‘ମାଟ୍ରିକ୍ ମୂଲ୍ୟାୟନରେ ତ୍ରୁଟି ହୋଇନି’
ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମାଟ୍ରିକ ରେକଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷର ଚିତ୍ର ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ମାଟ୍ରିକ ନମ୍ବର ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ। ସ୍କୁଲମାନଙ୍କରୁ ଯାହା ନମ୍ବର ଆସିଥିଲା ତାହା୍କୁ ତର୍ଜମା କରି ମାର୍କ ଦିଆଯାଇଛି। ୨ ବର୍ଷ ନୁହେଁ ୪ ବର୍ଷର ଫଳାଫଳକୁ ଆଧାର କରି ମାର୍କିଂ ହୋଇଛି ହୋଇଛି ବୋଲି କହିଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା। ଯଦି ଛାତ୍ରଛାତ୍ରୀ ରେଜଲ୍ଟକୁ ନେଇ ସନ୍ତୁଷ୍ଟ ନୁହଁନ୍ତି , ତେବେ ଆଉ ଥରେ ପରୀକ୍ଷା ଦେଇପାରିବେ ବୋର୍ଡ ସଭାପତି କହିଛନ୍ତି ।
ବୋର୍ଡ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ୨୦୧୭,୧୮,୧୯,୨୦ ଶିକ୍ଷା ବର୍ଷକୁ ଆଧାର କରି ମାର୍କିଙ୍ଗ ହୋଇଛି । ମୂଲ୍ୟାୟନରେ କୌଣସି ତ୍ରୁଟି ନାହିଁ । ୨୨ଟି ସ୍କୁଲରେ ରେଜଲ୍ଟ ସଂଶୋଧନ ହେବାରେ କିଛି ସମସ୍ୟା ଥିଲା । ସେ ସ୍କୁଲଗୁଡ଼ିକ ଯଦିଓ ଜଗତିଂହପୁରର, କିନ୍ତୁ ସେ ସ୍କୁଲଗୁଡ଼ିକ ଗତବର୍ଷ କଟକ ଶିକ୍ଷା ଜିଲ୍ଲାରେ ସାମିଲ ହୋଇଛି । ତେଣୁ କୋଡ଼ ପରିବର୍ତ୍ତନକୁ ନେଇ ସମସ୍ୟା ଥିଲା । ଯାହାର ସମାଧାନ ହୋଇସାରିଛି ବୋଲି ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଚାହିଁଲେ ପୁଣି ଥରେ ପରୀକ୍ଷା ଦେଇପାରିବେ ବୋଲି କହିଛନ୍ତି ବୋର୍ଡ ସଭାପତି ।
ଚଳିତବର୍ଷ ମହାମାରୀ କରୋନା କାରଣରୁ ଗଣଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷା ବାତିଲ୍ କରିଥିଲା । ହେଲେ କମ ମାର୍କ ନେଇ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଥିଲେ । କଟକ ସ୍ଥିତ ବୋର୍ଡ ଅଫିସ୍ ମୁଖ୍ୟ ଫାଟକ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରତିବାଦ କରିଥିଲେ । ସେହିପରି ଆଉ କିଛି ସ୍ଥାନରେ ରାସ୍ତା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମାର୍କ ଦେବାରେ ତ୍ରୁଟି ଥିବା ଛାତ୍ରଛାତ୍ରୀ ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି ।