ମୂଲ୍ୟାୟନରେ ତ୍ରୁଟି ହୋଇନି..ମାର୍କ କମ ଥିଲେ ଦେଇପାରିବେ ପରୀକ୍ଷା
ରାଜ୍ୟର ବିିଭିନ୍ନ ସ୍କୁଲରେ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀ ବୋର୍ଡ କତୃପକ୍ଷ କହିଛନ୍ତି ଯେ, ଯେଉଁମାନେ କମ ମାର୍କକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ସେମାନେ ଆଉ ଥରେ ପରୀକ୍ଷା ଦେଇପାରିବେ । ଅଫଲାଇନ ପରୀକ୍ଷା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜୁଲାଇ ୫ରୁ ଫର୍ମ ଫିଲଅପ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଯେଉଁମାନେ ଅଫଲାଇନ୍ ପରୀକ୍ଷା ଦେବେ ସେହି ମାର୍କ ଫାଇନାଲ ହେବ ।
ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି, ଶ୍ରେଣୀଗୃହ ପାଠପଢ଼ା ହୋଇ ନଥିବାରୁ ସେଥିପ୍ରତି ଧ୍ୟାନ ଦେଇ ପାଠ୍ୟକ୍ରମ ମଧ୍ୟ କମା ଯାଇଥିଲା । କରୋନା କାଳରେ ବି ୯୨ ଦିନ ଯାଏଁ ସ୍କୁଲରେ ପାଠପଢା ହୋଇଛି । ଦ୍ୱନ୍ଦ୍ୱ ଦୂର ପାଇଁ ଅତିରିକ୍ତ କ୍ଲାସ କରାଯାଇଥିଲା । ପରୀକ୍ଷା ଦର୍ପଣ ନାଁରେ ଏକ ପ୍ରଶ୍ନ ପାର୍ଟନ ମଧ୍ୟ ଦିଆଯାଇଥିଲା ।ମେ’ ମାସ ୭ ତାରିଖରେ ବିଜ୍ଞପ୍ତି ଆଧାରରେ ମୂଲ୍ୟାୟନ କରାଯାଇଛି ।ଅନେକ ଶିକ୍ଷାବିତ୍, ଅନ୍ୟ ରାଜ୍ୟର ପରୀକ୍ଷା ପଦ୍ଧତିକୁ ଅନୁସରଣ କରାଯାଇଥିଲା । ୩୦ ଜଣ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବିଶିଷ୍ଟ ଶିକ୍ଷାବିତମାନଙ୍କର ପରାମର୍ଶ ନେଇଥିଲା ବୋର୍ଡ । ସମସ୍ତଙ୍କ ପରାମର୍ଶ ପରେ ଏକ୍ସାମିନେସନ୍ କମିଟିର ମଞ୍ଜୁରୀ ପରେ ପଦକ୍ଷେପ ନିଆଯାଇଛି ।
୪ ବର୍ଷର ପ୍ରଦର୍ଶନକୁ ବିଚାର କରି ମୂଲ୍ୟାୟନ ହୋଇଛି । ୨୦୧୭, ୧୮,୧୯, ୨୦ ବର୍ଷର ପ୍ରଦର୍ଶନକୁ ନେଇ ମୂଲ୍ୟାୟନ ହୋଇଛି । ନବମ ଶ୍ରେଣୀର ସର୍ବାଧିକ ଏବଂ ଦଶମ ଶ୍ରେଣୀର ୩ଟି ପରୀକ୍ଷାକୁ ଆଧାର କରି ରେଜଲ୍ଟ ପ୍ରକାଶ ପାଇଛି । ତେବେ, ପୂର୍ବ ଅପେକ୍ଷା ଚଳିତ ବର୍ଷ ସବୁ ଗ୍ରେଡରେ ପିଲାଙ୍କ ସଂଖ୍ୟା ବଢିଛି । ଗତବର୍ଷ ତୁଳନାରେ ଇ-୧ ରେ ୨ ଗୁଣା ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପରି ଇ-୨ ରେ ୩ ଗୁଣାରୁ ଅଧିକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।