ସ୍ନାନବେଦୀରେ ଶ୍ରୀଜିଉ
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡି ସ୍ନାନ ବେଦୀରେ ଚତୁର୍ଦ୍ଧାବିଗ୍ରହ । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦିରେ ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। କୋଭିଡ କଟକଣା ମଧ୍ୟରେ ଚଳିତବର୍ଷ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା। ଭକ୍ତାରୁଢ଼ ହୋଇନି ବଡ଼ଦାଣ୍ଡ।
ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚୂଡ଼ାନ୍ତ ନୀତି ଅନୁଯାୟୀ, ବୁଧବାର ରାତି ୧ଟାରେ ମଙ୍ଗଳାର୍ପଣ, ରାତି ୧ଟାରୁ ୪ଟା ଭିତରେ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ହୋଇ ପହଣ୍ଡି ସଂପନ୍ନ ହୋଇଛି । ଧାଡି ପହଣ୍ଡିରେ ଆସି ଚତୁର୍ଦ୍ଧା ବିଗ୍ରହ ସ୍ନାନବେଦୀ ଉପରକୁ ବିଜେ କରିଛନ୍ତି। ଏହା ପରେ ମଙ୍ଗଳା ଆଳତୀ ହୋଇ ମଇଲମ, ତଡ଼ପ ଲାଗି, ଅଧର ପୋଛା, ଅବକାଶ ପରେ ବର୍ତମାନ ବେଶ ଶେଷ ହୋଇଛି।ସ୍ନାନବେଦୀରେ ଶ୍ରୀଜିଉଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯିବ। ମହାସ୍ନାନ ପରେ ଶ୍ରୀଜିଉଙ୍କ ହାତୀବେଶ ଦର୍ଶନ ଅନୁଷ୍ଠିତ ହେବ। ଅତ୍ୟଧିକ ସ୍ନାନ ଯୋଗୁଁ ମହାପ୍ରଭୁ ଜ୍ବରରେ ପୀଡିତ ହୋଇ ଅଣସର ଘରେ ଅବସ୍ଥାନ କରିବେ। ଅଣସର ଘରେ ଗୁପ୍ତ ସେବା ଉପଚାର ଆଗାମୀ ୧୫ଦିନ ଧରି ଜାରି ରହିବ। ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ସ୍ନାନ ପୁର୍ଣିମା ନୀତି କରାଯାଉଛି।
ସ୍ନାନ ପୂର୍ଣ୍ଣିମା ପାଇଁ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।ମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଓ ଗଳକନ୍ଦିକୁ ସିଲ୍ କରି ଦିଆଯାଇଛି । ବଡ଼ଦାଣ୍ଡରେ ମାର୍କେଟ୍ ଛକରୁ ଭକ୍ତ ତଥା ଜନସାଧାରଣଙ୍କ ପ୍ରବେଶ ସଂପୂର୍ଣ୍ଣ ନିଷେଧ କରାଯାଇଛି ।ସହରର ପ୍ରବେଶ ପଥର ଯଥା ମଙ୍ଗଳାଘାଟ, ବାଟଗାଁ, ମାଳତୀପାଟପୁର, ଗ୍ରିଡ୍ ଷ୍ଟେସନ୍, ତୋଷାଲି ସ୍ୟାଣ୍ଡ୍ ଛକକୁ ସିଲ୍ କରାଯାଇଛି ।