ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ମାଓବାଦୀ ନିହତ
ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଏହି ଘଟଣାରେ ୬ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ବିଶାଖପାଟନମ୍ ଓ ପୂର୍ବ ଗୋଦାବରୀ ସୀମାରେ ଏନକାଉଂଟର ହୋଇଥିବା ସୁଚନା ମିଳିଛି । ନିହତ ମାଓବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି । ମାମ୍ପା ଥାନା ଅନ୍ତର୍ଗତ ଦିଗଲିମେଟ୍ଟା ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସ ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ଏହା ପରେ ଆନ୍ଧ୍ର ଗ୍ରେହଣ୍ଡ ବାହିନୀର ଯବାନମାନେ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପରେ ନକ୍ସଲମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ତେବେ ସର୍ଚ୍ଚ ଅପରେସନ ବେଳେ ସେଠାରୁ ବର୍ତ୍ତମାନ ସୁଦ୍ଧା ୬ ଜଣ ନକ୍ସଲଙ୍କ ମୃତ ଦେହ ଠାବ ହୋଇଥିବା ବେଳେ ବିପୁଳ ପରିମାଣର ମାରଣାସ୍ତ୍ର ଏବଂ ବନ୍ଧୁକ ଜବତ କରାଯାଇଛି । ଗୋଟିଏ ଏକେ ୪୭, ଏସଏଲ୍ଆର, ୩ଟି ଥ୍ରୀ ନଟ ଥ୍ରୀ ବନ୍ଧୁକ ଓ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କେହି ବି ମୃତାହତ ହୋଇନାହାନ୍ତି।