ସେବାୟତ ଟାଣିବେ ମହାପ୍ରଭୁଙ୍କ ରଥ
ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ହେଉଥିବା ବେଳେ କେବେଳ ସେବାୟତ ଟାଣିବେ ମହାପ୍ରଭୁଙ୍କ ତିନି ରଥ । ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି, ମହାପ୍ରଭୁଙ୍କ ତିନି ରଥକୁ ସେବାୟତମାନେ ହିଁ ଟାଣିବେ । କୌଣସି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ରଥ ଟାଣିବେ ନାହିଁ।
ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଗତବର୍ଷ ଭଳି କେବଳ ସେବାୟତ ମାନେ ହିଁ ଟାଣିବେ ରଥ । ଏଥିପାଇଁ ପ୍ରଶାସନ ପକ୍ଷରୁ ସେବାୟତ ମାନଙ୍କୁ ଟିକାକରଣ କରାଯିବା ସହିତ ସେମାନଙ୍କୁ ମାସ୍କ, ସାନିଟାଇଜର ଏବଂ ଗାମୁଛା ଯୋଗାଇ ଦିଆଯିବ । ସେହିପରି ରଥଟଣା ବେଳେ ସେବାୟତମାନଙ୍କୁ ମୋବାଇଲ ଓ କ୍ୟାମେରା ମନା। ରଥଯାତ୍ରା ବେଳେ ସେବାୟତମାନେ ଫଟୋ ଉଠାଇ ପାରିବେ ନାହିଁ । ବଡଦାଣ୍ଡ ଓ ସିଂହଦ୍ବାରରେ ସେବାୟତଙ୍କ ପାଇଁ ବିଶ୍ରାମ ବ୍ୟବସ୍ଥା କରାଯିବ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ବିଶ୍ରାମର ବ୍ୟବସ୍ଥା ହେବ ।
କୋଭିଡ୍ କଟକଣା ମଧ୍ୟରେ ଚଳିତ ବର୍ଷ ରଥଯାତ୍ରା ଆୟୋଜନ ନେଇ ସରକାରଙ୍କ ନିର୍ଦ୍ଦେଶ ରହିଛି । ରଥଯାତ୍ରା ପାଇଁ ପୁରୀ ସହରକୁ ୧୨ଟି ଜୋନ ଓ ବଡ଼ଦାଣ୍ଡକୁ ତିନିଟି ଜୋନ୍ରେ ବିଭକ୍ତ କରାଯିବ ବୋଲି ପୁରୀ ଏସ୍ପି କନଓ୍ୱର ବିଶାଳ ସିଂ ସୂଚନା ଦେଇଛନ୍ତି। ଏଥିସହ ପ୍ରାୟ ୭୦ ପ୍ଲାଟୁନ୍ ଫୋର୍ସ ଏଥର ମୁତୟନ ହେବେ।