ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାହାଘର
ଆଜି ହେଉଛି ରୁକ୍ମଣୀ ହରଣ ଏକାଦଶୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ । ମା’ ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମଣୀ । ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ । ଜ୍ୟେଷ୍ଠମାସ ଶୁକ୍ଲପକ୍ଷ ଏକାଦଶୀ ତିଥୀରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ ରୁକ୍ମଣୀ ହରଣ ଏକାଦଶୀ । ଏହି ଅବସରରେ ଠାକୁର ଠାକୁରାଣୀଙ୍କ ଦେବ ବିବାହ ନୀତି ସଂପନ୍ନ ହୁଏ ।
ମହାପ୍ରଭୁ ଆଜି ଶିଶୁପାଳକୁ ହରାଇ ରୁକ୍ମଣୀଙ୍କୁ ହରଣ କରିବେ । ସକାଳ ଧୂପ ପରେ ଏହି ନୀତି ଆରମ୍ଭ ହେବ । ଶ୍ରୀମନ୍ଦିରରେ ଏନେଇ ୪୪ଟି ନୀତି ରହିଛି । ରାତିରେ ବିବାହ ଉତ୍ସବ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଭିତରେ ଚନ୍ଦନ ଯାତ୍ରା ଅବସରରେ ଜଳକ୍ରୀଡା ବିଧି ମଧ୍ୟ ଅନୁଷ୍ଠିତ ମଧ୍ୟ କରାଯିବ । ଆସନ୍ତାକାଲି ଚମ୍ପକ ଦ୍ୱାଦଶୀ ଥିବାରୁ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ରହିଚି । ପାଲିଙ୍କିରେ ମଦନ ମୋହନ ଓ ଭୂଦେବୀ ନଗର ପରିକ୍ରମା କରିବେ । ହେଲେ କରୋନା ଗାଇଡଲାଇନକୁ ନେଇ ସମସ୍ତ ନୀତି କରାଯିବ ।
ଶିଶୁପାଳ ରୁକ୍ମଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରି ତାଙ୍କୁ ବାଟରେ ହରଣ କରିବାକୁ ଦେବୀ ଗୁପ୍ତରେ ଶ୍ରୀକୃଷ୍ଣଙ୍କୁ ଚିଠି ଲେଖି ଜଣାଇଥିଲେ । ଯୋଜନା ମୁତାବକ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମଣୀ ରୂପୀ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀକୃଷ୍ଣରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ହରଣ କରିନେବେ । ବାଟରେ ଶିଶୁପାଳ ପ୍ରତିରୋଧ କରିବେ । ଘମାଘୋଟ ଲଢେଇ ପରେ ଶିଶୁପାଳ ପରାସ୍ତ ହୋଇ ବନ୍ଦୀ ହେବେ । ସେବକମାନେ ଦେବତାଙ୍କ ପକ୍ଷରୁ ଏହି ନୀତି ସଂପାଦନ କରିବେ ।