍ଗସର ଏଭଳି ଆଭିମୁଖ୍ୟ ଏବେ ଚ୍ୟାନେଲର ନିରପେକ୍ଷତାକୁ ନେଇ ଅନେକ ପ୍ରଶ୍ନ ଛିଡା କରିଛି । ନିଚ୍ଛକ ସତ ଦେଖାଇବାକୁ ସଂକଳ୍ପ କରିଥିବା ଅର୍ଗସ ଦେଶରେ ଟିକାକରଣ, କରୋନା ମୁକାବିଲାରେ କେନ୍ଦ୍ର ସରକାରଙ୍କ ବିଫଳତା ଭଳି ଖବର ଦେଖାଇବାକୁ କାହିଁକି ସତସାହସ ଜୁଟାଇ ପାରୁନି ତାହାକୁ ନେଇ ଲୋକେ ପ୍ରଶ୍ନ କରିବା ଆରମ୍ଭ କଲେଣି ।
ଅନ୍ୟପଟେ ୨୦୧୯ ନିର୍ବାଚନ ପରେ ଗଣମାଧ୍ୟମ ଜଗତରେ ପାଦ ଦେଇଥିବା ନନ୍ଦିଘୋଷ ଟିଭିର ପ୍ରଚ୍ଛଦପଟରେ ବିଜେଡିର ପାୱାରଫୁଲ ନେତା ବବି ଦାସଙ୍କର ବଡ ଅବଦାନ ରହିଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏହାସତ୍ତ୍ୱେ ମଧ୍ୟ ନନ୍ଦିଘୋଷ ଟିଭିରେ ଗଣମାଧ୍ୟମର ନିରପେକ୍ଷତା ଉପରେ ଅଙ୍କୁଶ ଲଗାଇବା ଭଳି ସ୍ଥିତି ଏଯାଏଁ ସୃଷ୍ଟି କରାଯାଇ ନଥିବା ଦର୍ଶକ ମହଲରେ ଶୁଣିବାକୁ ମିଳୁଛି । ଏପରିକି ଦଳୀୟ ନେତାଙ୍କ ପ୍ରଚାର ପାଇଁ ନନ୍ଦିଘୋଷ ଟିଭିକୁ ବ୍ୟବହାର କରିବା ଭଳି ପରମ୍ପରା ମଧ୍ୟ ଏଯାଏଁ ସୃଷ୍ଟି କରାଯାଇନାହିଁ । ପ୍ରାୟୋଜିତ ନୁହେଁ ପ୍ରକୃତ ଖବର ଲୋକଙ୍କ ପାଖରେ ପହଞ୍ଚାଇବାକୁ ନନ୍ଦିଘୋଷ ଟିଭି ଭଳି ପ୍ଲାଟଫର୍ମ ସୃଷ୍ଟି କରାଯାଇଛି । ଯେଉଁଠି ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କୁ ସାମ୍ନାକୁ ଅଣାଯାଉଛି ଏବଂ ସତ ଦେଖାଇବାର ସତସାହସ ମଧ୍ୟ ରଖୁଛନ୍ତି ଚ୍ୟାନେଲ କର୍ତ୍ତୃପକ୍ଷ । ପ୍ରଚ୍ଛଦପଟରେ ସରକାରୀ ଦଳର ପ୍ରଭାବଶାଳୀ ନେତା ରହିଥିଲେ ମଧ୍ୟ ସରକାର ଓ ସରକାରୀ ବାବୁଙ୍କ ଭୁଲ ଖବରକୁ ଆଗ ଲୋକଙ୍କ ସାମ୍ନାକୁ ଆଣିବାକୁ ନନ୍ଦିଘୋଷ ଟିଭି ସତସାହସ ରଖିଥିବା ଚର୍ଚ୍ଚା ହେଉଛି । ରାଜ୍ୟ ସରକାରଙ୍କୁ ସୁବିଧାଜନକ ସ୍ଥିତିରେ ରଖିବା ପାଇଁ ଚ୍ୟାନେଲ ପକ୍ଷରୁ ସେଭଳି ଉଦ୍ୟମ କରାଯାଉନଥିବାର ଝଲକ ଏହାର ଖବର, ନ୍ୟୁଜ କଣ୍ଟେଣ୍ଟରେ ଦେଖିବାକୁ ମଳୁଥିବା ନେଇ ବ୍ୟାପିନୀ ପ୍ରତିନିଧିଙ୍କୁ କହିଛନ୍ତି କିଛି ଦର୍ଶକ ।

ଗୋଟିଏ ପଟେ ଅର୍ଗସ ଓ ଅନ୍ୟପଟେ ନନ୍ଦିଘୋଷ । ଉଭୟ ଚ୍ୟାନେଲ ପଛରେ ରାଜନେତାଙ୍କ ଲିଙ୍କ୍ ରହିଥିବା କୁହାଯାଉଛି । କିନ୍ତୁ ନେତାଙ୍କ ରାଜନୈତିକ ପତିଆରାକୁ ବୃଦ୍ଧି କରିବା ପାଇଁ ଅର୍ଗସ ଚ୍ୟାନେଲକୁ ବ୍ୟବହାର କରାଯାଉଥିବା ବେଳେ ନନ୍ଦିଘୋଷ ଟିଭିରେ ଲୋକଙ୍କ ସମସ୍ୟା ସହ ସରକାରୀ ଅବ୍ୟବସ୍ଥାର ଖବର ସାମ୍ନାକୁ ଅଣାଯାଉଥିବା ଦର୍ଶକ ମହଲରେ ଶୁଣିବାକୁ ମିଳୁଛି । ଯେଉଁଥିପାଇଁ ସୋସିଆଲ ମିଡିଆରୁ ସାଟେଲାଇଟରେ ଏଣ୍ଟ୍ରି କରିଥିବା ଅର୍ଗସକୁ ଆଉ ଲୋକେ ପୂର୍ବଭଳି ଭରସା ଓ ବିଶ୍ୱାସ କରିପାରୁନଥିବା ଶୁଣିବାକୁ ମିଳୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.