ନବୀନଙ୍କ ନ୍ୟାୟ : ୧୨ ବନାମ ୧୩
ରାଜଧାନୀର ୟୁନିଟ -୬ ଅଂଚଳରେ ଥିବା ସରକାରୀ କ୍ୱାର୍ଟର ନମ୍ବର ଭିଆଇଆର – ୧୩ । ବିଗତ ପାଞ୍ଚ ଛ’ ଦିନ ହେବ ସମଗ୍ର ରାଜ୍ୟରେ ଏହି ଘରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ପୋଲିସ, ଗଣମାଧ୍ୟମଠାରୁ ଆରମ୍ଭ କରି ଶାସକ, ବିରୋଧୀ ସମସ୍ତଙ୍କ ନଜର ରହିଥିଲା ଏହି ସରକାରୀ ବାସଭବନ ଉପରେ । କାରଣ ଏହି କ୍ୱାର୍ଟରରେ ପରିବାର ସହ ରହୁଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜନବିରୋଧୀ କାର୍ୟ୍ୟ କରୁଥିବା ଅଭିଯୋଗରେ ଗତ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡିରୁ ବହିଷ୍କାର କରିଥିଲେ । ତା’ପରେ ଗଣମଧ୍ୟମର ଗହଳି ଲାଗିଯାଇଥିଲା ପ୍ରଦୀପ ରହୁଥିବା ଏହି ଘରେ । ପ୍ରଦୀପ ପାଣିଗ୍ରାହୀ ମଧ୍ୟ ସୁପ୍ରିମୋଙ୍କ ଏହି ନିଷ୍ପତ୍ତିକୁ ସିଧାସଳଖ ଚ୍ୟାଲେଞ୍ଜ କରିଥିଲେ । କୌଣସି ଅଭିଯୋଗ ନଥାଇ କଣ ଜନବିରୋଧୀ କାର୍ୟ୍ୟ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହା ସହିତ କିଛି ଦଳୀୟ ନେତା ଓ ପ୍ରଶାସକଙ୍କ ବିରୋଧରେ ବିଶେଦାଗାର କରିବା ସହ ବ୍ୟକ୍ତିଗତ ଓ ରାଜନୈତିକ ଶତ୍ରୁତା ଯୋଗୁ ତାଙ୍କୁ ଫସେଇଦିଆଯାଇଥିବା ଅଭିଯୋଗ ଆଣିଥିଲେ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଦୀପଙ୍କ ଏହି ସରକାରୀ ବସଭବନକୁ ଲାଗି ରହିଥିବା ଭିଆଇଆର – ୧୨ରେ ମଧ୍ୟ ବିଜେଡିର ଅନ୍ୟ ଜଣେ ନେତା ରହୁଥିଲେ । ଆଉ ଏବେ ସେହି ଘରେ ତାଙ୍କ ବିଧାୟକ ପୁତ୍ର ରହୁଛନ୍ତି । କିଛି ବର୍ଷ ତଳେ ତାଙ୍କୁ ମଧ୍ୟ ଦଳ ବହିଷ୍କାର କରିଥିଲା । ଚିଟଫଣ୍ଡ କେଲେଙ୍କାରୀରେ ନାଁ ଆସିବା ପରେ ବାଙ୍କୀର ତତ୍କାଳୀନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ହାଇକମାଣ୍ଡ ।
କିନ୍ତୁ ଫରକ ଥିଲା ଯେ, ସିବିଆଇ ଦ୍ୱାରା ଗିରଫ ହେବା ପରେ ପ୍ରଭାତଙ୍କୁ ଦଳରୁ ବାହାର କରିବାକୁ ବାଧ୍ୟ ହୋଇଥିଲେ ଦଳୀୟ ନେତୃତ୍ୱ । କିନ୍ତୁ ପ୍ରଦୀପଙ୍କ କ୍ଷେତ୍ରରେ ପ୍ରଥମେ କାର୍ୟ୍ୟାନୁଷ୍ଠାନ ନିଆଯାଇ ତାପରେ ଅଭିଯୋଗକୁ ଅପେକ୍ଷା କରାଯାଇଥିଲା । ପ୍ରଭାତଙ୍କୁ ଦଳ ଦୁରେଇ ଦେଇଥିଲେ ମଧ୍ୟ କେଉଁଠି ନା କେଉଁଠି ଏବେ ମଧ୍ୟ ତାଙ୍କ ଉପରେ ଅହେତୁକ ଦଳୀୟ ଅନୁକମ୍ପା ରହିଛି । ଫଳସ୍ୱରୂପ ତାଙ୍କ ପୁଅ ଦେବୀ ତ୍ରିପାଠୀଙ୍କୁ ୨୦୧୯ ନିର୍ବାଚନରେ ବିଜେଡି ପକ୍ଷରୁ ବାଙ୍କୀ ବିଧାୟକ ପଦବୀ ଉପହାର ସଦୃଶ୍ୟ ଦିଆଯାଇଛି । ଏପରିକି ଛାମୁଆ ସଂଗଠନ, ଛାତ୍ର ବିଜେଡି ମଧ୍ୟ ଦେବୀଙ୍କ ହାତରେ ରହିଛି । କିନ୍ତୁ ପ୍ରଦୀପଙ୍କ ପ୍ରସଙ୍ଗରେ ବିଜେଡି ସମ୍ପୂର୍ଣ ହାତ ଛାଡି ଦେଇଥିବା ଦେଖିବାକୁ ମିଳୁଛି । ପ୍ରଭାତ ସିବିଆଇରେ ଜେରା ହେବା ଓ ଗିରଫ ହେବା ବେଳେ ତାଙ୍କ ପାଇଁ ବିଜୁ ଜନତାଦଳର ନେତା ଓ କର୍ମୀ ହୋହଲ୍ଲା କରିବା ସହ ସିବିଆଇ ଅଫିସ ଘେରାଉ କରିବାକୁ ପଛେଇନଥିବା ବେଳେ ପ୍ରଦୀପଙ୍କ କ୍ଷେତ୍ରରେ କେବଳ ତାଙ୍କ ଧର୍ମପତ୍ନୀ ସୁଜାତାଙ୍କୁ ଦେଖିବାକୁ ମିଳୁଛି ।
ଆମେ ଏଠାରେ କହିରଖୁଛୁ ଯେ, ପ୍ରଦୀପ ପାଣିଗ୍ରାହୀଙ୍କୁ ଆମେ ଜଣେ ସ୍ଵଛ ନେତାର ସାର୍ଟିଫିକେଟ ଦେବାକୁ ଚେଷ୍ଟା କରୁନୁ । କିନ୍ତୁ ଲକ୍ଷ ଲକ୍ଷ ଲୋକଙ୍କ କଷ୍ଟ ଉପାର୍ଜିତ ଧନକୁ ଚିଟଫଣ୍ଡ ମାଧ୍ୟମରେ ଚଳୁ କରିବା କଣ ଲୋକବିରୋଧୀ କାର୍ୟ୍ୟ ନୁହେଁ କି ? ତେବେ ଲୋକଙ୍କ ସ୍ୱାର୍ଥ ସହିତ ଖେଳ ଖେଳୁଥିବା ଏହି ରାଜନେତାଙ୍କ ପାଇଁ ବିଜେଡିର ନ୍ୟାୟ ଅଲଗା କାହିଁକି ? ଏହି ଦୁଇ ଘଟଣାକୁ ଦେଖିଲେ, ଆଇନ ତା ବାଟରେ ଯିବ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ନବୀନଙ୍କ ନ୍ୟାୟ କାହା ପାଇଁ କେମିତି ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।